ବିଶ୍ବକପ୍‌ ବିଜୟ ପରେ ସଚିନଙ୍କ ନୃତ୍ୟ ମନେରହିବ: ହରଭଜନ

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍‌ ବିଜୟ ପରେ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ନୃତ୍ୟୁ ସବୁବେଳେ ମନେରହିବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ। ଏହି ସ୍ମରଣୀୟ ସଫଳତା ପ‌ରେ ସଚିନ ଏତେ ଖୁସି ଥିଲେ ଯେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଖୁସିରେ ନାଚିବାକୁ ଲାଗିଥିଲେ। ‌ଆଖପାଖରେ କିଏ ଅଛି ସେଥିପ୍ରତି ତାଙ୍କର ନଜର ନଥିଲା। ବୋଧହୁଏ ସେ ଜୀବନରେ ପ୍ରଥମ ଥର ପାଇଁ ନାଚୁଥିଲେ ବୋଲି ହରଭଜନ ଅନୁଭବ କରିଥିଲେ।

୨୦୧୧ ମସିହା ଏପ୍ରିଲ୍‌ ୨ରେ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଭାରତ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିବାର ଗୌରବ ପାଇଥିଲା। ସେହିଦିନ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଥିଲା। ଯାହା ପାଇଁ ସେ ୨୨ ବର୍ଷ ଅପେକ୍ଷା କରିଥିଲେ। ସେଦିନ ମୁଁ ସଚିନ ତେନ୍ଦୁଲକରଙ୍କୁ ପ୍ରଥମ ଥର ନାଚୁଥିବାର ଦେଖିଲି। ପ୍ରଥମ ଥର ପାଇଁ ସେ ତାଙ୍କ ଆଖପାଖର ଲୋକଙ୍କ ବିଷୟରେ ଚିନ୍ତା କଲେ ନାହିଁ। ସେ ସମସ୍ତଙ୍କ ସହ ଏହି ଐତିହାସିକ ମୂହୁର୍ତ୍ତକୁ ଉପଭୋଗ କରୁଥିଲେ ଯାହା ମୋର ସବୁଦିନ ମନେରହିବ ବୋଲି ହରଭଜନ କହିଛନ୍ତି। ତେନ୍ଦୁଲକର ୨୦୧୧ ବିଶ୍ୱକପ୍‌ ବିଜୟକୁ ତାଙ୍କ ଜୀବନର “ଗର୍ବର ମୁହୂର୍ତ୍ତ” ବୋଲି କହିଛନ୍ତି। ଏହା ଏପରି ଜିନିଷ ଯାହାକୁ ପାଇବା ଲାଗି ଆମେ ଏକାଠି ସ୍ୱପ୍ନ ଦେଖିଥିଲୁ। ଏହା ଏକ ଅବିଶ୍ୱସନୀୟ ଅନୁଭବ ଥିଲା। ମୁଁ ଯେତେବେଳେ ସେହି ମୁହୂର୍ତ୍ତଗୁଡ଼ିକ ବିଷୟରେ ଚିନ୍ତା କରେ ସେତେବେଳେ ମୋ ଆଖିରେ ଲୁହ ଆସିଯାଏ। ବିଶ୍ୱକପ୍‌ ତୋଳି ଧରିବା ବାସ୍ତବରେ କିଛି ବିଶେଷ ଥିଲା। ବୋଧହୁଏ ପ୍ରଥମ ଥର ମୁଁ ସମସ୍ତଙ୍କ ସାମ୍ନାରେ କାନ୍ଦିଲି। ସେହି ଅନୁଭବ ଏପରି ଥିଲା ଯେ କିପରି ପ୍ରତିକ୍ରିୟା କରିବି ଜାଣି ପାରି ନଥିଲି ବୋଲି ହରଭଜନ କହିଛନ୍ତି।

ସମ୍ବନ୍ଧିତ ଖବର