ନୂଆଦିଲ୍ଲୀ: ଅନେକ କ୍ରିକେଟର୍ଙ୍କ ପାଇଁ ପ୍ରେରଣା ସାଜିଥିବା ସଚିନ ତେନ୍ଦୁଲକର ମଧ୍ୟ ଦିନେ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ଏକଥା ସେ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। କହୁଣି ଅସ୍ତ୍ରୋପଚାର ପରେ ସଚିନ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏକ ସାକ୍ଷାତକାରରେ ସଚିନ କହିଛନ୍ତି, “କହୁଣି ଆଘାତ ବହୁତ କଷ୍ଟ ଦେଇଥିଲା। ମୁଁ ପାରୁ ପର୍ଯ୍ୟନ୍ତ ମୋର ଚେଷ୍ଟା କରିଥିଲି, ଇଞ୍ଜେକସନ୍ ବି ନେଇଥିଲି। କିନ୍ତୁ କିଛି କାମ ଦେଇନଥିଲା।
କହୁଣି ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ମୋ ସାମ୍ନାରେ ଥିଲା। ଅସ୍ତ୍ରୋପଚାର ପରେ ହାତରେ ବ୍ୟାଟ୍ ଧରିବା ବି ସମ୍ଭବ ନଥିଲା। ମୁଁ ବିଷାଦଗ୍ରସ୍ତ ହୋଇପଡ଼ିଥିଲି। ସାଙ୍ଗମାନଙ୍କୁ ଭୋର ୨ଟା ବା ୪ଟାରେ କଲ୍ କଲେ ବି ସେମାନେ ସହଯୋଗ କରିଥିଲେ। ସେମାନେ ମୋତେ ସାହସ ଦେଇଥିଲେ। ମୋ ପ୍ରତ୍ୟାବର୍ତ୍ତନ ପଛରେ ମୋ ସାଙ୍ଗ ଓ ପରିବାର ବିଶେଷକରି ଅଞ୍ଜଳିଙ୍କ ସହଯୋଗ ରହିଛି।” ଅସ୍ତ୍ରୋପଚାରର ୪-୫ ମାସ ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ରେ ସଚିନ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ମୁହୂର୍ତ୍ତ ଚିରସ୍ମରଣୀୟ ବୋଲି ସଚିନ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sachin_tendulkar_had_tennis_elbow_1540114794_725x725.jpg)