ଟି-୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ, ହସରଙ୍ଗାଙ୍କ ହ୍ୟାଟ୍ରିକ ବୃଥା

ସାରଜା : ୟୁଏଇର ସାରଜାଠାରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି ।

୧୪୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ ରେଜା ହେଣ୍ଡରିକ୍ସ ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୨୫ରନ ଯୋଗ କରିଥିଲେ । ମାତ୍ର ଡିକକ୍ ୧୨ ରନ କରିଥିବାବେଳେ ହେଣ୍ଡରିକ୍ସ ୧୧ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ରାସି ଭାନ ଡର ଦୁସେନ ୧୬ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଟେମ୍ବା ଭାବୁମା ୪୬ ରନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶେଷ ଓଭରରେ ଜିତିବାକୁ ଦକ୍ଷିଣ ଆଫ୍ରିକା ୧୬ ରନ ଆବଶ୍ୟକ କରୁଥିବାବେଳେ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ । ଏହି ମ୍ୟାଚର ଆଉ ଏକ ଆକର୍ଷଣ ଥିଲା ଶ୍ରୀଲଙ୍କା ବୋଲର ଓ୍ବାନିଣ୍ଡୁ ହସରଙ୍ଗାଙ୍କ ହ୍ୟାଟ୍ରିକ୍ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କାର ଓପନର ପାଥୁମ ମିଶଙ୍କା ସର୍ବାଧିକ ୭୧ ରନ କରିଥିଲେ । ସେହିପରି ଚରିଥ ଅସଲଙ୍କା ୨୧ରନ କରିଥିଲେ । କିନ୍ତୁ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନଗତି ଧୀମେଇ ଯାଇଥିଲା । ଫଳରେ ଦଳ ୨୦ ଓଭରରେ ୧୪୨ରନ କରି ଅଲଆଉଟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର