ପ୍ୟାରିସ: ଡେନ୍ମାର୍କର ୧୭ ବର୍ଷୀୟା ଯୁବତୀ କ୍ଲାରା ତୌସନ ଚଳିତ ଫ୍ରେଞ୍ଚ ଓପନ୍ ପ୍ରଥମ ପର୍ଯ୍ୟାୟରେ ୟୁଏସ୍ ଓପନ୍ ସେମିଫାଇନାଲିଷ୍ଟ ଆମେରିକାର ଜେନିଫର ବ୍ରାଡିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ମଙ୍ଗଳବାର ମୁକାବିଲାରେ ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍ର ମୁଖ୍ୟ ଡ୍ରରେ ପ୍ରବେଶ କରିଥିବା ୧୮୮ ମାନ୍ୟତାପ୍ରାପ୍ତ ତୌସନ ଚମତ୍କାର ପ୍ରଦର୍ଶନ କରି ୨୧ ମାନ୍ୟତାପ୍ରାପ୍ତ ବ୍ରାଡିଙ୍କୁ ୬-୪, ୩-୬, ୯-୭ ସେଟ୍ରେ ପରାସ୍ତ କରିଥିଲେ। ମହିଳା ଏକକରେ ଅନ୍ୟ ବଡ଼ ତାରକାଙ୍କ ମଧ୍ୟରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଆଞ୍ଜେଲିକ କର୍ବର, ଦ୍ବାଦଶ ମାନ୍ୟତାପ୍ରାପ୍ତ ମାଡିସନ କିଜ୍ଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ଜର୍ମାନିର କର୍ବର ୩-୬, ୩-୬ ସେଟ୍ରେ ସ୍ଲୋଭେନିଆର ଗାଜା ଜୁଭାନଙ୍କଠୁ ଏବଂ ଆମେରିକାର କିଜ୍ ୩-୬, ୬-୭ ସେଟ୍ରେ ଚୀନର ଝାଙ୍ଗ ସୁଆଇଙ୍କଠୁ ହାରି ଯାଇଥିଲେ। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍କୋଭା, ସୋଫିଆ କେନିନ (ଚତୁର୍ଥ) ଓ ଏଲିନା ରିବାକିନା (ଚତୁର୍ଦଶ) ନିଜ ନିଜ ମ୍ୟାଚ୍ ଜିତି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଚେକ୍ଗଣରାଜ୍ୟର ପ୍ଲିସକୋଭା ୬-୭, ୬-୨, ୬-୪ ସେଟ୍ରେ ଇଜିପ୍ଟର ମାୟାର ସେରିଫଙ୍କୁ, ଆମେରିକାର କେନିନ ୬-୪, ୩-୬, ୬-୩ ସେଟ୍ରେ ରୁଷିଆର ଲୁଦମିଲା ସାମସୋନୋଭାଙ୍କୁ ଏବଂ କାଜାକସ୍ତାନର ରୁଷୀୟ ଜନ୍ମିତ ରିବାକିନା ୬-୦, ୬-୩ ସେଟ୍ରେ ରୋମାନିଆର ସୋରୋନା କିର୍ସ୍ତିଆଙ୍କୁ ପରାସ୍ତ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଜୋକୋଭିକ
ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିଆ ତାରକା ନୋଭାକ ଜୋକୋଭିକଙ୍କ ସହ ଇଟାଲିର ମାତିଓ ବେରେତିନି, ଦକ୍ଷିଣ ଆଫ୍ରିକା କେଭିନ ଆଣ୍ଡରସନ୍ (ସପ୍ତମ) ବିଜୟରୁ ଫ୍ରେଞ୍ଚ ଓପନ୍ ଅଭିଯାନ ଆରମ୍ଭ କରିଛନ୍ତି। ୧୭ ଗ୍ରାଣ୍ଡ ସ୍ଲାମ୍ ବିଜେତା ଜୋକୋଭିକ ୬-୦, ୬-୨, ୬-୩ ସେଟ୍ରେ ସ୍ବିଡେନର ମାଇକେଲ ଇମିରଙ୍କୁ ପରାସ୍ତ କରିଥିଲେ। ସପ୍ତମ ମାନ୍ୟତାପ୍ରାପ୍ତ ବେରେତିନି ୬-୩, ୬-୧, ୬-୩ ସେଟ୍ରେ କାନାଡ଼ାର ଭାସେକ ପୋସପିସିଲଙ୍କୁ ଏବଂ ଆଣ୍ଡରସନ ୬-୨, ୬-୩, ୬-୪ ସେଟ୍ରେ ହଙ୍ଗେରିର ଲାସଲୋ ଡେରେଙ୍କୁ ପରାସ୍ତ କରିଥିଲେ। ତେବେ ଚତୁର୍ଥ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦବ ପ୍ରଥମ ପର୍ଯ୍ୟାୟରେ ପରାଜୟର ମୁହଁ ଦେଖିଛନ୍ତି। ଏହି ରୁଷୀୟ ଖେଳାଳିଙ୍କୁ ୪-୬, ୬-୭, ୬-୨, ୧-୬ ସେଟ୍ରେ ହଙ୍ଗେରିର ମାର୍ଟନ ଫୁସୋଭିକ୍ସ ପରାସ୍ତ କରିଥିଲେ।