୫ମ ଟି-୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବର୍ଷା ପ୍ରଭାବିତ ମ୍ୟାଚରେ ଭାରତର ବ୍ୟାଟିଂ ଜାରି

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ୫ମ ତଥା ଚୂଡ଼ାନ୍ତ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ମଧ୍ୟ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଚଳିତ ସିରିଜର ସମସ୍ତ ମ୍ୟାଚରେ ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଛି ।

ତେବେ ଆଜିର ମ୍ୟାଚ ବେଶ ରୋଚକ ଓ ପ୍ରତିଦ୍ବନ୍ଦିପୂର୍ଣ୍ଣ ହେବାର ସମ୍ଭାବନା ରହିଛି । କାରଣ ଦୁଇଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ସିରିଜ ୨-୨ରେ ବରାବର ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିବାବେଳେ ୩ୟ ଓ ୪ର୍ଥ ମ୍ୟାଚରେ ଭାରତ ଜିତିଥିଲା । ଏଣୁ ଆଜିର ମ୍ୟାଚକୁ ଏକ ଫାଇନାଲ ଭାବେ ଦେଖାଯାଉଛି ।

ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଅଧିନାୟକ ଟିମ୍ବା ବାଭୁମା ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି । ସେହିପରି ମାର୍କୋ ଜାନସେନ ଓ ସାମସି ମଧ୍ୟ ବାଦ ପଡ଼ିଛନ୍ତି । ସେମାନଙ୍କ ସ୍ଥାନରେ ଟ୍ରିଷ୍ଟାନ ଷ୍ଟବସ, ରେଜା ହାଣ୍ଡରିକ୍ସ ଓ କାସିଗୋ ରବାଡା ଖେଳୁଛନ୍ତି ।

ତେବେ ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗତ ମ୍ୟାଚରେ ସେ ଏକ ଚମତ୍କାର ପାଳି ଖେଳି ଭାରତୀୟ ବିଜୟରେ ସହାୟକ ହୋଇଥିଲେ ।

ସମ୍ବନ୍ଧିତ ଖବର