ମେଲ୍ବର୍ଣ୍ଣ: ବିଶ୍ବର ଦୁଇ ନମ୍ବର ଈଗା ସ୍ବିତେକ୍ଙ୍କ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ସ୍ବପ୍ନ ପୁଣି ଘୁଞ୍ଚିଛି। ହ୍ୟାଟ୍ରିକ୍ ସହ ୪ ୱିମ୍ବଲଡନ୍ ଏବଂ ଥରେ ୟୁଏସ୍ ଓପନ୍ ଜିତିଥିବା ଏହି ପୋଲାଣ୍ଡ ମହିଳା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରୁ ବିଦାୟ ନେଇଛନ୍ତି। ଗୁରୁବାର ଦ୍ବିତୀୟ ମହିଳା ଏକକ ସେମିଫାଇନାଲ୍ରେ ୨୦୧୭ ୟୁଏସ୍ ଓପନ୍ ଫାଇନାଲିଷ୍ଟ୍ ୧୯ ମାନ୍ୟତାପ୍ରାପ୍ତ ମାଡିସନ୍ କିଜ୍ ୫-୭, ୬-୧, ୭-୬ ସେଟ୍ରେ ସ୍ବିତେକ୍ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ଏଥିସହ ଏହି ଆମରିକୀୟ ମହିଳା ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ ଓ ପ୍ରଥମ ଥର ଲାଗି ମେଲ୍ବର୍ଣ୍ଣରେ ଫାଇନାଲ୍ରେ ପହଞ୍ଚିଛନ୍ତି।
ଶନିବାର ଫାଇନାଲ୍ରେ ସେ ବିଶ୍ବର ଏକ ନମ୍ବର ତଥା ଗତ ଦୁଇ ସଂସ୍କରଣ ବିଜୟିନୀ ଆରିନା ସାବାଲେଙ୍କାଙ୍କୁ ଭେଟିବେ। ରଡ୍ ଲାଭର ଏରିନାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ସାବାଲେଙ୍କା ସିଧାସଳଖ ୬-୪, ୬-୨ ସେଟ୍ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ସ୍ପେନ୍ର ପୌଲା ବଦୋସାଙ୍କୁ ହରାଇଛନ୍ତି। ବିଜୟ ସହ ଏହି ୨୬ ବର୍ଷୀୟା ବେଲାରୁଷ ମହିଳା ଲଗାତାର ତୃତୀୟ ଥର ଫାଇନାଲ୍ରେ ପହଞ୍ଚି ହ୍ୟାଟ୍ରିକ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି। ଯଦି ଏହି ୟୁଏସ୍ ଓପନ୍ ବିଜୟିନୀ ମେଲ୍ବର୍ଣ୍ଣରେ ଟ୍ରଫି ଜିତନ୍ତି ତେବେ ସେ ଲଗାତାର ୩ ଅଷ୍ଟ୍ରେଲିଆନ୍ ଟ୍ରଫି ଜିତିବାରେ ୧୯୯୯ ପରେ ପ୍ରଥମ ମହିଳା ହେବେ। ଏଥିସହ ସେ ଏହା କରିବାରେ ମାର୍ଗାରେଟ୍ କୋର୍ଟ, ଇଭୋନି ଗୁଲାଗଙ୍ଗ, ଷ୍ଟେଫି ଗ୍ରାଫ୍, ମୋନିକା ସେଲ୍ସ ଓ ମାର୍ଟିନା ହିଙ୍ଗିସ୍ଙ୍କ ସମକକ୍ଷ ହେବ। ହିଙ୍ଗିସ୍ ଶେଷ ମହିଳା ଖେଳାଳି ଭାବେ ୧୯୯୯ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।