ପ୍ୟାରିସ୍‌: ଦୁଇ ଥରର ଫାଇନାଲିଷ୍ଟ କାସ୍ପର ରୁଡ୍‌ଙ୍କୁ ଫ୍ରେଞ୍ଚ ଓପନ୍‌ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ବୁଧବାର ପୁରୁଷ ଏକକ ମୁକାବିଲାରେ ସପ୍ତମ ମାନ୍ୟତାପ୍ରାପ୍ତ ଏହି ନରୱେ ଖେଳାଳି ୬-୨, ୪-୬, ୧-୬, ୦-୬ ସେଟ୍‌ରେ ବିଶ୍ବର ୪୧ ନମ୍ବର ପର୍ତ୍ତୁଗାଲର ନୁନୋ ବୋର୍ଗେସଙ୍କଠୁ ହାରିଯାଇଛନ୍ତି। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ତଥା ଗତ ସଂସ୍କରଣ ବିଜେତା କାର୍ଲୋସ ଅଲ୍‌କାରାଜ, ଅଷ୍ଟମ ମାନ୍ୟତାପ୍ରାପ୍ତ ଲୋରେଞ୍ଜ ମୁସେଟି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସ୍ପେନ୍‌ର ଅଲ୍‌କାରାଜ ୬-୧, ୪-୬, ୬-୧, ୬-୨ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋସାନ୍‌ଙ୍କୁ ଏବଂ ଇଟାଲିର ମୁସେଟି ୬-୪, ୬-୦, ୬-୪ ସେଟ୍‌ରେ କଲମ୍ବିଆର ଡାନିଏଲ ଇଲାହି ଗାଲାନଙ୍କୁ ହରାଛନ୍ତି। 

Advertisment

ମହିଳା ଏକକ ତୃତୀୟ ରାଉଣ୍ଡରେ ଗତ ସଂସ୍କରଣ ଉପବିଜୟିନୀ ଯଶ୍ମିନ ପାଓଲିନି ଏବଂ ଅଲିମ୍ପିକ୍ସ ବିଜୟିନୀ ଝେଙ୍ଗ କ୍ବିନୱେନ୍‌ ପ୍ରବେଶ କରିଛନ୍ତି। ବୁଧବାର ଚତୁର୍ଥ ମାନ୍ୟତାପ୍ରାପ୍ତ ଇଟାଲିର ପାଓଲିନ୍‌ ୬-୩, ୬-୩ ସେଟ୍‌ରେ ଅଷ୍ଟ୍ରେଲିଆା ଆଜ୍‌ଲା ତୋମ୍ଲିଜାନୋଭିକ୍‌ଙ୍କୁ ହରାଇଥିଲେ। ସେ ପରବର୍ତ୍ତୀ ରାଉଣ୍ଡରେ ୟୁକ୍ରେନ୍‌ର ୟୁଲିଆ ଷ୍ଟାରୋଡୁବ୍‌ସେଭାଙ୍କୁ ଭେଟିବେ। ଷ୍ଟାରୋଡୁବ୍‌ସେଭା ୭-୬, ୬-୨ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପୋଟାପୋଭାଙ୍କୁ ପରାସ୍ତ କରିଥିଲେ। ୮ ନମ୍ବର ଚୀନ୍‌ର ଝେଙ୍ଗ ୬-୨, ୬-୩ ସେଟ୍‌ରେ କଲମ୍ବିଆର ଏମିଲିଆନା ଆରାଙ୍ଗୋଙ୍କୁ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡରେ ‌ସେ ୧୮ ବର୍ଷୀୟା କାନାଡ଼ା ଯୁବତୀ ଭିକ୍ଟୋରିଆ ଏମ୍‌ବୋକୋଙ୍କୁ ଭେଟିବେ। ‌ଏମ୍‌ବେକୋ ୬-୪, ୬-୪ ସେଟ୍‌ରେଜ ଜର୍ମାନୀର ଇଭା ଲିଜ୍‌ଙ୍କୁ ପରାସ୍ତ କରିଥିଲେ। ରୋଲାଁ ଗାରୋସରେ ହ୍ୟାଟ୍ରିକ୍‌ ସହ ୪ ଏବଂ ମୋଟ ଉପରେ ୫ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଈଗା ସ୍ବିତେକ ସହଜ ବିଜୟ ସହ ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ୫ ନମ୍ବର ଏହି ପୋଲାଣ୍ଡ ମହିଳା ୬-୧, ୬-୨ ସେଟ୍‌ରେ ୨୦୨୧ ୟୁଏସ୍‌ ଓପନ୍‌ ବିଜୟିନୀ ଗ୍ରେଟ୍‌ ବ୍ରିଟେନ୍‌ର ଇମା ରାଡ଼ୁକାନୁଙ୍କୁ ପରାସ୍ତ କରିଛନ୍ତି।

ବୋଲିପାଲିଙ୍କ ଅଭିଯାନ ଶେ‌ଷ
ଭାରତୀୟ ପୁରୁଷ ଯୁଗଳ ଖେଳାଳି ଋତ୍ବିକ ବୋଲିପାଲିଙ୍କ ଫ୍ରେଞ୍ଚ ଓପନ୍‌ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ୍‌ ମୁଖ୍ୟ ରାଉଣ୍ଡରେ ଖେଳୁଥିବା ବୋଲିପାଲି ଓ ତାଙ୍କ ‌କଲମ୍ବିଆ ସାଥୀ ନିକୋଲାସ ବାରିଏଣ୍ଟୋସ ୦-୬, ୨-୬ ସେଟ୍‌ରେ କାନାଡ଼ା ଓ ବ୍ରିଟେନ୍‌ର ଗାବ୍ରିଏଲ ଡିଆଲୋ ଓ ଜାକବ ଫିଅର୍ଣ୍ଣଲେଙ୍କଠୁ ହାରିଯାଇଥିଲେ।