ବିସିସିଆଇ ମହାପ୍ରବନ୍ଧକ ପଦ ଛାଡ଼ିଲେ ସବା କରିମ

ମୁମ୍ବାଇ: ବିସିସିଆଇର ମହାପ୍ରବନ୍ଧକ (କ୍ରିକେଟ୍‌ ଅପରେସନ୍‌) ସବା କରିମ୍‌ ପଦତ୍ୟାଗ କରିଛନ୍ତି। ତାଙ୍କୁ ପଦରୁ ଇସ୍ତଫା ଦେବାପାଇଁ ବିସିସିଆଇ ଏକରକମ ବାଧ୍ୟ କରିଥିବା ଜଣାପଡ଼ିଛି। ୨୦୧୭ ଡିସେମ୍ବରରେ ରାହୁଲ ଜୋହରି ସିଇଓ ଥିଲା ବେଳେ କରିମ୍‌ ବିସିସିଆଇରେ ପଦ ଅଳଂକୃତ କରିଥିଲେ। ଏବେ ଜୋହରିଙ୍କ ଇସ୍ତଫା ଦେବାର ଗୋଟିଏ ସପ୍ତାହ ପରେ କରିମ୍‌ଙ୍କୁ ବିତାଡ଼ିତ ହେବାକୁ ପଡ଼ିଛି। କରିମ୍‌ଙ୍କ ଇସ୍ତଫା ନେଇ ବିସିସିଆଇ ଆନୁଷ୍ଠାନିକ ଘୋଷଣା କରିନଥିଲା ବେଳେ ପଦ ଛାଡ଼ିବାର କାରଣ ମଧ୍ୟ ସ୍ପଷ୍ଟ କରିନି। ଏପରିକି ତାଙ୍କ ସ୍ଥାନରେ କିଏ ଦାୟିତ୍ବ ତୁଲାଇବେ ସେନେଇ ମଧ୍ୟ ଆଲୋଚନା କରିନି।

୫୨ ବର୍ଷ ବୟସ୍କ କରିମ୍‌ ଭାରତ ପାଇଁ ଗୋଟିଏ ଟେଷ୍ଟ୍‌ ଏବଂ ୩୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ୨୦୧୭ରେ ବିସିସିଆଇ ଦ୍ବାରା ମହାପ୍ରବନ୍ଧକ ପଦରେ ନିଯୁକ୍ତ ହୋଇଥିଲେ। ହେଲେ ଘରୋଇ କ୍ରିକେଟ୍‌ ପାଇଁ ତାଙ୍କ ଯୋଜନାରେ ବୋର୍ଡ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଯାହାଫଳରେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଛି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ହଁ, ତାଙ୍କୁ ଇସ୍ତଫା ପାଇଁ କୁହାଯାଇଛି। କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀ‌ରେ ଘରୋଇ କ୍ରିକେଟ୍‌ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସେ ସକ୍ଷମ ହୋଇନଥିଲେ। ଯାହାକି ତାଙ୍କୁ ପଦ ଛାଡ଼ିବାକୁ କୁହାଯିବାର ଅନ୍ୟତମ କାରଣ ବୋଲି ବିସିସିଆଇ କହିଛି। କରିମ ଘରୋଇ କ୍ରିକେଟ୍‌ ଫେରିବାର କୌଣସି ଯୋଜନା ପ୍ରଣୟନ କରିପାରିନଥିବାରୁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଆରମ୍ଭ ହେବାର ସମ୍ଭାବନା ନାହିଁ। ପୁଣି ଆଇପିଏଲ୍‌ ଯଦି ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ କରାଯାଏ, ତାହାଲେ ସେହି ସମୟରେ ଘରୋଇ କ୍ରିକେଟ୍‌ ଆଦୌ ଖେଳାଯାଇପାରିବନି। ତେଣୁ କରିମ୍‌ ତାଙ୍କ କାର୍ଯ୍ୟ ତୁଲାଇବାରେ ଅସମର୍ଥ ବୋଲି ବିସିସିଆଇ ଅନୁଭବ କରି ତାଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର