ପ୍ରଶଂସକଙ୍କୁ ସଚିନ, ସାନିଆ କହିଲେ ‘ଇଦ୍‌ ମୁବାରକ’

ନୂଆଦିଲ୍ଲୀ: ସାରା ଭାରତରେ ସୋମବାର ଧୁମ୍‌ଧାମରେ ପାଳିତ ହୋଇଛି ପବିତ୍ର ଇଦ୍‌-ଅଲ୍‌-ଅଧା। ଏହି ଅବସ‌ରରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ସହ ବହୁ କ୍ରୀଡ଼ାବିତ୍‌ ନିଜ ପ୍ରଶଂସକମାନଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି। ସଚିନ ଓ ସାନିଆ ନିଜ ଟ୍ବିଟର୍‌ ପୃଷ୍ଠାରେ ‘ଇଦ୍‌ ମୁବାରକ୍‌’ ଲେଖି ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଇଦ୍‌-ଅଲ୍‌-ଅଧା ଅବସରରେ ସମସ୍ତଙ୍କ ସହ ମୋର ଶୁଭକାମନା ରହିଛି, ଏହା ସମସ୍ତଙ୍କ ଜୀବନରେ ଶାନ୍ତି ଓ ଖୁସି ଭରିଦେଉ ବୋଲି ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍‌ ତଥା ସାଂସଦ ଗୌତମ ଗମ୍ଭୀର ନିଜ ଟ୍ବିଟର୍‌ ପୃ‌ଷ୍ଠାରେ ଲେଖିଛନ୍ତି। ପବିତ୍ର ଇଦ୍‌-ଉଲ୍‌-ଅଧା ଅବସରରେ ସମସ୍ତଙ୍କ ସହ ମୋର ଶୁଭକାମନା ରହିଛି। ଏହା ସମସ୍ତଙ୍କ ପାଇଁ ଖୁସି, ଭଲପାଇବା ଓ ସଫଳତା ଆଣୁ ବୋଲି ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଲେଖିଛନ୍ତି। ଇର୍ଫାନ ପଠାନ ନିଜ ଭାଇ ୟୁସୁଫଙ୍କ ସହ ଏକ ଫଟୋ ଟ୍ବିଟର୍‌ରେ ଛାଡ଼ି ଇଦ୍‌ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସମସ୍ତଙ୍କୁ ଇଦ୍‌ ମୁବାରକ, ସମସ୍ତଙ୍କ ପାଇଁ ସୁନ୍ଦର ଇଦ୍‌ ହେଉ, ‌ଯେବେ ଦରକାର ପଡ଼ୁଛି କୁର୍ବାନି ଦେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଇର୍ଫାନ ଲେଖିଛନ୍ତି। ପବିତ୍ର ଇଦ୍‌-ଉଲ୍‌-ଅଧା ସମସ୍ତଙ୍କ ଖୁସି ଓ ଅନନ୍ଦ ଆଣୁ, ସମସ୍ତଙ୍କୁ ଶୁଭେଚ୍ଛ‌ା ବୋଲି ଭିଭିଏସ୍‌ ଲକ୍ଷ୍ମଣ ଟ୍ବିଟ୍‌ କରିଛନ୍ତି। ପାକିସ୍ତାନ ପେସର ହାସନ ଅଲି, ଜର୍ମାନୀ ଫୁଟ୍‌ବଲ ଷ୍ଟାର ମେସୁଟ ଓଜିଲ, ଆଫଗାନିସ୍ତାନ ତାରକା ସ୍ପିନର ରଶିଦ ଖାଁଙ୍କ ଭଳି କ୍ରୀଡ଼ାବିତ ମଧ୍ୟ ଏହି ଅବସରରେ ନିଜ ନିଜ ପ୍ରଶଂସକଙ୍କୁ ଇଦ୍‌ ମୁବାରକ୍‌ ଜଣାଇଛନ୍ତି।

ସମ୍ବନ୍ଧିତ ଖବର