ବେଲଜିୟମ, ନେଦରଲାଣ୍ଡ୍ସ ବିପକ୍ଷ ମହିଳା ପ୍ରୋ ଲିଗ୍ ହକି ଲାଗି ୨୪ ଜଣିଆ ଭାରତୀୟ ଦଳ: ସବିତା ଅଧିନାୟିକା, ଦୀପଗ୍ରେସ୍ ପୁଣି ଉପଅଧିନାୟିକା

ଭୁବନେଶ୍ବର: ଜୁନ୍ ମାସ (୧୧, ୧୨, ୧୮ ଓ ୧୯ ତାରିଖ)ରେ ଖେଳାଯିବାକୁ ଥିବା ବେଲିଜୟମ ଓ ନେଦରଲାଣ୍ଡ୍ସ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମହିଳା ହକି ମ୍ୟାଚ୍ ଲାଗି ହକି ଇଣ୍ଡିଆ ଶନିବାର ୨୪ ଜଣିଆ ସନ୍ତୁଳିତ ଦଳ ଘୋଷଣା କରିଛି। ଦଳରେ ବହୁ ଉଦୀୟମାନ ତଥା କନିଷ୍ଠ ଖେଳାଳି ସ୍ଥାନ ପାଇଥିଲା ବେଳେ କିଛି ଅଭିଜ୍ଞ ଖେଳାଳି ମଧ୍ୟ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ସବିତା ପୁଣି ଥରେ ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ସେହିଭଳି ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା ପୁଣି ଥରେ ଉପଅଧିନାୟିକା ଦାୟିତ୍ବ ତୁଲାଇବାକୁ ମନୋନୀତ ହୋଇଛନ୍ତି। ଭାରତୀୟ ଦଳରେ ମଧ୍ୟ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ। ଯାହା ସ୍ଥାନୀୟ ହକିପ୍ରେମୀଙ୍କୁ କିନ୍ତୁ ବିସ୍ମିତ କରିଛି।

ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ ଦଳ ଘୋଷଣା ପରେ କହିଛନ୍ତି ଯେ ପ୍ରୋ ଲିଗ୍‌ର ୟୁରୋପୀୟ ପର୍ଯ୍ୟାୟ ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହାକୁ ଆମେ ଜୁଲାଇ ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍ ଲାଗି ପ୍ରାକ୍ ପ୍ରସ୍ତୁତି ଭାବେ ନେବୁ। ଶନିବାର ଆମେ ଏକ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଦଳ ଘୋଷଣା କରିଛୁ। ବିଶେଷ କରି କନିଷ୍ଠ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ଦଳ ବରିଷ୍ଠ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କ ପାଇଁ ବେଲଜିୟମ, ଆର୍ଜେଣ୍ଟିନା ଏବଂ ଆମେରିକା ଭଳି ଦେଶରେ ଖେଳିବା ନିଶ୍ଚିତ ଭାବେ ନୂଆ ଆହ୍ବାନ ସଦୃଶ ହେବ।

ଭାରତୀୟ ଦଳ: ସବିତା (ଅଧିନାୟିକା) , ବିଚୁଦେବୀ ଖରିବାମ (ଗୋଲ୍ ରକ୍ଷକ), ଦୀପଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ଅକ୍ଷତାଆବାସୋ ଧେକାଲେ (ରକ୍ଷଣଭାଗ), ନିଶା, ସୁଶୀଳାଚାନୁ ପୋଖରମବାମ, ମୋନିକା, ନେହା, ଜ୍ୟୋତି, ନଭଜ୍ୟୋ‌ତ କୌର, ସୋନିକା, ସଲିମା ଟେଟେ, ବଲଜିତ କୌର (ମଧ୍ୟଭାଗ), ବନ୍ଦନା କଟାରିଆ, ଲାଲରେମସିଆମି, ନଭନୀତ କୌର, ସର୍ମିଳା ଦେବୀ, ସଂଗୀତା କୁମାରୀ, ଦୀପିକା, ରାଣୀ।

ସମ୍ବନ୍ଧିତ ଖବର