ମେଲ୍ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଅଷ୍ଟମ ଦିବସରେ ମହିଳା ଏକକରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ଏବଂ ପୂର୍ବତନ ଏକନମ୍ବର ସିମୋନା ହାଲେପଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍ରେ ଶେଷ ହୋଇଛି। ଇସ୍ତୋନିଆର ୩୬ ବର୍ଷୀୟା କାଇଆ କାନେପି ୫-୭, ୬-୨, ୭-୬ ସେଟ୍ରେ ବେଲାରୁଷର ସାବଲେଙ୍କାଙ୍କୁ ଏବଂ ଫ୍ରାନ୍ସର ଆଲିଜ୍ କୋର୍ନେଟ ୬-୪, ୩-୬, ୬-୪ ସେଟ୍ରେ ରୋମାନିଆର ହାଲେପଙ୍କୁ ହରାଇ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ କାନେପି ସପ୍ତମ ମାନ୍ୟତାପ୍ରାପ୍ତ ଇଗା ସ୍ବିତେକଙ୍କୁ ଏବଂ କର୍ନେଟ ୨୭ ମାନ୍ୟତାପ୍ରାପ୍ତ ଡାନିଲେ କଲିନ୍ସଙ୍କୁ ଭେଟିବେ। ୨୦୨୦ ଫ୍ରେଞ୍ଚ୍ ଓପନ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ୫-୭, ୬-୩, ୬-୩ ସେଟ୍ରେ ରୋମାନିଆର ସେରାନା କିର୍ଷ୍ଟିୟାଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଏଠାରେ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ। ଆମେରିକାର କଲିନ୍ସ ୪-୬, ୬-୪, ୬-୪ ସେଟ୍ରେ ଏଲିସ ମର୍ତେନ୍ସଙ୍କୁ ମାତ୍ ଦେଇଥିଲେ।
ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫୋନାସ ସିସିପାସ ପ୍ରବେଶ କରିଛନ୍ତି। ରୁଷୀୟ ତାରକା ମେଦଭେଦେଭ ୬୨, ୭-୬, ୬-୭, ୭-୫ ସେଟ୍ରେ ଆମେରିକାର ମାକ୍ସିମେ କ୍ରେସିଙ୍କୁ ଏବଂ ଗ୍ରିକ୍ର ସିସିପାସ ୪-୬, ୬-୪, ୪-୬, ୬-୩, ୬-୪ ସେଟ୍ରେ ବିଂଶ ମାନ୍ୟତାପ୍ରାପ୍ତ ଆମେରିକାର ଟେଲର ଫ୍ରିଜ୍ଙ୍କୁ ହରାଇଥିଲେ। ସେମିଫାଇନାଲ୍ ସ୍ଥାନ ପାଇଁ ମେଦଭେଦେଭ ନବମ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର-ଆଲିଆସିମେଙ୍କୁ ଏବଂ ସିସିପାସ ଏକାଦଶ ମାନ୍ୟତାପ୍ରାପ୍ତ ଜାନିକ ସିନରଙ୍କୁ ଭେଟିବେ। କାନାଡ଼ାର ଅଗର-ଆଲିଆସିମେ ୨-୬, ୭-୬, ୬-୨, ୭-୬ ସେଟ୍ରେ କ୍ରୋଏସିଆର ମାରିନ ସିଲିକ୍ଙ୍କୁ ଏବଂ ଇଟାଲିର ସିନର ୭-୬, ୬-୩, ୬-୪ ସେଟ୍ରେ ସ୍ଥାନୀୟ ଖେଳାଳି ଆଲେକ୍ସ ଡି’ମିନାଉରଙ୍କୁ ପରାସ୍ତ କରିଥିଲେ।