ନ୍ୟୁୟର୍କ: ବେଲରୁଷର ଆରିନା ସାବାଲେଙ୍କା ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତିଛନ୍ତି। ଫାଇନାଲ୍‌ରେ ବିଶ୍ବର ଏହି ଦୁଇ ନମ୍ବର ମହିଳା ଖେଳାଳି ୭-୫, ୭-୫ ସେଟ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଖେଳାଳି ଜେସିକା ପେଗୁଲାଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ‌ ସହ ‌ସାବାଲେଙ୍କା ନ୍ୟୁୟର୍କରେ ପ୍ରଥମ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ଏଥିସହ ସେ ନିଜ ଗ୍ରାଣ୍ଡ ସ୍ଲାମ୍‌ ବିଜୟ ସଂଖ୍ୟା ୩ରେ ପହଞ୍ଚାଇଛନ୍ତି। ପୂର୍ବରୁ ସାବାଲେଙ୍କା ଅଷ୍ଟ୍ରେଲିଆ ଓପନ୍‌ ଦୁଇ ଥର ଜିତିଛନ୍ତି। ୨୦୨୩ ଓ ଚଳିତ ବର୍ଷ ସେ ମେଲ୍‌ବର୍ଣ୍ଣରେ ବିଜୟିନୀ ହୋଇଥିଲେ। ୨୬ ବର୍ଷୀୟା ସାବାଲେଙ୍କା ମଧ୍ୟ‌ ଗୋଟିଏ ବର୍ଷରେ ହାର୍ଡକୋର୍ଟରେ ୨ଟି ଟ୍ରଫି ଜିତିବାରେ ଆଞ୍ଜେଲିକ୍‌ କର୍ବର (୨୦୧୬)ଙ୍କ ପରେ ପ୍ରଥମ ଖେଳାଳି ହୋଇଛନ୍ତି। ବିଜୟ ପରେ ଗତଥରର ‌ଉପବିଜୟିନୀ ଏବଂ ୨୦୨୨ ଓ ୨୦୨୩ର ସେମିଫାଇନାଲିଷ୍ଟ୍‌ ସାବାଲେଙ୍କା କହିଛନ୍ତି ଯେ ଅନେକ ଥର ମୁଁ ୟୁଏସ୍‌ ଓପନ୍‌ ମୁକୁଟର ନିକଟବର୍ତ୍ତୀ ହୋଇଛି। ‌ଏବେ ଏହାକୁ ହାସଲ କରିବାରେ ସଫଳ ହୋଇଛଇ। କେବେ ନିଜ ସ୍ବପ୍ନକୁ ଛାଡ଼ ନାହିଁ। କଠିନ ପରିଶ୍ରମ କରିଛି। ମୋ ପାଇଁ ଗର୍ବିତ।

Advertisment

ପୁର୍ସେଲ-ଥମ୍ପସନ୍‌ଙ୍କୁ ପୁରୁଷ ଯୁଗଳ ଟ୍ରଫି

ଅଷ୍ଟ୍ରେଲୀୟ ଯୋଡ଼ି ମ୍ୟାକ୍ସ ପୁର୍ସେଲ ଓ ଜୋର୍ଡାନ ଥମ୍ପସନ୍‌ ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ବିଶ୍ବର ଏହି ୭ ନମ୍ବର ଯୋଡ଼ି ୬-୪, ୭-୬ ସେଟ୍‌ରେ ଜର୍ମାନୀ ଯୋଡ଼ି କେଭିନ କ୍ରୱିଜ୍‌ ଓ ଟିମ୍‌ ପୁଏଜ୍‌ଙ୍କୁ ପରାସ୍ତ କରିଥିଲେ। ପୁର୍ସେଲ-ଥମ୍ପସନ୍‌ ୱିମ୍ବଲଡନ୍‌ ଫାଇନାଲ୍‌ରେ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ। ଏବେ ଏହି ଯୋଡ଼ି ଏକାଠି ଏଠାରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ଜିତିବାର ଗୌରବ ପାଇଛନ୍ତି। ଥମ୍ପସନ୍‌ଙ୍କ ଏହା ପ୍ରଥମ ଏବଂ ପୁର୍ସେଲଙ୍କ ଏହା ଦ୍ବିତୀୟ ଯୁଗଳ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି। ପୁର୍ସେଲ ୨୦୨୨ ୱିମ୍ବଲଡନ୍‌ରେ ମାଥ୍ୟୁ ଏ‌ବଡନ୍‌ଙ୍କ ସହ ଟ୍ରଫି ଜିତିଥିଲେ। ଏଥିସହ ପ୍ରଥମ ଅଷ୍ଟ୍ରେଲିଆ ଯୋଡ଼ି ଭାବେ ୧୯୯୬ (ଟଡ୍‌ ଉଡ୍‌ବ୍ରିଜ୍‌-ମାର୍କ ଉଡ୍‌ଫୋର୍ଡି) ପରେ ୟୁଏସ୍‌ ଓପନ୍‌ ପୁରୁଷ ଯୁଗଳ ଟ୍ରଫି ଜିତିବାରେ ଗୌରବ ପାଇଛନ୍ତି ପୁର୍ସେଲ ଓ ଥମ୍ପସନ୍‌।