ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ: କ୍ଷୁବ୍‌ଧ ସଚିନ୍‌ କହିଲେ ବିସିସିଆଇ ଉତ୍ତରଦାୟୀ

ନୂଆଦିଲ୍ଲୀ: ଦ୍ବୈତ ସ୍ବାର୍ଥ ପ୍ରସଙ୍ଗକୁ ନେଇ ବିସିସିଆଇ ଲୋକପାଳ ଡିକେ ଜୈନ୍‌ ନୋଟିସ୍‌ ପଠାଇବା ପରେ ଭିଭିଏସ୍‌ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲି ନିଜ ନିଜର ଜବାବ ରଖିଥିଲେ। ଲକ୍ଷ୍ମଣ ତାଙ୍କ ଜବାବ ରଖିବା ବେଳେ କ୍ଷୋଭ ପ୍ରକାଶ କରିଥିଲେ। ଏବେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ ନିଜ କ୍ଷୋଭକୁ ଚାପି ପାରିନାହାନ୍ତି। ଏହି ପ୍ରସଙ୍ଗକୁ ନେଇ ସଚିନ୍‌ ଅତ୍ୟନ୍ତ କ୍ଷୁବ୍‌ଧ ହୋଇପଡ଼ିଛନ୍ତି। ଏଥିନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ହିଁ ଉତ୍ତରଦାୟୀ ବୋଲି ସଚିନ୍‌ କହିଛନ୍ତି। ଏହି ପ୍ରସଙ୍ଗକୁ ବିସିସିଆଇ ବିନୟଶୀଳ ବର୍ଗ (ଟ୍ରାକ୍ଟେବଲ୍‌ କ୍ୟାଟେଗୋରୀ) ଅଧୀନରେ ଆସୁଥିବା ଦର୍ଶାଉଥିଲା ବେଳେ ଏହାକୁ ସଚିନ୍‌ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବିସିସିଆଇ ସମ୍ବିଧାନର ଧାରା ୩୮ (୩) (ଏ) ଅନୁଯାୟୀ କ୍ରିକେଟ୍‌ ଉପଦେଷ୍ଟା ସମିତିକୁ ତେନ୍ଦୁଲକର, ଲକ୍ଷ୍ମଣ ଓ ଗାଙ୍ଗୁଲିଙ୍କ ନିଯୁକ୍ତିକୁ ଦ୍ବୈତ ସ୍ବାର୍ଥ ଭାବେ ଗ୍ରହଣ କରାଯାଇପାରିବ। କାରଣ ଏହି ତିନି ଜଣ ଉପଦେଷ୍ଟା ସମିତି ସଦସ୍ୟ ରହିବା ସାଙ୍ଗକୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ (ମୁମ୍ବାଇ ଇଣ୍ଡିଆନ୍‌ସ, ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ) ସହ ଜଡ଼ିତ ରହିଛନ୍ତି। ହେଲେ ଆମେ ଆଗ ଆଇପିଏଲ୍‌ ସହ ଥିଲୁ। ପରେ ଆମକୁ ବିସିସିଆଇ ନିଯୁକ୍ତି ଦେଇଥିଲା। ସେତେବେଳେ ଏ ବିଷୟରେ ବିସିସିଆଇ କଣ ଜାଣିନଥିଲା କି? ବୋଲି ସଚିନ୍‌ ପାଲଟା ପ୍ରଶ୍ନ କରିଛନ୍ତି। ବିସିସିଆଇ ଏନେଇ ତା’ର ନୀତି ସ୍ପଷ୍ଟ ନକରି ଆମକୁ କାହିଁକି ଅଯଥାରେ ଦ୍ବୈତ ସ୍ବାର୍ଥ ପ୍ରସଙ୍ଗରେ ଯୋଡ଼ିଛି ବୋଲି ଅସନ୍ତୁଷ୍ଟ ସଚିନ କହିଛନ୍ତି। ଲୋକପାଳ ଆମକୁ ନୋଟିସ୍‌ କରିବା ଏବଂ ଦରକାର ପଡ଼ିଲେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେବା କେତେଦୂର ଯଥାର୍ଥ ବୋଲି ସଚିନ୍‌ ମତ ରଖିଛନ୍ତି। ଏଭଳି ପ୍ରସଙ୍ଗ ଉପରେ ବିସିସିଆଇ ସବୁକିଛି ସ୍ପଷ୍ଟ କରିବା ଉଚିତ୍‌। ବିଶେଷକରି ଆମ କ୍ଷେତ୍ରରେ ଲୋକପାଳଙ୍କ ନିକଟରେ ବିସିସିଆଇ ହିଁ ଉତ୍ତରଦାୟୀ ବୋଲି ଅତ୍ୟନ୍ତ ବିରକ୍ତିଭରା ସ୍ବରରେ ସଚିନ୍‌ କହିଛନ୍ତି। ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ ଉପରେ ‌ସେମାନଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି ମୁଖ୍ୟ ବିନୋଦ ରାୟ ଏବଂ ମୁଖ୍ୟକାର୍ଯ୍ୟନିର୍ବାହୀ ରାହୁଲ୍‌ ଜୋହରିଙ୍କୁ ନିର୍ଦେଶ ଦେବାକୁ ସଚିନ୍‌ ତାଙ୍କ ୧୩ ସୂତ୍ରୀ ଜବାବରେ ବିସିସିଆଇ ନୈତିକ ଅଧିକାରୀ ତଥା ଲୋକପାଳ ଶ୍ରୀ ଜୈନ୍‌ଙ୍କୁ ଅନୁରୋଧ କରିଛନ୍ତି। ଏଠାରେ ସୂଚନା‌ଯୋଗ୍ୟ, ଭାରତୀୟ କ୍ରିକେଟ୍‌ର ତିନି ରଥୀ ସଚିନ୍‌, ଲକ୍ଷ୍ମଣ ଓ ଗାଙ୍ଗୁଲିଙ୍କୁ ଲୋକପାଳ ନୋଟିସ୍‌ ଜାରି କରିଥିଲା ବେଳେ ତିନିହେଁ ଦ୍ବୈତ ସ୍ବାର୍ଥ ସହ ସେମାନଙ୍କ ଭୂମିକାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

ସମ୍ବନ୍ଧିତ ଖବର