କ୍ବାର୍ଟରରେ ସାବଲେଙ୍କା, ଜୋକୋଭିକ; ସ୍ବିତେକ, ରୁବଲେଭ ବିଦା

ଲଣ୍ଡନ: ପୂର୍ବତନ ଫ୍ରେଞ୍ଚ ଓପନ୍‌ ବିଜୟିନୀ ପୋଲାଣ୍ଡର ଇଗା ସ୍ବିତେକ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭଙ୍କ ୱିମ୍ବଲଡନ୍‌ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଛି। ସୋମବାର ମହିଳା ଏକକରେ ୨୧ ମାନ୍ୟତାପ୍ରାପ୍ତ ଓନ୍ସ ଜାବେର ୭-୫, ୧-୬, ୧-୬ ସେଟ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ସ୍ବିତେକଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଏଥିସହ ଜାବେର ପ୍ରଥମ ଆରବୀୟ ମହିଳା ଭାବେ ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବାର ଗୌରବ ଅର୍ଜନ କରିଥିଲେ। ଏହି ୨୬ ବର୍ଷୀୟା ଟ୍ୟୁନିସିଆ ଖେଳାଳି କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କାଙ୍କୁ ଭେଟିବେ। ବେଲାରୁଷର ସାବଲେଙ୍କା ୬-୩, ୪-୬, ୬-୩ ସେଟ୍‌ରେ ଅ‌ଷ୍ଟାଦଶ ମାନ୍ୟତାପ୍ରାପ୍ତ କାଜଖସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରିଥିଲେ। ‌

ଅନ୍ୟ ମହିଳା ତାରକାଙ୍କ ମଧ୍ୟରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି, ଅ‌ଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଏବଂ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆଞ୍ଜେଲିକ୍‌ କର୍ବର ନିଜ ନିଜ ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ୨୦୧୯ ଫ୍ରେଞ୍ଚ ଓପନ୍‌ ବିଜୟିନୀ ଅଷ୍ଟ୍ରେଲିଆର ବାର୍ଟି ସିଧାସଳଖ ୭-୫, ୬-୩ ସେଟ୍‌ରେ ରୋଲାଁ ଗ‌ାରୋସ ବିଜୟିନୀ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେଜିଁକୋଭାଙ୍କୁ, ଚେକ୍‌ଗଣରାଜ୍ୟର ପ୍ଲିସକୋଭା ୬-୨, ୬-୩ ସେଟ୍‌ରେ ରୁଷିଆର ଲୁଡମିଲା ସାମସୋନୋଭାଙ୍କୁ ଏବଂ ୨୫ ମାନ୍ୟତାପ୍ରାପ୍ତ ଜର୍ମାନିର କର୍ବର ସିଧାସଳଖ ୬-୪, ୬-୪ ସେଟ୍‌ରେ ୨୦ ମାନ୍ୟତାପ୍ରାପ୍ତ ଆମେରିକାର କୋକୋ ଗଫ୍‌ଙ୍କୁ ହରାଇଥିଲେ।

ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ୧୯ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିଆର ନୋଭାକ ଜୋକୋଭିକ ପହଞ୍ଚିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ ୩୪ ବର୍ଷୀୟ ଜୋକୋଭିକ ସିଧାସଳଖ ୬-୨, ୬-୪, ୬-୨ ସେଟ୍‌ରେ ଚିଲିର କ୍ରିଷ୍ଟିଆନ୍‌ ଗାରିନଙ୍କୁ ହରାଇ ୫୦ତମ ଗ୍ରାଣ୍ଡ୍ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସପ୍ତମ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି, ଦଶମ ମାନ୍ୟତାପ୍ରାପ୍ତ ଡେନିସ ସାପୋଭାଲୋଭ, ୨୫ ମାନ୍ୟତାପ୍ରାପ୍ତ କରେନ ଖାଚାନୋଭ କ୍ବାର୍ଟାର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଇଟାଲିର ବେରେତିନି ୬-୪, ୬-୩, ୬-୧ ସେଟ୍‌ରେ ବେଲାରୁଷର ଲିଆ ଇଭାସ୍କାଙ୍କୁ, କାନାଡ଼ାର ସାପୋଭାଲୋଭ ୬-୧, ୬-୩, ୭-୫ ସେଟ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ରବୋର୍ତ ବୌତିସା ଅଗୁଟଙ୍କୁ ଏବଂ ରୁଷିଆର ଖାଚାନୋଭ ୩-୬, ୬-୪, ୬-୩, ୫-୭, ୧୦-୮‌ ସେଟ୍‌ରେ ଆମେରିକାର ସେବସ୍ତିଆନ୍‌ କୋର୍ଡାଙ୍କୁ ପରାସ୍ତ କରିଥିଲେ। ତେବେ ରୁଷିଆର ‌ରୁବଲେଭ ୩-୬, ୬-୪, ୬-୪, ୦-୬, ୩-୬ ସେଟ୍‌ରେ ହଙ୍ଗେରିର ମାର୍ଟନ ଫୁସୋଭିକ୍ସଙ୍କଠୁ ହାରି ବିଦାୟ ନେଇଥିଲେ। ପୂର୍ବବିଜେତା ରୋଜର ଫେଡେରର୍‌ ଓ ‌ଲୋରେ‌େଞ୍ଜାଙ୍କ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ସେହିଭଳି ଡାନିଏଲ୍‌ ମେଦ୍‌ଭେଦେବ ଓ ଆଲେକ୍‌ଜାଣ୍ଡର ଭେରେବଙ୍କ ମ୍ୟାଚ୍‌ ମଧ୍ୟ ଅଧାରୁ ଅଟକି ଯାଇଥିଲା। ଯାହା ପ୍ରଶଂସକଙ୍କ ପାଇଁ ନିରାଶାଜନକ ହୋଇଥିଲା।

ସମ୍ବନ୍ଧିତ ଖବର