ମେଲ୍‌ବର୍ଣ୍ଣ: ପୂର୍ବତନ ଏକ ନମ୍ବର କାରୋଲିନ୍‌ ଓଜ୍‌ନିଆକି ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ ଓନ୍ସ ଜବିଉର୍‌ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ଦୁଇ ତାରକାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି ରୁଷିଆର ଦୁଇ ତରୁଣୀ ଟେନିସ୍‌ ସୁନ୍ଦରୀ। ବୁଧବାର ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ପୂର୍ବତନ ବିଜେତା ଡେନ୍‌ମାର୍କର ଓଜ୍‌ନିଆକିଙ୍କୁ ୧-୬, ୬-୪, ୬-୧ ସେଟ୍‌ରେ କ୍ବାଲିଫାୟାର ୨୦ ବର୍ଷୀୟା ମାରିଆ ତିମୋଫୀଭା ଏବଂ ଟ୍ୟୁନିସିଆର ଜବିଉର୍‌ଙ୍କୁ ୬-୦, ୬-୨ ସେଟ୍‌ରେ ୧୬ ବର୍ଷୀୟା ମୀରା ଆନ୍ଦ୍ରୀଭା ହରାଇଛନ୍ତି। ଅନ୍ୟତାରକା ମହିଳା ଖେଳାଳି ଭାବେ ବେଲାରୁଷର ଆରିନା ସାବାଲେଙ୍କା, ଆମେରିକାର କୋକୋ ଗଫ୍‌, ଗ୍ରିକ୍‌ର ମାରିଆ ସାକାରି, ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା, ବ୍ରାଜିଲର ବିତ୍ରିଜ୍‌ ହାଡାଡ ମାଇଆ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରପ୍ତ ‌ତଥା ବିଜୟିନୀ ସାବାଲେଙ୍କା ୬-୩, ୬-୨ ସେଟ୍‌ରେ ଚେକ୍‌ ଗଣରାଜ୍ୟର ୧୬ ବର୍ଷୀୟା ବ୍ରେଣ୍ଡା‌ ଫ୍ରୁଭିର୍ତୋଭାଙ୍କୁ, ୪ ନମ୍ବର ‌ଗଫ୍‌ ୭-୬, ୬-୨ ସେଟ୍‌ରେ ନିଜ ଦେଶର କାରୋଲିନ୍‌ ଡୋଲେହିଡ୍‌ଙ୍କୁ, ସାକାରି (ଅଷ୍ଟମ) ୬-୪, ୬-୪ ସେଟ୍‌ରେ ରୁଷିଆର ଏଲିନା ଆଭାନେସିନ୍‌ଙ୍କୁ, କ୍ରେସିକୋଭା ୬-୨, ୬-୨ ସେଟ୍‌ରେ ଜର୍ମାନିର ତାମାରା କୋର୍ପୋଚଙ୍କୁ, ମାଇଆ ୬-୧, ୬-୧ ସେଟ୍‌ରେ ରୁଷିଆର ଏଲିନା କୋର୍ନୀଭାଙ୍କୁ ହରାଇଛନ୍ତି।

Advertisment

ପୁରୁଷ ଏକକରେ ୨୪ ଗ୍ରାଣ୍ଡସ୍ଲାମ୍‌ ବିଜେତା ବିଶ୍ବର ଏକ ନମ୍ବର ନୋଭାକ ଜୋକୋଭିକଙ୍କ ବିଜୟ ଜାରି ରହିଛି। ଦ୍ବିତୀୟ ରାଉଣ୍ଡରେ ଏହି ସର୍ବିୟା ତାରକା ୬-୩, ୪-୬, ୭-୬, ୬-୩ ସେଟ୍‌ରେ ଅଷ୍ଟ୍ରେଲିଆର ଆଲେକ୍ସାଇ ପପିରିନ୍‌ଙ୍କୁ ହରାଇ ମେଲ୍‌ବର୍ଣ୍ଣରେ ୧୧ତମ ଏବଂ ମୋଟ ଉପରେ ୨୫ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଟାଲିର ଜାନିକ ସିନ୍ନର, ରୁଷିଆର ଆନ୍ଦ୍ରେ ରୁବଲେଭ, ଗ୍ରିସ୍‌ର ଷ୍ଟିଫାନସ ସିସିପାସ, ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୁର, ଆମେରିକାର ଟେଲର ଫ୍ରିଜ ନିଜ ନିଜ ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଚତୁର୍ଥ ମାନ୍ୟତାପ୍ରାପ୍ତ ସିନ୍ନର ‌୬-୨, ୬-୨, ୬-୨ ସେଟ୍‌ରେ ନେଦରଲାଣ୍ଡ୍‌ସର ଜେସପର ଡି’ଜଙ୍ଗ, ରୁବଲେଭ (ପଞ୍ଚମ) ୬-୪, ୬-୪, ୬-୪ ସେଟ୍‌ରେ ଆମେରିକାର ଖ୍ରିଷ୍ଟୋଫର ୟୁବାଙ୍କ୍ସ, ସିସିପାସ (ସପ୍ତମ) ୪-୬, ୭-୬, ୬-୨, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍‌ଙ୍କୁ, ମିନୁର (ଦଶମ) ୬-୩, ୬-୦, ୬-୩ ସେଟ୍‌ରେ ଇଟାଲିର ମାତିଓ ଅର୍ଣ୍ଣାଲଡିଙ୍କୁ, ଫ୍ରିଜ୍‌ (ଦ୍ବାଦଶ) ୬-୦, ୬-୩, ୬-୧ ସେଟ୍‌ରେ ଫ୍ରାନ୍ସର ହୁଗୋ ଗାଷ୍ଟନଙ୍କୁ ପରାସ୍ତ କରିଛନ୍ତି।