ସଦିଦଙ୍କ ପରିବାର ପାଇଁ ପାଣ୍ଠି ସଂଗ୍ରହ କଲେ ସଚିନ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍‌ର ବୀର ଯବାନଙ୍କ ପରିବାରବର୍ଗଙ୍କ ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି। ଏକ ଘରୋଇ ଜୀବନବୀମା କଂପାନି ପକ୍ଷରୁ ଏଠାରେ ଆୟୋଜିତ ମାରାଥନରେ ଯୋଗଦେଇ ସଚିନ ଏହି ମହତ କାମ କରିଛନ୍ତି। ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଏହି ମାରାଥନ ଅବସରରେ ଆୟୋଜିତ ଚାରିଟି ବର୍ଗର ଦୌଡ଼ ପ୍ରତିଯୋଗିତା ପ୍ରାରମ୍ଭରେ ସଚିନ ୧୦ ପୁସଅପ୍ କରିଥିଲେ। ଅନ୍ୟମାନଙ୍କୁ ମଧ୍ୟ ଏଥିରେ ଯୋଗଦେବାକୁ ଆହ୍ବାନ କରିଥିଲେ। ମାରାଥନର ୪୨.୧୯୫ କିଲୋମିଟର ଦୌଡ଼ରେ ୨୦୦୦, ୨୧.୦୯୫ କିଲୋମିଟରରେ ୬୦୦୦, ୧୦ କିଲୋମିଟରରେ ୫୫୦୦ ଏବଂ ୫ କିଲୋମିଟର ସ୍ବଚ୍ଛ ଭାରତ ଦୌଡ଼ରେ ୪୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସଚିନ ଏହାକୁ ଦେଖି ବେଶ୍ ଖୁସି ହୋଇ ଯାଇଥିଲେ। ସେ କହିଥିଲେ, ଏତେ ସଂଖ୍ୟକ ପିଲା ଏହି ମାରାଥନରେ ଅଂଶଗ୍ରହଣ କରୁଥିବା ଦେଖି ବହୁତ ଖୁସି ଲାଗୁଛି। ଆପଣମାନେ ହେଉଛନ୍ତି ପରବର୍ତୀ ପିଢ଼ି। ଆପଣମାନଙ୍କ ଉପରେ ହିଁ ଦେଶର ଭବିଷ୍ୟତ ନିର୍ଭରଶୀଳ। ମୋ ସ୍ବପ୍ନ ହେଉଛି ଭାରତକୁ ଏକ କ୍ରୀଡ଼ାକୁ ଭଲ ପାଉଥିବା ଦେଶରୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରାଇବା। ପିଲାମାନେ ଯଦି ଏଠାରୁ ଏହାର ଆରମ୍ଭ କରୁଛନ୍ତି, ଦିନକୁ ଦିନ ଏହାର ମାତ୍ରା ବଢ଼ି ବଢ଼ି ଚାଲିବ। ଆମେ ଆଜି ଯେତିକି ବି ଅର୍ଥ ସଂଗ୍ରହ କଲେ, ତାହା ଏକ ମହତ କାମ ପାଇଁ ଦାନ କରାଯିବ। ଏହି ଧନରାଶି ପୁଲୱାମା ସହିଦଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ସଚିନ୍‌ କହିଥିଲେ।

ସମ୍ବନ୍ଧିତ ଖବର