ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ମହିଳା ଏକକ ଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ଆରିନା ସାବାଲେଙ୍କା ଓ ୮ ନମ୍ବର ଆମନ୍ଦା ଆନିସିମୋଭା ମୁହାଁମୁହିଁ ହେବେ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଗତ ସଂସ୍କରଣ ବିଜୟିନୀ ଏହି ବେଲାରୁଷ ସୁନ୍ଦରୀ ୪-୬, ୬-୩, ୬-୪ ସେଟ୍‌ରେ ବିଶ୍ବର ୪ ନମ୍ବର ଆମେରିକୀୟ ମହିଳା ଜେସିକା ପେଗୁଲାଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସାବା‌ଲେଙ୍କା ଫ୍ଲସିଂ ମିଡୋଜ୍‌ରେ ଲଗାତାର ଟ୍ରଫିଠୁ  ଗୋଟିଏ ବିଜୟ ଦୂରରେ ପହଞ୍ଚିଛନ୍ତି। ଯଦି ଫାଇନାଲ୍‌ରେ ଜିତନ୍ତି ତେବେ ସେ ସେରାନା ୱିଲିୟମ୍ସ (୨୦୧୨ରୁ ୨୦୧୪)ଙ୍କ ‌ରେକର୍ଡର ନିକଟବର୍ତ୍ତୀ ହେବେ। ପୂର୍ବରୁ ସାବାଲେଙ୍କା ଦୁଇ ଅଷ୍ଟ୍ରେଲିଆ ଓପନ୍‌ (୨୦୨୩ ଓ ୨୦୨୪)ରେ ଜିତିଥିଲେ।

Advertisment

ଅନ୍ୟ ପକ୍ଷରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଲକ୍ଷ୍ୟରେ ଥିବା ୱିମ୍ବଲଡନ୍‌ ଉପବିଜୟିନୀ ଆମେରିକାର ଆନିସିମୋଭା ୬-୭, ୭-୬, ୬-୩ ସେଟ୍‌ରେ ୪ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଜାପାନର ନାଓମି ଓସାକାଙ୍କୁ ମାତ୍‌ ଦେଇଥିଲେ। ଏଠାରେ ୨୦୨୧ରେ ଟ୍ରଫି ଜିତିଥିବା ଓସାକା ପ୍ରଥମ ସେଟ୍‌ ଜିତି ଭଲ ଆରମ୍ଭ କରିଥି‌ଲେ। ହେଲେ ପରବର୍ତ୍ତୀ ଦୁଇ ସେଟ୍‌କୁ ଆନିସିମୋଭା ଜିତି ପ୍ରଥମ ଥର ୟୁଏସ୍‌ ଓପନ୍‌ ଟ୍ରଫି ଦୌଡ଼ରେ ସାମିଲ ହୋଇଥିଲେ। ଈଗା ସ୍ବିତେକଙ୍କୁ ସେମିଫାଇନାଲ୍‌ରେ ହରାଇ ୱିମ୍ବଲଡନ୍‌ ଫାଇନାଲ୍‌‌ ପ୍ରତିଶୋଧ ନେଇଥିବା ୨୪ ବର୍ଷୀୟା ଆନିସିମୋଭାଙ୍କ ଏହା ଲଗାତାର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌।

ସେମିରେ ଅଟକିଲେ ଭାମ୍ବ୍ରି

ଭାରତୀୟ ଟେନିସ ‌ଖେଳାଳି ୟୁକି ଭାମ୍ବ୍ରିଙ୍କ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାର ସ୍ବପ୍ନ ସେମିଫାଇନାଲ୍‌ରେ ଅଟକିଯାଇଛି। ପ୍ରଥମ ଥର ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌‌ରେ ପହଞ୍ଚିଥିବା ଭାମ୍ବ୍ରି ଓ ତାଙ୍କ ନ୍ୟୁଜିଲାଣ୍ଡ ସାଥୀ ମାଇକେଲ ଭେନସ୍‌ ଟ୍ରଫି ଲଢ଼େଇ ପୂର୍ବରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଫ୍ଲସିଂ ମିଡୋଜ୍‌ରେ ଖେଳାଯାଇଥିବା ‌ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ଏହି ଇଣ୍ଡୋ-କିୱି ଯୋଡ଼ି କଡ଼ା ସଂଘର୍ଷ କରି ୭-୬, ୬-୭, ୪-୬ ସେଟ୍‌ରେ ଷଷ୍ଠ ସିଡ୍ ବ୍ରିଟେନ୍‌ର ଜୋ ସାଲିସ୍‌ବୁରି ଓ ନିଲ୍ ସ୍କୁପସ୍କିଙ୍କଠୁ ହାରିଯାଇଥିଲେ। ଭାମ୍ବ୍ରି ଓ ଭେନସ୍‌ ପ୍ରଥମ ସେଟ୍‌‌କୁ ଟାଇବ୍ରେକର୍‌ରେଜ ଜିତିଥିଲେ। ଦ୍ବିତୀୟ ସେଟ୍‌ ଟାଇବ୍ରେକର୍‌ରେ ହାରିଯିବାରୁ ସ୍ଥିତି ସମାନ ହୋଇଯାଇଥିଲା। ଶେଷ ଗେମ୍‌କୁ କିନ୍ତୁ ବ୍ରିଟିସ୍‌ ଯୋଡ଼ି ଜିତି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ପୂରା ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଇଣ୍ଡୋ-କିୱି ଯୋଡ଼ି ସିଧାସଳଖ ସେଟ୍‌ରେ ମାର୍କସ ଗିରନ ଓ ଲର୍ଣ୍ଣର ତିଏନ୍‌ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଏହା‌ପରେ ଗୋଞ୍ଜାଲା ସ୍କୋବର ଓ ମିଗୁଏଲ ଆଞ୍ଜେଲ ରେୟାଜ-ଭାରେଲାଙ୍କୁ, ଟିମ୍‌ ପୁଜ୍‌ ଓ କେଭିନ୍‌ କ୍ରାୱିଜ୍‌ଙ୍କୁ ଏବଂ ନିକୋଲା ମେକଟିମ୍ ଓ ରାଜୀବ ରାମଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ।