ନ୍ୟୁୟର୍କ: ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଟପ୍ ସିଡ୍ ଆରିନା ସାବାଲେଙ୍କା ଚଳିତ ୟୁଏସ୍ ଓପନ୍ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ତା’ ସହିତ ଆମେରିକୀୟ କିଂବଦନ୍ତି ସେରେନା ୱିଲିୟମ୍ସ (୨୦୧୨-୨୦୧୪)ଙ୍କ ପରେ ଦ୍ବିତୀୟ ଖେଳାଳିଭାବେ ଏହି ସମ୍ମାନଜନକ ପ୍ରତିଯୋଗିତାର ଟ୍ରଫି ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି। ଗତବର୍ଷ ମଧ୍ୟ ସେ ଏଠାରେ ବିଜୟ ବାନା ଉଡ଼ାଇଥିଲେ। ଏହି ୨୭ବର୍ଷୀୟା ବେଲାରୁଷ ତାରକା ଏହା ପୂର୍ବରୁ ୨୦୨୩ ଓ ୨୦୨୪ରେ ଲଗାତାର ଦୁଇବର୍ଷ ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ।

Advertisment

ଗତବର୍ଷ ଫ୍ଲସିଂ ମିଡୋସ୍‌ରେ ନିଜ କ୍ୟାରିୟରର ପ୍ରଥମ ୟୁଏସ୍ ଓପନ୍ ଟ୍ରଫି ଜିତିଥିଲେ। ଏହି ଐତିହାସିକ ବିଜୟ ପରେ ଭାବବିହ୍ବଳ ସାବାଲେଙ୍କା ନିଜ  କୋଚିଂ ଷ୍ଟାଫ୍, ପରିବାର ଓ ସମର୍ଥକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ସାବାଲେଙ୍କା ଥିଲେ ହଟ୍ ଫେଭରିଟ୍। ସେ ମଧ୍ୟ ଆଦୌ ନିରାଶ କରି ନଥିଲେ। ସ୍ଥାନୀୟ ଖେଳାଳି ତଥା ଅଷ୍ଟମ ସିଡ୍ ଆମଣ୍ଡା ଆନିସିମୋଭାଙ୍କୁ ବିପକ୍ଷରେ ପ୍ରଥମ ସେଟ୍‌କୁ ସହଜରେ ୬-୩ରେ ଜିତି ନେଇଥିଲେ। ଦ୍ବିତୀୟ ‌ସେଟ୍‌ରେ ଆନିସିମୋଭା କଡ଼ା ଟକ୍କର ଦେଇଥିଲେ। ତେବେ ଏହାକୁ ଟାଇବ୍ରେକର୍‌ରେ ୭-୬ (୩)ରେ ଜିତି ସାବାଲେଙ୍କା ପୁଣି ଥରେ ବିଜୟିନୀ ହୋଇଥିଲେ।