ସଚିନ ପ୍ରକାଶ କଲେ ‘ଆଉଟ୍-ନଟଆଉଟ୍’ ଭିଡିଓ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଟ୍ବିଟର ପୃଷ୍ଠାରେ ଏକ ନିଆରା ଭିଡିଓ ପ୍ରକାଶ କରିଛନ୍ତି। ୩୧ ସେକେଣ୍ଡର ଏହି ଭିଡିଓରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ବୋଲ୍ଡ ତ ହେଉଛନ୍ତି, ହେଲେ ଆଉଟ୍ ‌ହେବାରୁ ବର୍ତି ଯାଉଥିବା ‌ଦେଖିବାକୁ ମିଳୁଛି। ସଂପୃକ୍ତ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରୁଥିଲା ବେଳେ ପ୍ରତିପକ୍ଷ ବୋଲରଙ୍କ ବଲ୍ ତାଙ୍କ ଷ୍ଟମ୍ପ୍ସରେ ବାଜିଥିଲା। ଏଥିରେ ବେଲ୍ ସାମାନ୍ୟ ହଲି ଥିଲା, ହେଲେ ପଡ଼ି ନଥିଲା। କ୍ଷେତ୍ରରକ୍ଷଣ କରୁଥିବା ଦଳ ଅପିଲ କରିବା ପରେ ଲେଗ୍ ଅମ୍ପାୟାର ବେଲ୍ ସଜାଡ଼ିବାକୁ ଯାଇଥିଲେ। ମୁଖ୍ୟ ଅମ୍ପାୟାରଙ୍କ ସହ ଆଲୋଚନା କରି କିନ୍ତୁ ଏହାକୁ ନଟଆଉଟ୍ ଘୋଷଣା କରିଥିଲେ। ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ‌କ୍ଷେତ୍ରରକ୍ଷଣ କରୁଥିବା ଦଳର ଖେଳାଳିଙ୍କୁ ଚକିତ କରି ‌ଦେଇଥିଲା। ସଚିନ ଏହି ଭିଡିଓ ପ୍ରକାଶ କରି ଏହା ଆଉଟ୍ ନା ନଟଆଉଟ୍ ଥିଲା ବୋଲି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି। ଏହି ଭିଡିଓ ଜଣେ ବନ୍ଧୁ ତାଙ୍କ ପାଖକୁ ପଠାଇଥିବା ସଚିନ ମଧ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର