ଋତାପର୍ଣ୍ଣାଙ୍କୁ ‘ଏକଲବ୍ୟ ସମ୍ମାନ’: ସମ୍ବର୍ଦ୍ଧିତ ହେଲେ ସ୍ବସ୍ତି ଓ ପ୍ୟାରୀ

ଖୁବ୍‌ ଶୀଘ୍ର ଓଡ଼ିଶା ବିଶ୍ବର କ୍ରୀଡ଼ାକେନ୍ଦ୍ର ପାଲଟିବାକୁ ଯାଉଛି: ରାଜ୍ୟପାଳ

ଖୁବ୍‌ ଶୀଘ୍ର ଓଡ଼ିଶା ବିଶ୍ବର କ୍ରୀଡ଼ାକେନ୍ଦ୍ର ପାଲଟିବାକୁ ଯାଉଛି: ରାଜ୍ୟପାଳ
ଭୁବନେଶ୍ବର: ଦିବ୍ୟତା ଉପରେ ସମସ୍ତଙ୍କ ଆସ୍ଥା ନ ଥାଏ। କିନ୍ତୁ ସମସ୍ତଙ୍କୁ କିଛି ନା କିଛି ଏଭଳି ଜିନିଷ ଆବଶ୍ୟକ ଯାହା ଉପରେ ସେମାନେ ନିଜର ସମସ୍ତ ଏକାଗ୍ରତା କେନ୍ଦ୍ରୀଭୂତ କରିପାରିବେ। ଆଉ ସେଇ ଜିନିଷ ଆଗରେ ସ୍ବୟଂ ଈଶ୍ବର ତୁଚ୍ଛ ଭଳି ଲାଗନ୍ତି। ଆମ ଖେଳାଳିମାନେ ସେହିଭଳି ଭା‌ବେ ରୢାକେଟ୍‌, ବ୍ୟାଟ୍‌, ଫୁଟ୍‌ବଲ୍‌, ହକି ଓ ସାଇକେଲ ଉପରେ ନିଜର ଏକାଗ୍ରତାକୁ କେନ୍ଦ୍ରୀଭୂତ କରିଛନ୍ତି। ଏଣୁ ସେମାନେ ସଫଳ ହେବା ସହ ଆମେ ବି ଗୌରବାନ୍ବିତ ହୋଇଛୁ। ଅହଂ ଓ ସ୍ବୟଂକୁ ଭୁଲିଯାଇ ନିଜ ଆସ୍ଥା ଉପରେ ଏକାଗ୍ର ହେଲେ ସଂକଳ୍ପରୁ ସିଦ୍ଧି ପର୍ଯ୍ୟନ୍ତର ଯାତ୍ରା ସହଜ ହୋଇଯାଏ ବୋଲି ‘୨୯ତମ ଏକଲବ୍ୟ ପୁରସ୍କାର ସମାରୋହ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ରାଜ୍ୟପାଳ ଆହୁରି କହିଲେ, ଓଡ଼ିଶା ଖୁବ୍‌ ଶୀଘ୍ର ବିଶ୍ବର କ୍ରୀଡ଼ାକେନ୍ଦ୍ର ପାଲଟିବାକୁ ଯାଉଛି। ଆବଶ୍ୟକୀୟ ଭିତ୍ତିଭୂମି, ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଖେଳାଳିମାନଙ୍କୁ ଯୋଗାଇ ଦିଆଯାଉଥିବାରୁ ସେମାନେ ମଧ୍ୟ ଅଧିକ ଉତ୍ସାହିତ ହୋଇ ସଫଳତାର ସିଢ଼ି ଚଢ଼ି ଚାଲିଛନ୍ତି। ଆମ କ୍ରୀଡ଼ାବିତ୍‌ମାନେ ଏଭଳି ଏକ ପୁସ୍ତକରେ ନିଜ ନାମ ଲିପିବଦ୍ଧ କରିବାକୁ ଯାଉଛନ୍ତି ଯାହା ଏଯାଏ ଲେଖାଯାଇନାହିଁ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଲାଲ୍‌। ଉଦୀୟମାନ ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତାପର୍ଣ୍ଣା ପଣ୍ଡାଙ୍କୁ ‘ଏକଲବ୍ୟ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଛି। ପୁରସ୍କ‌ାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ଏହି ଅବସରରେ ବିଶିଷ୍ଟ ସାଇକେଲିଂ ଖେଳାଳି ସ୍ବସ୍ତି ସିଂହ ଓ ଫୁଟ୍‌ବଲ୍‌ ଖେଳାଳି ପ୍ୟାରୀ ଖାଖାଙ୍କୁ ମଧ୍ୟ ସେମାନଙ୍କର କ୍ରୀଡ଼‌ା କ୍ଷେତ୍ରରେ ଉଦାହରଣୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ୟାରୀ ଖାଖା ଅଭ୍ୟାସରେ ବ୍ୟସ୍ତ ଥିବାରୁ ତାଙ୍କ ମା’ ବାଣୀ ଖାଖା ଓ ଭଉଣୀ ହେମା ଖାଖା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଲେ, ପୁରସ୍କାର ସବୁବେଳେ ଅଧିକ କିଛି କରିବାକୁ ପ୍ରୋତ୍ସାହିତ କରେ। ଓଡ଼ିଶାରେ ଖେଳ ପାଇଁ ବିସ୍ତୃତ ଭିତ୍ତିଭୂମି ଓ ସକାରାତ୍ମକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ଏହା ଯୁବପିଢ଼ିଙ୍କୁ ଆକର୍ଷିତ କରିବା ସହ ଖେଳକୁ ଜୀବିକା ଭାବେ ବାଛିବାରେ ପ୍ରେରିତ କରୁଛି। ଏବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ରାଜ୍ୟରେ ଉନ୍ନତ ଭିତ୍ତିଭୂମି କାମ ଚାଲିଛି ବୋଲି ଶ୍ରୀ ତିର୍କୀ କହିଥିଲେ। ଏଥିସହ ନିଜ ଅନୁଭୂତି ବଖାଣି ସେ କହିଲେ, ମୁଁ ଦିନେ ଏକଲବ୍ୟ ପୁରସ୍କାର ପାଇଥିଲି। ଏହା ମୋତେ ଆହୁରି ଅଧିକ ପ୍ରୋତ୍ସାହିତ କରିଥିବା ବେଳେ ଆଜି ସେହି ପୁରସ୍କାର ସମାରୋହରେ ଅତିଥି ଭାବେ ବସିବା ମୋ ପାଇଁ ସମ୍ମାନ ଓ ଗର୍ବର କଥା ବୋଲି ସେ କହିଥିଲେ। ଇମ୍ପ୍ୟାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ଏକଲବ୍ୟ ପୁରସ୍କାରର ଦୀର୍ଘ ଯାତ୍ରା ସମ୍ପର୍କରେ ଆଲୋକପାତ କରି କହିଲେ, କ୍ରୀଡ଼ା ପାଇଁ ଆଗରୁ ବିଶେଷ କିଛି ସୁବିଧା ଓଡ଼ିଶାରେ ନଥିବା ବେଳେ ଏବେ ଭିତ୍ତିଭୂମିଠାରୁ ଆରମ୍ଭ କରି ପୃଷ୍ଠପୋଷକତା, ଯୋଜନା ଓ ପ୍ରୋତ୍ସାହନ ଖୁବ୍‌ ଅଧିକ ବଢ଼ିଛି। ତେବେ କ୍ରୀଡ଼ାବିତ୍‌ଙ୍କୁ ‌ପ୍ରୋତ୍ସାହିତ କରିବାକୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଆ‌ଜି ୨୯ ବର୍ଷରେ ପାଦ ଦେଇଛି। ଏଥିସହ ଯେତେବେଳେ ପ୍ରଖ୍ୟାତ କ୍ରୀଡ଼ାବିତ୍‌ମାନେ କୁହନ୍ତି ‘ଏକଲବ୍ୟ ପୁରସ୍କାର’ ପାଇବା ସେମାନଙ୍କର ସ୍ବପ୍ନ; ସେଇଠି ହିଁ ଆମ ଉଦ୍ୟମ ସଫଳ ହୋଇଗଲା ଭଳି ଲାଗେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏକଲବ୍ୟ ପୁରସ୍କାର କମିଟିର ଆବାହକ କିଶୋର ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଆତ୍ମବିଶ୍ବାସ ବଢ଼ାଉଛି ଏକଲବ୍ୟ: ଋତାପର୍ଣ୍ଣା‌
ଏକଲବ୍ୟ ପୁରସ୍କାର ଜିତିବା କେବଳ ମୋର ନୁହେଁ ସାରା ଓଡ଼ିଶାର କ୍ରୀଡ଼ାବିତ୍‌ଙ୍କ ସ୍ବପ୍ନ। ଏହି ପୁରସ୍କର ଯୁବ କ୍ରୀଡ଼ାବିତ୍‌ଙ୍କ ଆତ୍ମବିଶ୍ବାସ ବଢ଼ାଇବାରେ ଖୁବ୍‌ ସହାୟ ହୋଇଥାଏ। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ କ୍ରୀଡ଼ାବିତ୍‌ମାନଙ୍କ ଅଧିକରୁ ଅଧିକ ଖେଳିବା ତଥା ସୁନାମ ଅର୍ଜନ କରିବାରେ ଏହି ପୁରସ୍କାର ପ୍ରୋତ୍ସାହିତ କରିବ। ଉନ୍ନତ ଭିତ୍ତିଭୂମି ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ସେ ଏହି ଅବସରରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହ ନିଜ ବଡ଼ ଭଉଣୀ ଶ୍ବେତପର୍ଣ୍ଣ‌‌ା ପଣ୍ଡାଙ୍କୁ ସେ ଏହି ପରିପ୍ରୋକ୍ଷୀରେ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଥିବାରୁ ସବୁବେଳେ ତାଙ୍କୁ ପ୍ରେରିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରୁଛି: ପ୍ୟାରୀ
ବର୍ଷ ବର୍ଷ ଧରି ଏହି ଏକଲବ୍ୟ ପୁରସ୍କାର ଆମ ଭଳି ଯୁବ ପ୍ରତିଭାମାନଙ୍କ ଆତ୍ମବିଶ୍ବାସ ବଢ଼ାଇଚାଲିଛି। ଏହି ପୁରସ୍କାର ପାଇଥିବା ସମସ୍ତ ଖେଳାଳି ଜାତୀୟ ଅନ୍ତର୍ଜାତୀୟସ୍ତରରେ ବହୁ ସୁନାମ ଅର୍ଜିଛନ୍ତି। ଆଜି ମୋତେ ଏଭଳି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିବାରୁ ତଥା ଏହି ସମ୍ମାନର ହକ୍‌ଦାର୍‌ ଭାବିଥିବାରୁ ସମସ୍ତଙ୍କୁ କୃତଜ୍ଞତା ବୋଲି ଏକ ଭିଡିଓ ବାର୍ତ୍ତାରେ ପ୍ୟାରି କହିଥିଲେ।

ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରେରଣା ଦିଏ: ସ୍ବସ୍ତି
ଆଜି ମୁଁ ଏହି ସମାରୋହରେ ସମ୍ବର୍ଦ୍ଧିତ ହୋଇ ବେଶ୍‌ ଗର୍ବିତ। ଏହି ମଞ୍ଚରେ ସମ୍ମାନିତ ହେବା ଆମ ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ଙ୍କର ପ୍ରଥମ ସ୍ବପ୍ନ। ପୁରସ୍କାର ଆମର ମନୋବଳ ବଢ଼ାଇଥାଏ। ଏହି ପୁରସ୍କର ବହୁ ବର୍ଷ ଧରି ଆମ ଭଳି କ୍ରୀଡ଼ାବିତ୍‌ଙ୍କୁ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରି ଆସୁଛି। ମୁଁ ମଧ୍ୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ଦେଶ ତଥା ରାଜ୍ୟକୁ ଗୌରାବନ୍ବିତ କରିବାର ଦୃଢ଼ ଇଚ୍ଛାଶକ୍ତ ରଖିଛି। କିଟ୍‌ ବିଶ୍ବବିଦ୍ୟାଳୟରେ ପୂର୍ବ ଭାରତର ପ୍ରଥମ ଭେଲୋଡ୍ରମ୍ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ସ୍ବସ୍ତି ଆନନ୍ଦିତ ହେବା ସହ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ବସ୍ତି ମଧ୍ୟ କିଟ୍‌ର ଛାତ୍ରୀ ଅଛନ୍ତି।

ସମ୍ବନ୍ଧିତ ଖବର