ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଜୁନ୍ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଦୁଇ ଦେଶର ଦୁଇ ମହାନ ତାରକା ସଚିନ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍ଙ୍କ ନାଁରେ ନାମିତ ‘ସଚିନ-ଆଣ୍ଡରସନ୍’ ଟ୍ରଫି ପାଇଁ ଖେଳାଯିବ। ନୂଆ କରି ଆରମ୍ଭ ହେଉଥିବା ଏହି ରନିଂ ଟ୍ରଫିର ଉନ୍ମୋଚନ ମହାଆଡ଼ମ୍ବରରେ କରିବାକୁ ଆୟୋଜକ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଯୋଜନା କରିଥିଲା। ତେବେ ଅହମଦାବାଦରେ ହୋଇଥିବା ମର୍ମନ୍ତୁଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୫୦ଜଣ ବ୍ରିଟିସ୍ ନାଗରିକଙ୍କ ସହ ୨୭୪ଜଣ ଲୋକ ପ୍ରାଣ ହରାଇବା ପରେ ଏହି ଉତ୍ସବକୁ ସ୍ଥଗିତ କରି ଦିଆଯାଇଛି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟ ସୂଚନା ଦେବାକୁ ଯାଇ କହିଛନ୍ତି ଯେ ‘ସଚିନ-ଆଣ୍ଡରସନ୍ ଟ୍ରଫି’ ଚଳିତ ମାସ ୧୪ ତାରିଖରେ ଉନ୍ମୋଚନ ହେବାର ଥିଲା। ତେବେ ଅହମଦାବାଦର ଲୋମହର୍ଷଣକାରୀ ବିମାନ ଦୁର୍ଘଟଣା ପରେ ଏହାକୁ ଆସନ୍ତା କିଛି ଦିନ ପାଇଁ ସ୍ଥଗିତ କରି ଦିଆଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଏହି ଟ୍ରଫି ଉନ୍ମୋଚନ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି। ପ୍ରକୃତ କଥା ହେଲା ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଶୃଙ୍ଖଳା ପୂର୍ବଭଳି ପଟୌଦି ଟ୍ରଫି ନାଁରେ ଖେଳାଯାଉ ବୋଲି ଚାହୁଛନ୍ତି। ଭାରତ ଓ ଇଂଲଣ୍ଡ କ୍ରିକେଟ୍ ପ୍ରତି ପଟୌଦି ପରିବାରର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ଟ୍ରଫିକୁ ବଜାୟ ରଖିବା ସପକ୍ଷରେ ଉଭୟ ଅଛନ୍ତି। ଏଥିନେଇ ବିସିସିଆଇ ମଧ୍ୟ ଇସିବିକୁ ପତ୍ର ଲେଖି ଟ୍ରଫିର ନାଁ ନ ବଦଳାଇବାକୁ ଅନୁରୋଧ କରିଛି। ଏଭଳି ସ୍ଥିତିରେ ଇସିବି ଏବେ ଦ୍ବନ୍ଦ୍ବରେ ରହିଛି। ଏଣୁ ଏହି ସଂଶୟ ଓ ଦ୍ବନ୍ଦ୍ବ ଦୂର ହେବା ପରେ ଯାଇ ନୂଆ ଟ୍ରଫି ଉନ୍ମୋଚନ କରିବାକୁ ଚାହୁଛି।