ସାଫ୍‌ କପ୍‌ ଫାଇନାଲ୍‌ରେ ଭାରତ

ଶୁକ୍ରବାର ନେପାଳକୁ ଭେଟିବ

ବିରାଟ ନଗର (ନେପାଳ): ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ପଞ୍ଚମଥର ଲାଗି ସାଫ୍‌ କପ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛି। ଶୁକ୍ରବାର ଫାଇନାଲ୍‌ରେ ଭାରତ ପଡ଼ୋଶୀ ତଥା ଆୟୋଜକ ନେପାଳକୁ ଭେଟିବ। ନେପାଳର ବିରାଟ ନଗରସ୍ଥିତ ସାହିଦ ରଙ୍ଗଶାଳା ଷ୍ଟାଡିୟମରେ ବୁଧବାର ଖେଳା ଯାଇଥିବା ‌ସେମିଫାଇନାଲ୍‌ରେ ‌ଭାରତ ୪-୦ ଗୋଲ୍‌ରେ ‌ବାଂଲାଦେଶକୁ ପରାସ୍ତ କରି ଏହି ସଫଳତା ପାଇଥିଲା। ଦାଲିମା ଛିବ୍ବର ଦଳ ପାଇଁ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ଇନ୍ଦୁମତୀ କାଥିରେସାନଙ୍କ ଯୁଗଳ ଏବଂ ଇଞ୍ଜୁରି ଟାଇମ୍‌ରେ ମନୀଷାଙ୍କ ଗୋଲ୍‌ ଯୋଗୁଁ ଭାରତ ଏକପାଖିଆ ବିଜୟ ହାସଲ କରିଥିଲା। ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ସଂଜୁଙ୍କ ପାସ୍‌କୁ ଦଲିମା ଗୋଲ୍‌ ପୋଷ୍ଟକୁ ପଠାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୨୩ ତମ ମିନିଟ୍‌ରେ ସଂଜୁଙ୍କ ସହଯୋଗରେ ଇନ୍ଦୁମତୀ ଗୋଲ୍‌ ଦେଇ ଦଳକୁ ୨-୦ ଅଗ୍ରଣୀ ଦେଇଥିଲେ। ୩୭ତମ ମିନିଟ୍‌ରେ ଇନ୍ଦୁମତୀ ଗୋଲ୍‌ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ପ୍ରଥମାର୍ଧରେ ୩-୦ରେ ଆଗୁଆ କରି ଦେଇଥିଲେ। ଦ୍ବିତୀୟାର୍ଧ ଗୋଲ୍‌ ଶୂନ୍ୟଭାବେ ଶେଷ ହେବାକୁ ଯାଉଥିଲା ବେଳେ ଇଞ୍ଜୁରି ଟାଇମ୍‌ରେ ମନୀଷାଙ୍କ ଗୋଲ୍‌ରେ ଭାରତ ୪-୦ ବିଜୟ ପାଇଥିଲା। ଓଡ଼ିଶାର ଜବାମଣୀ ଟୁଡ଼ୁ ଏହି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ। ୯୦ତମ ମିନିଟ୍‌ରେ ସେ ବାହାରକୁ ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ମିଚେଲ କାସ୍ତାନା ପଡ଼ିଆକୁ ଆସିଥିଲେ। ଏଥି ସହିତ ବିଜେତା ଭାରତ ୩ ମ୍ୟାଚ୍‌ରେ ବିନା ଗୋଲ୍‌ ବରଣରେ ୧୫ ଗୋଲ୍‌ ଲଦି ସାରିଲାଣି।

ସମ୍ବନ୍ଧିତ ଖବର