ମେଲ୍ବର୍ଣ୍ଣ : ଏଥର ଅଷ୍ଟ୍ରେଲିଆନ୍ ଓପନ୍ ଦେଖିଲା ନୂଆ ବିଜୟିନୀ। ମେଲ୍ବର୍ଣ୍ଣ ପାର୍କରେ ଶନିବାର ଫାଇନାଲ୍ରେ ୱିମ୍ବଲଡନ୍ ବିଜୟିନୀ କାଜାକସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରି ବେଲାରୁଷ ଲଳନା ଆରିନା ସାବାଲେଙ୍କା ମହିଳା ଏକକ ଟ୍ରଫି ଜିତିନେଲେ। ଏଥି ସହିତ ଆଡିଲେଡ୍ ବିଜୟିନୀ ସାବାଲେଙ୍କା ମଧ୍ୟ ପ୍ରଥମ ଥର ଗ୍ରାଣ୍ଡ୍ ସ୍ଲାମ୍ ବିଜୟନୀ ହେବାର ଗୌରବ ବହନ କରିଛନ୍ତି। ଶନିବାର ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଏକକ ଟ୍ରଫି ପାଇଁ ଲଢ଼ିଥିଲେ ପଞ୍ଚମ ମାନ୍ୟତାପ୍ରାପ୍ତ ସାବାଲେଙ୍କା ଏବଂ ୨୨ତମ ମାନ୍ୟତାପ୍ରାପ୍ତ ରିବାକିନା।
ମହିଳା ଏକକ ଫାଇନାଲ୍ରେ ୱିମ୍ବଲଡନ୍ ବିଜୟିନୀ ରିବାକିନାଙ୍କୁ ପରାସ୍ତ କଲେ
ଗ୍ରାଣ୍ଡ୍ ସ୍ଲାମ୍ ଜିତିବାରେ ପ୍ରଥମ ନିରପେକ୍ଷ ଖେଳାଳି
ମହିଳା ଟେନିସ୍ରେ ଦୁଇ ଶକ୍ତିଶାଳୀ ଖେଳାଳି ଭାବେ ପରିଗଣିତ ସାବାଲେଙ୍କା ଓ ରିବାକିନାଙ୍କ ମଧ୍ୟରେ ଫାଇନାଲ୍ ଲଢ଼େଇ ମଧ୍ୟ ରୋଚକପୂର୍ଣ୍ଣ ଥିଲା। ପ୍ରଥମ ସେଟ୍କୁ ରିବାକିନା ଜିତିବା ପରେ ସାବାଲେଙ୍କା ପ୍ରତ୍ୟାବର୍ତନ କରିଥିଲେ। ସେ ପରବର୍ତୀ ଦୁଇ ସେଟ୍କୁ ଜିତି ମ୍ୟାଚ୍ ନିଜ ପକ୍ଷକୁ ନେଇଯାଇଥିଲେ। ସେ ୪-୬, ୬-୩ ଓ ୬-୪ ସେଟ୍ରେ ରିବାକିନାଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ଥର ପାଇଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ତୋଳି ଧରିଥିଲେ। ପୁଣି ସ୍ଥିର ପ୍ରଦର୍ଶନ ବଳରେ ଚଳିତ ବର୍ଷ କ୍ରମାଗତ ୧୧ ବିଜୟ ବଳରେ ୨୪ ବର୍ଷ ବୟସ୍କା ସାବାଲେଙ୍କା ମଧ୍ୟ ଡବ୍ଲୁଟିଏ ମାନ୍ୟତାରେ କ୍ୟାରିୟର ଶ୍ରେଷ୍ଠ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ଏବେ ସେ ମାନ୍ୟତାରେ କେବଳ ଈଗା ସ୍ବିତେକଙ୍କ ପଛକୁ ରହିଛନ୍ତି। ତେବେ ଚଳିତ ବର୍ଷ ୧୧ ମ୍ୟାଚ୍ ଖେଳିଥିବା ସାବାଲେଙ୍କା ପ୍ରଥମ ଥର ପାଇଁ ଗୋଟିଏ ସେଟ୍ ହାରିଥିଲେ। ଏହାପରେ କିନ୍ତୁ ସେ ନିଜକୁ ନିୟଂନ୍ତ୍ରଣରେ ରଖି ଦ୍ବିତୀୟ ସେଟ୍ରେ ଦୁଇଟି ବ୍ରେକ୍ ପଏଣ୍ଟ୍ ବଞ୍ଚାଇବା ପରେ ତୃତୀୟ ସେଟ୍ରେ ଦୁଇଟି ଏସ୍ ମାରି ମ୍ୟାଚ୍ ଜିତି ନେଇଥିଲେ। ଏହି ମ୍ୟାଚ୍ରେ ସାବାଲେଙ୍କା ମୋଟ ୧୨ଟି ଏସ୍ ମାରି ରିବାକିନାଙ୍କୁ ଘାଇଲା କରିଥିଲେ। ତେବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ କେନ୍ଦ୍ରକରି ମେଲ୍ବର୍ଣ୍ଣ ପାର୍କରେ ରୁଷିଆ ଓ ବେଲାରୁଷ ଖେଳାଳିମାନଙ୍କୁ ସେମାନଙ୍କ ଜାତୀୟ ସ୍ବୀକୃତି ବିନା କେବଳ ବ୍ୟକ୍ତିଗତ ଆଥ୍ଲେଟ୍ ଭାବେ ଅଷ୍ଟ୍ରେଲିଆନ୍ ଓପନ୍ରେ ଖେଳିବାକୁ ଅନୁମତି ମିଳିଥିଲା। ସେହି ଦୃଷ୍ଟିରୁ ସାବାଲେଙ୍କା ଏବେ ଏକ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବାରେ ପ୍ରଥମ ନିରପେକ୍ଷ ଆଥ୍ଲେଟ୍ ହୋଇଛନ୍ତି।
୨୨ତମ ଗ୍ରାଣ୍ଡ୍ ସ୍ଲାମ୍ ଲକ୍ଷ୍ୟରେ ଜୋକୋଭିକ୍: ଆଜି ସିସିପାସ୍ଙ୍କ ସହ ଲଢ଼ିବେ
ସର୍ବିୟା ତାରକା ନୋଭାକ୍ ଜୋକୋଭିକ୍ ୨୨ତମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ଲକ୍ଷ୍ୟରେ ଆସନ୍ତାକାଲି ମେଲ୍ବର୍ଣ୍ଣ ପାର୍କକୁ ଓହ୍ଲାଇବେ। ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଫାଇନାଲ୍ରେ ରବିବାର ସେ ଗ୍ରିସ୍ ତାରକା ଷ୍ଟିଫାନୋସ୍ ସିସିପାସ୍ଙ୍କୁ ଭେଟିବେ। ସିସିପାସ୍ ବିଶ୍ବ ମାନ୍ୟତାର ତୃତୀୟ ଥିଲା ବେଳେ ଜୋକୋଭିକ୍ ଚତୁର୍ଥ ମାନ୍ୟତାପ୍ରାପ୍ତ। ତେବେ ସିସିପାସ୍ଙ୍କୁ ପରାସ୍ତ କରିପାରିଲେ ୯ ଥର ଏଠାରେ ବିଜେତା ହୋଇଥିବା ଜୋକୋଭିକ୍ ତାଙ୍କ ରେକର୍ଡ ୧୦କୁ ବଢ଼ାଇବେ। ୧୦ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ସାଙ୍ଗକୁ ସେ ମଧ୍ୟ ମୋଟ ୨୨ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାସଲ କରି ସ୍ପେନ୍ ତାରକା ରାଫେଲ ନାଦାଲଙ୍କ ସମକକ୍ଷ ହୋଇପାରିବେ। ଅନ୍ୟପକ୍ଷରେ ସିସିପାସ୍ ପ୍ରଥମ ଗ୍ରିସ୍ ଖେଳାଳି ଭାବେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି।