କଟକ: ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ବିଡବ୍ଲୁଏଫ୍ ସୁପର-୧୦୦ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରୁ ପଣ୍ଡା ଭଗ୍ନୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଦାୟ ନେଇଛନ୍ତି। ଶୁକ୍ରବାର ମହିଳା ଯୁଗଳ କ୍ବାର୍ଟରଫାଇନାଲ୍ ମ୍ୟାଚ୍ରେ ଏହି ଓଡ଼ିଶା ଯୋଡ଼ି ୯-୨୧, ୧୫-୨୧ରେ ଇଣ୍ଡୋନେସିଆର ଜେସିତା ପୁତ୍ରି ଓ ଫେବିଙ୍କ ଯୋଡ଼ିଠାରୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ମହିଳା ଏକକରେ ଉନ୍ନତି ହୁଡ଼ା ନିଜ ଦେଶର ଅପୁପମା ଉପାଧ୍ୟାୟଙ୍କୁ ୧୬-୨୧, ୨୧-୭, ୨୧-୧୫ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେହିଭଳି ପୁରୁଷ ଏକକରେ କିରଣ ଜର୍ଜ ୨୧-୧୦, ୨୧-୧୬ରେ ନିଜ ଦେଶର ମେଇରାବା ଲୁୱାଙ୍ଗ ମୈସନାମ୍ଙ୍କୁ, ସତୀଶ କୁମାର କରୁଣାକରନ ୨୧-୧୦, ୨୧-୧୬ରେ ଚିରାଗ ସେନ୍ଙ୍କୁ, ଆୟୁଷ ସେଟ୍ଟୀ ୨୧-୧୬, ୨୧-୧୪ରେ ଶୁଭଙ୍କର ଦେ’ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମହିଳା ଯୁଗଳରେ ତନୀଶା କ୍ରିଷ୍ଟୋ ଓ ଅଶ୍ବିନୀ ପୋନ୍ନାପ୍ପାଙ୍କ ଯୋଡ଼ି ୨୨-୨୦, ୨୦-୨୨, ୨୧-୧୪ରେ ଚାଇନିଜ୍ ତାଇପେର ସୁଙ୍ଗ ସୁ ୟୁନ୍ ଓ ୟୁ ଚେନ୍ ହୁଇଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରଷ ଯୁଗଳରେ ଭାରତର କ୍ରୀଷ୍ଣ ପ୍ରସାଦ ଗରଗା ଓ ସାଇ ପ୍ରତୀକ ୨୧-୧୧, ୨୧-୧୬ରେ ଡେନମାର୍କର ଡାନିଏଲ ଓ ମାଡସ୍ ଭିଟରଗାର୍ଡଙ୍କ ଯୋଡ଼ିକୁ ହରାଇଥିଲେ।
ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମିଶ୍ରିତ ଯୁଗଳରେ ଡେନ୍ମାର୍କର ମାଡ୍ସ ଭିଟରଗାର୍ଡ ଓ ଖ୍ରୀଷ୍ଟାଇନ୍ ବୁସ୍ ୨୦-୨୨, ୨୧-୧୬, ୨୧-୧୮ରେ ଭାରତର ରେଡି ବି ସ୍ମିଥ୍ ଓ ସିକି ରେଡ୍ଡୀଙ୍କ ଯୋଡ଼ିକୁ, ଇଣ୍ଡୋନେସିଆର ମରୱାନ୍ ଫାଜା ଓ ଜେସିକାଙ୍କ ଯୋଡ଼ି ୨୧-୧୬, ୨୧-୧୧ରେ ଧ୍ରୁବ କପିଳା ଓ ତନୀଶା କ୍ରିଷ୍ଟୋଙ୍କ ଯୋଡ଼ିକୁ, ସିଙ୍ଗାପୁରର ହି ୟଙ୍ଗ୍ କାଇ ତେରୀ ଓ ତାନ୍ ୱେଇ ୨୧-୧୦, ୧୯-୨୧, ୨୧-୧୭ରେ ଭାରତର ଲୋକେଶ ଓ ଅନୁସାଙ୍କ ଯୋଡ଼ିଙ୍କୁ, ଇଣ୍ଡୋନେସିଆର ଆଦନାନ ଓ ନୀତାଙ୍କ ଯୋଡ଼ି ଜାପାନର ଜୋନ୍ସ ଓ ଥୁକ୍ଙ୍କ ଯୋଡ଼ିକୁ ୨୧-୧୭, ୨୧-୧୮ରେ ପରାସ୍ତ କରିଥିଲେ। ମହିଳା ଏକକରେ ହଂକଂ ଚୀନ୍ର ଲୋସିନ୍ ୨୧-୧୫, ୨୧-୧୧ରେ ଡେନମାର୍କର ଜୋଲିଙ୍କୁ, ଡେନ୍ମାର୍କର ଲାଇନ୍ ଖ୍ରୀଷ୍ଟୋଫୋରେନ୍ ୨୧-୧୩, ୧୩-୨୧, ୨୨-୧୦ରେ ଚାଇନିଜ୍ ତାଇପେଇର ହୁଆଙ୍ଗଙ୍କୁ, ଜାପାନର ନୋଜୋମି ୨୧-୧୫, ୨୧-୧୩ରେ ଇଣ୍ଡୋନେସିଆର ରୁଜାନାଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକରେ ଇଣ୍ଡୋନେସିଆର ଅଲୱି ଫରହାନ୍ ୨୧-୧୬, ୧୨-୨୧, ୨୧-୧୪ରେ ନିଜ ଦେଶର ଅଲଭିଙ୍କୁ ହରାଇଥିଲେ।
ମହିଳା ଯୁଗଳ ରେ ଇଣ୍ଡୋନେସିଆର ମେଲିସା ଓ ରାଚେଲଙ୍କ ଯୋଡ଼ି ୨୭-୨୫, ୨୧-୧୩ରେ ସୋଫି ଓ ସିତିଙ୍କ ଯୋଡ଼ିକୁ, ଇଣ୍ଡୋନେସିଆର ଅରଲ୍ୟା ଓ ଆଗନ୍ୟାଙ୍କ ଯୋଡ଼ି ୨୧-୧୬, ୨୧-୧୬ ରେ ହଂକଂ ଚାଇନାର ଲୁଇ ଲୋକ୍ ଲୋକଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ଟିଜେସ୍ ଓ ଖ୍ରୀଷ୍ଟୋଫୋରଙ୍କ ଯୋଡ଼ି ୨୧-୧୭, ୨୧-୧୦ରେ ସୁରଜ ଗୋଆଲା ଓ ପୃଥିବୀ କ୍ରୀଷ୍ଣମୂର୍ତ୍ତ ରଏଙ୍କ ଯୋଡ଼ିକୁ ପରାସ୍ତ କରି ଆଗକୁ ବଢିଛନ୍ତି।