ଟି-୨୦ ବିଶ୍ବକପ : ଇଂଲଣ୍ଡକୁ ୭ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ସେଣ୍ଟ ଲୁସିଆ : ସେଣ୍ଟ ଲୁସିଆଠାରେ ଖେଳାଯାଇଥିବା ଆଇସିସି ଟି-୨୦ ବିଶ୍ବକପର ଏକ ରୋମାଞ୍ଚକର ସୁପର-୮ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା । ଇଂଲଣ୍ଡ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ଥିବାବେଳେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ହ୍ୟାରି ବ୍ରୁକ ୫୩ ଓ ଲିଆମ ଲିଭିଙ୍ଗଷ୍ଟୋନ ୩୩ ରନ କରିଥିଲେ । ଜସ ବଟଲର ୧୭ ଓ ଜନି ବେୟାରଷ୍ଟୋ ୧୬ ରନ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ ରେଜା ହେଣ୍ଡରିକ୍ସ ଦଳକୁ ଏକ ଭଲ ମୂଳଦୂଆ ଦେଇଥିଲେ । ସେମାନେ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୬ ରନ କରିଥିଲେ । ଡି’କକ୍ ୬୫ ରନ କରିଥିବାବେଳେ ହେଣ୍ଡରିକ୍ସ ୧୯ ରନ କରିଥିଲେ । ଡେଭିଡ୍ ମିଲର ୪୩ ରନର ଇନିଂସ ଖେଳିଥିଲେ । କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରିନଥିଲା ଓ ୧୬୩ ରନରେ ସୀମିତ ରହିଯାଇଥିଲା । ହେନେରିକ୍ କ୍ଲାସେନ ମାତ୍ର ୮ ରନ କରିଥିବାବେଳେ ଆଇଡେନ ମାର୍କରାମ ୧ ରନ କରିଥିଲେ । ଟ୍ରିଷ୍ଟାନ ଷ୍ଟବ୍ସ ୧୨ ରନ କରିଥିବାବେଳେ କେଶବ ମହାରାଜ ୫ ରନ କରିଥିଲେ । ମାର୍କୋ ଜନସେନ ଖାତା ଖୋଲିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ଓ୍ବିକେଟ୍ ନେଇଥିବାବେଳେ ମୋଇନ ଅଲି ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର