ଶବର କପ୍ ଫୁଟ୍‌ବଲ୍‌ ସେମିରେ ମଙ୍ଗଳା କ୍ଲବ

ଖଣ୍ଡଗିରି: ଖୋର୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଆନୁକୂଲ୍ୟରେ ୨୧ତମ ଶବର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ କଟକର ମଙ୍ଗଳା କ୍ଲବ ବିଜୟୀ ହୋଇ ପ୍ରଥମ ଦଳଭାବେ ସେମି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। କଟକ ଦଳ ୧-୦ ଗୋଲ୍ ବ୍ୟବଧାନରେ ଜଟଣୀର ଫ୍ରେଣ୍ଡସ୍ ପାରାଡାଇଜ୍ ଦଳକୁ ପରାସ୍ତ କରିଛି। ପ୍ରଥମାର୍ଧର ୭ ମିନିଟ୍‌ରେ ୬ ନମ୍ବର ଖେଳାଳି ସନାତନ ଲୋହାଙ୍କ ଏକ ସୁନ୍ଦର ପାସ୍‌କୁ ଗୋଲ୍‌ରେ ରୂପାନ୍ତରିତ କରି ୧୯ ନମ୍ବର ଖେଳାଳି ଦୀନବନ୍ଧୁ ଦାସ କଟକ ଦଳକୁ ବିଜୟୀ କରାଇଥିଲେ । ଅପରପକ୍ଷେ ପରାଜୟ ଯୋଗୁଁ ଏହି ନକ୍ ଆଉଟ୍ ପର୍ଯ୍ୟାୟରୁ ଜଟଣୀ ଦଳ ବିଦାୟ ନେଇଛି। ମ୍ୟାଚ୍ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ପ୍ରିୟବ୍ରତ ବାହିନୀପତି, ଦିଗ୍‌ବିଜୟ ଦାସ ଓ ଲକ୍ଷ୍ମୀପ୍ରସାଦ । ଯାଁଳା ରାଧାଚରଣପୁର ଖେଳପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଆଜିର ଅତିଥି ଭାବେ ଭୁବନେଶ୍ୱର କର୍ପୋରେଟର ଦିଲ୍ଲୀପ କୁମାର ମାଝୀ, ଯାଁଳା ସମିତି ସଭ୍ୟ ନାଭିଦୈତ୍ୟ ମଙ୍ଗରାଜ ଓ ଛତାବର ପଂଚାୟତର ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ ଉପସ୍ଥିତ ରହି କଟକ ଦଳର ସନାତନ ଲୋହାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ । ଆସନ୍ତାକାଲି ଯାଜପୁରର ଜାରକା ଧର୍ମଶାଳା ସ୍ପୋର୍ଟସ୍ ଏକାଡେମିକୁ ଭୁବନେଶ୍ୱର ଜଗା ୟୁନାଇଟେଡ୍ କ୍ଲବ ଭେଟିବ ।

ସମ୍ବନ୍ଧିତ ଖବର