ଗଲ୍‌ଫ ‌କୋର୍ସରେ ସଚିନ ଓ ଲାରା

ନୂଆଦିଲ୍ଲୀ : କ୍ରିକେଟ୍ ଦୁନିଆର ଦୁଇ ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍ ଲାରା ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଭଲ ବଂଧୁତ୍ବ ରହିଛି। କ୍ରିକେଟ୍‌ ଖେଳିବା ପରେ ବି ଏହା ଜାରି ରହିଛି। ଭାଷ୍ୟକାର ଦାୟିତ୍ବ ତୁଲାଇବାକୁ ଭାରତ ଆସିବା ବେଳେ ଲାରା ସଚିନଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଦେଖିବାକୁ ମିଳନ୍ତି। ବିଗତ ଦିନର ଏହି ଦୁଇ ସ୍ବପୂର୍ଣ୍ଣ ବ୍ୟାଟସମ୍ୟାନଙ୍କ ନାମରେ ବି ଏକାଧିକ କୀର୍ତ୍ତିମାନ ଅତୁଟ ରହିଛି। ସଚିନଙ୍କ ନାମରେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ଓ ସର୍ବାଧିକ ଦିନିକିଆ ରନ୍‌ ରହିଛି।

ଅନ୍ୟପକ୍ଷରେ ଲାରାଙ୍କ ନାମରେ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ୍‌ ସ୍କୋର୍ ମଧ୍ୟ ରହିଛି। ପଡିଆ ଭିତର ଭଳି ଏବେ ପଡିଆ ବାହାରେ ବି ଏମାନଙ୍କ ବଂଧୁତ୍ବ ରହିଥିଲା ବେଳେ ଏବେ ଗଲଫ କୋର୍ସରେ ଏହା ନବୀକରଣ ହୋଇଛି। ଅବସର ଜୀବନରେ ଉଭୟ ଗଲ୍‌ଫ ଖେଳି ଜୀବନକୁ ‌ଉପଭୋଗ କରୁଛନ୍ତି। ଶୁକ୍ରବାର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ସଚିନ‌ ତେନ୍ଦୁଲକର ମଧ୍ୟ ଏକ ଭିଡିଓ ଛାଡ଼ି ଲେଖିଛନ୍ତି ‘ଏଥର ଗଲ୍‌ଫ କୋର୍ସରେ’। ସେହିଭଳି ଏକ ଫଟୋ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, ‘ଠିକଣା ଦିବସ ଓ ଠିକଣା ସାଥୀ, ଆମ ହସ ଅନେକ କିଛି କହୁଛି।’ ଲାରା ମଧ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି, ‘ତୁମେ ମଧ୍ୟ ମୋ ପସନ୍ଦର ଗଛଟିକୁ ପୃଷ୍ଠଭୂମିରେ ରଖିଛ’।

ସମ୍ବନ୍ଧିତ ଖବର