ସାବଚେଙ୍କୋ-ମାସଟ୍‌ଙ୍କ ବିଶ୍ୱ କୀର୍ତ୍ତିମାନ

ଶୀତକାଳୀନ ଅଲିମ୍ପିକ୍ସ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଜର୍ମାନିର ଫିଗର ସ୍କେଟର୍‌ ଅଲ୍‌ଜୋନା ସାବଚେଙ୍କୋ ଏବଂ ବ୍ରୁନୋ ମାସଟ୍‌ ଯୋଡ଼ି ଫ୍ରିସ୍କେଟ୍‌ରେ ଗୁରୁବାର ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଏହି ଜର୍ମାନି ଯୋଡ଼ି ଚଳିତ ଶୀତକାଳୀନ ଅଲିମ୍ପିକ୍ସ ଫ୍ରିସ୍କେଟ୍‌ ଗ୍ରାଁ ପ୍ରି ଫାଇନାଲ୍‌ରେ ୧୫୭.୨୫ ପଏଣ୍ଟ୍‌ ହାସଲ କରି ଏହି କୀର୍ତିମାନ ସହ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲେ। ଏମାନଙ୍କ ପଛକୁ ବିଶ୍ୱ ବିଜେତା ଯୋଡ଼ି ଚୀନ୍‌ର ସୁଇ େଓ୍ଵନ୍‌ଜିଙ୍ଗ୍‌ ଏବଂ ହାନ୍‌ କଙ୍ଗ୍‌ ରୌପ୍ୟ ଏବଂ କାନାଡ଼ାର ମିଗ ଦୁହାମେଲ ଓ ଏରିକ୍‌ ରାଡଫୋର୍ଡ କାଂସ୍ୟ ପଦକ ପାଇଥିଲେ।

ଅନ୍ୟପକ୍ଷରେ ଅଲ୍‌ପାଇନ୍‌ ସ୍କିଙ୍ଗ୍‌ ମହିଳା ଜିଆଣ୍ଟ୍‌ ସ୍ଲାଲୋମ୍‌ ରନ୍‌-୧ରେ ନରେଓ୍ଵକୁ ଅକ୍ସିଲ୍‌ ଲୁଣ୍ଡ୍‌ ସିନ୍ଦଲ ଓ ଜେଟିଲ୍‌ ଜାନ୍‌ସରୁଡ୍‌ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଭେଟି ଦେଇଥିଲା ବେଳେ ସୁଇଜରଲାଣ୍ଡ୍‌ର ବିଟ୍‌ ଫୁଜ୍‌ କାଂସ୍ୟ ପଦକ କରାୟତ କରିଥିଲେ। ଅଲ୍‌ପାଇନ୍‌ ସ୍କିଙ୍ଗ୍‌ ମହିଳା ଜିଆଣ୍ଟ୍‌ ସ୍ଲାଲୋମ୍‌ ରନ୍‌-୨ରେ ଆମେରିକାର ମିକାଇଲା ସିଫ୍ରିନ୍‌ଙ୍କୁ ସ୍ୱର୍ଣ୍ଣ, ନରେଓ୍ଵର ରାଗ୍ନିଲ୍‌ ମୋଙ୍କିଲ୍‌ଙ୍କୁ ରୌପ୍ୟ ଏବଂ ଇଟାଲିର ଫେଡେରିକା ବ୍ରିଗ୍‌ନନ୍‌ଙ୍କୁ କାଂସ୍ୟ ପଦକ ମିଳିଥିଲା। ବାଇଥଲନ୍‌ ୧୫ କିମି ମହିଳା ଏକକରେ ସ୍ୱିଜରଲାଣ୍ଡ୍‌ର ହାନା ଓଏବର୍ଗ ସ୍ୱର୍ଣ୍ଣ, ସ୍ଲୋଭାକିଆର ଆନାସ୍ତାସିଆ କୁଜମିନା ରୌପ୍ୟ ଏବଂ ଜର୍ମାନିର ଲାଉରା ଦାଲମିର କାଂସ୍ୟ ପଦକ ଜିତିଥିଲେ। କ୍ରସ୍‌କଣ୍ଟ୍ରି ସ୍କିଙ୍ଗ୍‌ ମହିଳା ୧୦ କିମି ଫ୍ରିରେ ନରେଓ୍ଵର ରାଗ୍ନିଲ୍‌ ହାଗା ସ୍ୱର୍ଣ୍ଣ, ସ୍ୱିଜରଲାଣ୍ଡ୍‌ର ଚାର୍ଲୋଟ୍‌ କାଲ୍ଲା ରୌପ୍ୟ ଜିତିଥିଲା ବେଳେ ଫିନ୍‌ଲାଣ୍ଡ୍‌ର କ୍ରିଷ୍ଟା ପାର୍ମାକୋସିକ୍‌ ଏବଂ ମାରିଟ୍‌ ଜୋର୍ଜନ୍‌ କାଂସ୍ୟ ପଦକ ପାଇଥିଲେ। ସ୍ନୋବୋର୍ଡ କ୍ରସ୍‌ ବିଗ୍‌ରେ ଫ୍ରାନ୍ସର ପିରେ ଭଲ୍ଟର ସ୍ୱର୍ଣ୍ଣ, ଅଷ୍ଟ୍ରେଲିଆର ଜାରିଡ୍‌ ହଗ୍ସ ରୌପ୍ୟ ଏବଂ ସ୍ପେନ୍‌ର ରେଜିନୋ ହର୍ନାନ୍ଦେଜ କାଂସ୍ୟ ପଦକ କବ୍‌ଜା କରିଥିଲେ।

ବରଫ ଝଡ଼ରେ ୧୬ ଆହତ; ବହୁ କ୍ଷୟକ୍ଷତି

ବୁଧବାର ପ୍ରବଳ ବରଫ ଝଡ଼ ହେବାରୁ ୧୬ ଜଣ  ଅଲିମ୍ପିକ୍‌ କାର୍ଯ୍ୟକର୍ତା ଆହତ ହୋଇଛନ୍ତି। ଏହି ଝଡ଼ ଏତେ ତୀବ୍ର ଥିଲା ଯେ ବହୁ କଠିନ ଦ୍ରବ୍ୟ ସାଙ୍ଗକୁ ଆବର୍ଜନା ଉଡି ଆସି ପ୍ରତିଯୋଗିତା ଲାଗି ତିଆରି ହୋଇଥିବା ପ୍ରାୟ ୬୦ରୁ ଅଧିକ ପାଲ ଘର ବ୍ୟତୀତ ୧୨୦ ଷ୍ଟିଲ୍‌ ବାଡ଼ ଭାଙ୍ଗିଦେଇଥିଲା। ଏପରିକି ଅଧିକାଂଶ ଖାଦ୍ୟ ଷ୍ଟଲ୍‌ ମଧ୍ୟ ଚିନ୍‌ଛତ୍ର ହୋଇଯାଇଛି। ସେକେଣ୍ଡ୍‌ ପ୍ରତି ୭ ମିଟର ଗତିରେ ଝଡ଼ ପବନ ବହିଥିଲା। ଯେଉଥି ପାଇଁ ବୁଧବାର ଅଧିକାଂଶ ଇଭେଣ୍ଟ୍‌କୁ ସ୍ଥଗିତ ରଖାଯାଇ ପୁନଃ ସୂଚୀ କରାଯାଇଛି। ଆହତଙ୍କ ମଧ୍ୟରେ ଅଲିମ୍ପିକ୍ସର କାର୍ଯ୍ୟରତ ୧୩ କର୍ମଚାରୀ ସହ ୩ ଦର୍ଶକ ରହିଛନ୍ତି ବୋଲି ଅଲିମ୍ପିକ୍ସ କ୍ରୀଡ଼ାର ମୁଖପାତ୍ର ସୁଙ୍ଗ୍‌ ବେକ୍‌ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଝଡ଼ରେ ଉଡି ଆସିଥିବା ଅଳିଆ ଆବର୍ଜନାର ସଂସ୍ପର୍ଶରେ ଆସି ଅଧିକାଂଶ ସୁରକ୍ଷା କର୍ମୀ ସଂକ୍ରମଣରେ ପୀଡ଼ିତ ହୋଇଛନ୍ତି। ମୋଟା ଉପରେ ୨୦୦ ବ୍ୟକ୍ତି ଏହି ସଂକ୍ରମଣର ଶିକା ହୋଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର