ଟି-୨୦ ସିରିଜ : ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ଯାକ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦ.ଆଫ୍ରିକା

ରାଜକୋଟ : ଗୁଜୁରାଟରେ ରାଜକୋଟଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପୁଣି ଥରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଆଜିର ଟସ ସହ ଚଳିତ ସିରିଜରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୪ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତିଛି ଓ ପ୍ରତି ଥର ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିବାବେଳେ ୩ୟ ମ୍ୟାଚରେ ଭାରତ ଜିତିଥିଲା ।

ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବି ଭାରତ ୭ ଓ୍ବିକେଟରେ ହାରି ଯାଇଥିଲା । ଗତ ୧୨ ତାରିଖ ଦିନ କଟକରେ ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ଓ୍ବିକେଟରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ତେବେ ବିଶାଖାପାଟଣାରେ ଖେଳାଯାଇଥିବା ୩ୟ ଟି-୨୦ରେ ଭାରତ ୪୮ ରନରେ ଜିତିଥିଲା ।

ସିରିଜ ଏବେ ୨-୧ରେ ଥିବାରୁ ଆଜିର ମ୍ୟାଚ ଜିତିବା ବି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ସିରିଜ କବଜା କରିବାକୁ ଭାରତକୁ ଆଜିର ମ୍ୟାଚ ଓ ୫ମ ମ୍ୟାଚକୁ ଜିତିବାକୁ ହେବ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ସିରିଜ ଜିତିବାକୁ ହେଲେ କେବଳ ଆଜିର ମ୍ୟାଚ ଜିତିବାକୁ ପଡ଼ିବ । କିନ୍ତୁ ଖବର ଲେଖାହେବା ବେଳକୁ ଭାରତ ୩ ଓଭର ଖେଳି ୨୪ ରନ କରିବା ସହ ୨ଟି ଓ୍ବିକେଟ ହରାଇଛି ।

 

 

ସମ୍ବନ୍ଧିତ ଖବର