ସାବା କରିମ୍‌ ହେଲେ ବିସିସିଆଇ ମହାପ୍ରବନ୍ଧକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓ୍ଵିକେଟ୍‌ରକ୍ଷକ/ ବ୍ୟାଟ୍‌ସମ୍ୟାନ୍‌ ସବା କରିମ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ମହାପ୍ରବନ୍ଧକ (କ୍ରିକେଟ୍‌ ପରିଚାଳନା) ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶନିବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ୫୦ ବର୍ଷ ବୟସ୍କ ସବା କରିମ୍‌ ଏବେ ଏମ୍‌ଭି ଶ୍ରୀଧରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ। ଦୋହରା ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀଧର ଗତ ସେପ୍ଟେମ୍ବରରେ ପଦତ୍ୟାଗ କରିଥିଲେ। ସବା କରିମ ଆସନ୍ତା ଜାନୁଆରି ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିସିସିଆଇ ସିଇଓ ରାହୁଲ୍‌ ଜୋହରି କହିଛନ୍ତି। ସେ କ୍ରିକେଟ୍‌ ପରିଚାଳନା ସଂପର୍କିତ ରଣକୌଶଳ ନିର୍ଧାରଣ କରିବେ। ମ୍ୟାଚ୍‌ ଖେଳିବାର ନିୟମ, ପଡ଼ିଆଗୁଡ଼ିକର ମାନ ପରଖିବା, ଘରୋଇ କାର୍ଯ୍ୟକ୍ରମର ପ୍ରଶାସନିକ ଦାୟିତ୍ୱ ସାଙ୍ଗକୁ ବଜେଟ୍‌ ଓ ପରିଚାଳନାଗତ ଯୋଜନା ପ୍ରଣୟନ ଦାୟିତ୍ୱ ସବା କରିମ୍‌ ତୁଲାଇବେ। ଉଭୟ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‌ ଖେଳିଥିବା କରିମ୍‌ଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ୧୮ ବର୍ଷର କ୍ରିକେଟ୍‌ ଜୀବନ ମଧ୍ୟରେ ସେ ଭାରତ ପାଇଁ ୩୪ ଦିନିକିଆ ଓ ଗୋଟିଏ ଟେଷ୍ଟ ଖେଳିବା ବ୍ୟତୀତ ୧୨୦ ପ୍ରଥମଶ୍ରେଣୀ କ୍ରିକେଟ୍‌ ଓ ୧୨୪ ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୨୦୧୨ରେ ପୂର୍ବାଞ୍ଚଳରୁ ଜାତୀୟ ଚୟନକର୍ତା ରହିଥିଲେ। ଏହି ଦାୟିତ୍ୱ ସଂପନ୍ନ କରିବା ପରେ କରିମ୍‌ ଜଣେ ଟେଲିଭିଜନ୍‌ ଭାଷ୍ୟକାର କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର