ମୁମ୍ବାଇ: ମାଷ୍ଟର୍‌ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ବହୁତ ବଡ଼ ପ୍ରଶଂସକ ଥିବାରୁ ବାପା ଶ୍ରଦ୍ଧାରେ ତାଙ୍କ ନା ରଖିଥିଲେ ‘ସଚିନ’। ସେହି କୁନି ସଚିନ ଆଜି ବଡ଼ ହୋଇଛି। ତେନ୍ଦୁଲକରଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍ ପିଚ୍‌ରେ କମାଲ କରୁଛି। ଡାହାଣ ହାତୀ ବ୍ୟାଟିଂ ସହ ତେନ୍ଦୁଲକରଙ୍କ ଭଳି ଡାହାଣହାତୀ ସ୍ପିନ୍ ବୋଲିଂ କରୁଛନ୍ତି। ଆମେ କହୁଛୁ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ପ୍ରତିଭାବାନ ଫିନିସର୍ ସଚିନ ଢାସ୍‌ଙ୍କ କଥା। ୫ ଫୁଟ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୮ ବର୍ଷୀୟ ଢାସ୍‌ଙ୍କ ମା’ ଚାହୁଥିଲେ ପୁଅ ବଡ଼ ଅଫିସର ହେଉ। ହେଲେ ବାପା ଚାହୁଥିଲେ ସେ ଜଣେ କ୍ରିକେଟର୍ ହୁଅନ୍ତୁ। ଶେଷରେ ବାପାଙ୍କ କଥା ହିଁ ରହିଲା। ଢାସ୍‌ କୁନି ବୟସରୁ କ୍ରିକେଟ୍ ଖେଳିଲେ। ସଫଳତା ପରେ ସଫଳତା ପାଇ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଜଣେ ନିୟମିତ ସଦସ୍ୟ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତ ସଙ୍କଟରେ ପଡ଼ିଥିଲା ବେଳେ ୯୬ ରନ୍‌ର ଅବିଶ୍ବସନୀୟ ପାଳି ଖେଳି ଚର୍ଚ୍ଚାକୁ ଆସିଥିଲେ ମହାରାଷ୍ଟ୍ର ବିଡ୍ ସହରର ଏହି କିଶୋର କ୍ରିକେଟର୍।

Advertisment

ଢାସ୍‌‌ଙ୍କ ମା’ ସୁରେଖା ଢାସ୍‌ ଜଣେ ପୁଲିସ ଅଧିକାରୀ ହୋଇଥିବାରୁ ଅତ୍ୟନ୍ତ ଶୃଙ୍ଖଳିତ ପରିବେଶରେ ବଢ଼ିଛନ୍ତି ସେ। କ୍ରିକେଟ୍‌କୁ ପେସା କରିବାର ଲକ୍ଷ୍ୟ ନେଇ ସବୁକିଛିକୁ ତୁଚ୍ଛ କରି ଦେଇଛନ୍ତି। ତାଙ୍କର କୌଣସି ସାଙ୍ଗ ସାଥୀ ନାହାନ୍ତି, ବାହାଘର, ବ୍ରତଘର, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହକୁ ପ୍ରାୟ ଯାଆନ୍ତି ନାହିଁ। ଦିନକୁ ଅନ୍ୟୂନ ସାଢ଼େ ସାତ ଘଣ୍ଟା ଅଭ୍ୟାସ କରନ୍ତି। ବିଡ୍‌ ସହରରେ ଉଚ୍ଚକୋଟୀର ପିଚ୍ ନଥିଲେ ମଧ୍ୟ ନିଜ କଠିନ ପରିଶ୍ରମ ଓ ଅସୀମ ଏକାଗ୍ରତା ପାଇଁ ଢାସ୍‌ ଆଜି ଚମତ୍କାର ବ୍ୟାଟିଂ କରୁଛି ବୋଲି କହିଛନ୍ତି ତାଙ୍କ ପ୍ରଶିକ୍ଷକ ଶେଖ୍ ଆଝାର। ସଂଯୋଗବଶତଃ ଢାସ୍‌ ନିଜ ଆଦର୍ଶ ତେନ୍ଦୁଲକର ପିନ୍ଧୁଥିବା ୧୦ ନମ୍ବର ଜର୍ସି ପିନ୍ଧୁଛନ୍ତି। ବିରାଟ କୋହଲିଙ୍କ ଖେଳକୁ ମଧ୍ୟ ସେ ବେଶ୍ ପସନ୍ଦ କରନ୍ତି। ୬ ନମ୍ବରରେ ବ୍ୟାଟିଂ କରିଥିବା ଢାସ୍‌ ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ୩୫୮ ରନ୍ ସଂଗ୍ରହ କରିଥିଲେ। ଉଦୟ ସରଣଙ୍କ ପଛକୁ ଭାରତର ସେ ଦ୍ବିତୀୟ ସର୍ବଶ୍ରେଷ୍ଠ ରନ୍ ସଂଗ୍ରହକାରୀ ଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ଭାରତକୁ ଜିତାଇ ନପାରିବା ଢାସ୍‌ଙ୍କ ଜୀବନର ଅନ୍ୟତମ ଅବସୋସ ହୋଇଛି।

ସଂଯୋଗବଶତଃ ୨୦୦୩ ମସିହାର ବରିଷ୍ଠ ସ୍ତରୀୟ ୫୦ ଓଭରିଆ ବିଶ୍ବକପ୍‌ରେ ତେନ୍ଦୁଲକର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ସେତେଟା ସଫଳ ହୋଇ ନଥିଲେ। ମହାରାଷ୍ଟ୍ର ପୁଲିସରେ ଏଏସ୍‌ଆଇ ଥିବା ମା’ ସୁରେଖା ଏବେ ପୁଅର ସଫଳତା ନେଇ ଗର୍ବ କରୁଛନ୍ତି। ବିଲକ୍ଷଣ ପ୍ରତିଭାର ଅଧିକାରୀ ସଚିନ ଢାସ୍ ଭାରତୀୟ କ୍ରିକେଟ୍‌ର ଆଗାମୀ ଚର୍ଚ୍ଚିତ ତାରକା ହୋଇପାରିବେ ବୋଲି କ୍ରିକେଟ୍ ବି‌ଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରି ଯଥାଶୀଘ୍ର ବରିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଧାସ୍ ଲକ୍ଷ୍ୟ ରଖିଥିବା ପ୍ରଶିକ୍ଷକ ସେଖ୍ ଆଝାର କହିଛନ୍ତି। ସଚିନଙ୍କ ଭଉଣୀ ପତିକ୍ଷା ଢାସ୍ ମଧ୍ୟ ହେଉଛନ୍ତି ଜଣେ ବ୍ୟାଡ୍‌ମିଣ୍ଟନ୍ ଖେଳାଳି।