ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ମୂଳପୋଛ ଶୃଙ୍ଖଳା ବିଜୟ

ଜୋହାନେସବର୍ଗ: ଦ ୱଣ୍ଡରର୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ‌ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ରେ ବିଜୟୀ ହେବା ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି। ପାକିସ୍ତାନ ସମ୍ମୁଖରେ ୩୮୧ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ସକାଳେ ୧୫୩/୩ରୁ‌ ଖେଳିଥିବା ଭ୍ରମଣକାରୀ ଦଳ ଚତୁର୍ଥ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ୨୭୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଅସଦ ସଫିକ (୬୫)ଙ୍କ ୱିକେଟ୍ ପରେ କେବଳ ସଦାବ ଖାନ୍‌ (୪୭*, ୬୬ ବଲ୍‌, ୭ ଚୌକା) ଭଲ ଖେଳିଥିଲେ। ଯୁବ ଦ୍ରୁତ ବୋଲର ଡୁଆନ୍ ଓଲିଭର୍‌ ପୂର୍ବଦିନର ଅପରାଜିତ ବ୍ୟାଟସମ୍ୟାନ୍‌ ବାବର ଆଜମଙ୍କ ୱିକେଟ୍ ସହିତ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ପ୍ରଥମ ବଲ୍‌ରେ ବୋଲ୍ଡ କରିବା ପାକିସ୍ତାନର ସମ୍ଭାବନାକୁ ଶେଷ କରି ଦେଇଥିଲା। ଏହା ପରେ ଲଗାତାର ୩ ୱିକେଟ୍‌ ଦଖଲ କରି କାଗିସୋ ରବାଦା ପାକିସ୍ତାନ ପାଳିକୁ ୬୫.୪ ଓଭରରେ ଅଟକାଇ ଦେଇଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ଆବାସ ରନ୍‌ ଆଉଟ୍ ହୋଇଥିଲେ। ଆକର୍ଷଣୀୟ ଶତକ ହାସଲ କରିଥିବା କ୍ବିଣ୍ଟନ୍ ଡି’କକ୍‌ (୧୨୯) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ୩ ଟେଷ୍ଟ୍‌ରୁ ୨୪ ୱିକେଟ୍‌ ନେଇ ନିର୍ଣ୍ଣାୟକ ହୋଇଥିବା ଡୁଆନ୍ ଓଲିଭର୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୬୨ (ଐଦେନ ମର୍କରାମ-୯୦, ଫହିମ୍ ଅସ୍ରଫ-୩/୫୭)। ପାକିସ୍ତାନ ପ୍ରଥମ ପାଳି: ୧୮୫ (ସର୍ଫରାଜ ଅହମ୍ମଦ-୫୦, ଡୁଆନ୍ ଓଲିଭର-୫/୫୧, ଭର୍ନାନ୍ ଫିଲାଣ୍ଡର୍‌-୩/୪୩, କାଗିସୋ ରାବାଦା-୨/୪୧)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୩୦୩ (କ୍ବିଣ୍ଟନ୍ ଡି’କକ୍‌-୧୨୯, ହାସିମ୍ ଆମଲା-୭୧, ସାଦବ ଖାନ୍‌-୩/୪୧, ଫହିମ୍ ଅସ୍ରଫ-୩/୪୨, ମହମ୍ମଦ ଆମିର-୨/୫୬)। ପାକିସ୍ତାନ ଦ୍ବିତୀୟ ପାଳି: ୬୫.୪ ଓଭରରେ ୨୭୩ (ଅସଦ ସଫିକ-୬୫, ସଦାବ ଖାନ୍‌-୪୭, ହାସନ ଅଲୀ-୨୨, କାଗିସୋ ରବାଦା-୩/୭୪, ଡୁଆନ୍ ଓଲିଭର-୩/୭୫, ଡେଲ୍‌ ଷ୍ଟେନ୍‌-୨/୮୦, ଭର୍ନାନ ଫିଲାଣ୍ଡର୍‌-୧/୪୧)।

ସମ୍ବନ୍ଧିତ ଖବର