ନୂଆଦିଲ୍ଲୀ: କ୍ରିକେଟ୍ ସହ ଜଡ଼ିତ କୌଣସି ଶ୍ରେଷ୍ଠ ଅମ୍ପାୟାରଙ୍କ କଥା ଭାବିଲା ବେଳେ ସ୍ବତଃପ୍ରବୃତ୍ତ ଭାବେ ସାଇମନ୍ ଟଫେଲଙ୍କ ନାମ ଆସିବ। କ୍ରିକେଟ୍ ଇତିହାସରେ ସେ ହେଉଛନ୍ତି ସର୍ବାଧିକ ସ୍ଥିର ପ୍ରଦର୍ଶନ ଦେଉଥିବା ଅମ୍ପାୟାରଙ୍କ ମଧ୍ୟରୁ ଅନ୍ୟତମ। ପୁଣି ଟଫେଲ କ୍ରମାଗତ ୫ ବର୍ଷ ଧରି (୨୦୦୪ରୁ ୨୦୦୮) ଆଇସିସି ଅମ୍ପାୟାର ଅଫ୍ ଦି ଇୟର ପୁରସ୍କାର ହାସଲ କରିଥିଲେ। ଏହାସତ୍ତ୍ବେ ଶ୍ରେଷ୍ଠଙ୍କ କ୍ଷେତ୍ରରେ ମଧ୍ୟ ବେଳେବେଳେ ଭୁଲ୍ ପରିଲକ୍ଷିତ ହୋଇଥାଏ। ଯାହାକି ଟଫେଲଙ୍କ କ୍ୟାରିୟରରେ ପ୍ରତିଫଳିତ ହୋଇଥିଲା। ବିଶେଷକରି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ବିପକ୍ଷରେ ହିଁ ସେ ଏକାଧିକ ଭୁଲ୍ ନିଷ୍ପତ୍ତି ନେଇଥିଲେ।
୨୦୦୭ର ଭାରତ-ଇଂଲଣ୍ଡ ଟ୍ରେଣ୍ଟ୍ବ୍ରିଜ୍ ଟେଷ୍ଟ୍ ଅବସରରେ ସଚିନ୍ ୯୧ ରନ୍ରେ ବ୍ୟାଟିଂ କରୁଥା’ନ୍ତି। ପଲ୍ କଲିଂଉଡ୍ଙ୍କ ବଲ୍କୁ କାନ୍ଧ ଉପରକୁ ଉଠାଇ ଖେଳୁଥିଲା ବେଳେ କଲିଂଉଡ୍ ଆଉଟ୍ ଆବେଦନ କରିଥିଲେ ଏବଂ ତତ୍କ୍ଷଣାତ୍ ଟଫେଲ ତାଙ୍କ ଅଙ୍ଗୁଳି ଉପରକୁ ଉଠାଇ ଦେଇଥିଲେ। ଟଫେଲଙ୍କ ଏହି ନିଷ୍ପତ୍ତି ଉପରେ ସଚିନ୍ ପୂରା ଅସନ୍ତୁଷ୍ଟ ଥିବା ଦେଖାଯାଇଥିଲା। ଏପରିକି ସେଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ହଜମ କରିବା ପାଇଁ ସଚିନ୍ ମଧ୍ୟ କିଛି ସେକେଣ୍ଡ ପିଚ୍ ଉପରେ ଛିଡ଼ା ହୋଇ ରହିଥିଲେ। ବଡ଼ ପରଦାରେ ବଲ ଟ୍ରାକିଂକୁ ଦେଖାଯାଇଥିଲା ଏବଂ ବଲ୍ ଅଫ୍ ଷ୍ଟମ୍ପ୍କୁ କିଛି ଦୂରତାରେ ଛାଡ଼ି ଚାଲିଯାଇଥିବା ସ୍ପଷ୍ଟ ହୋଇଯାଇଥିଲା। ଗୌରବ କାପୁରଙ୍କ ଦ୍ବାରା ଆୟୋଜିତ ୨୨ ୟାର୍ନସ୍ ପୋଡ୍କାଷ୍ଟର ଏକ ଧାରାବାହିକରେ ସେହି ୧୩ ବର୍ଷ ତଳର ଭୁଲ୍ ନିଷ୍ପତ୍ତିକୁ ଟଫେଲ ମନେପକାଇଛନ୍ତି। ସେ ତେନ୍ଦୁଲକରଙ୍କ ପ୍ରତି କେତେକ ଭୁଲ୍ ନିଷ୍ପତ୍ତି ନେଇଥିଲେ ବୋଲି ମଧ୍ୟ ଟଫେଲ ସ୍ବୀକାର କରିଛନ୍ତି। ଟ୍ରେଣ୍ଟ୍ ବ୍ରିଜ୍ ଟେଷ୍ଟ୍ ପରେ ପରେ ମୁଁ ସଚିନ୍ଙ୍କ ସହ ଆଲୋଚନା କରିଥିଲି। ଏବଂ ତା’ପରଠାରୁ ଆମ ଭିତରେ ସଂପର୍କରେ ଉନ୍ନତି ଘଟିଥିଲା ବୋଲି ଟଫେଲ କହିଥିଲେ।
ଟଫେଲଙ୍କ କହିବା କଥା ହେଲା, ମୁଁ ମୋ ନିଷ୍ପତ୍ତି ସଂପର୍କରେ ସଚିନ୍ଙ୍କୁ କହିଥିଲି। ସୋଲ୍ଜର ଆର୍ମସ ଯୋଗୁଁ ମୁଁ ଭାବିଥିଲି ବେନିଫିଟ୍ ଅଫ୍ ଦି ଡାଉଟ୍ ବୋଲରଙ୍କ ସପକ୍ଷରେ ଯାଏ। ତେଣୁ କିଛି ସମୟ ଚିନ୍ତା କରିବା ପରେ ସଚିନ୍ଙ୍କୁ ଆଉଟ୍ ଦେଇଥିଲି ବୋଲି ଟଫେଲ କହିଛନ୍ତି। ହେଲେ ତାଙ୍କର ସେହି ନିଷ୍ପତ୍ତିକୁ ନେଇ ସଚିନ୍ ଆଦୌ ଖୁସୀ ନଥିବା ଦେଖାଯାଇଥିଲା। ଏପରିକି ଆଉଟ୍ ହୋଇ କେବେ ବି କ୍ରିଜ୍ରେ ଅଟକି ରହୁନଥିବା ସଚିନ୍ ସେହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରି କିଛି ସମୟ ପିଚ୍ ଉପରେ ଛିଡ଼ା ହୋଇଥିଲେ। ଯାହାକି ମୋ ନିଷ୍ପତ୍ତି ତାଙ୍କୁ ଅସନ୍ତୁଷ୍ଟ କରିଛି ବୋଲି ଅନୁଭବ କରିଥିଲି। ପରେ ମଧ୍ୟ ବଲ୍ ଗୋଟିଏ ଇଞ୍ଚ ଦୂରତାରେ ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ହକ୍ଆଇ ଜରିଆରେ ଦେଖାଯାଇଥିଲା।
ଆଉ ମୁଁ ତାହାକୁ ଜାଣିବା ପରେ ମୋ ଅମ୍ପାୟାରିଂ ପ୍ରତି ବିଶ୍ବ କ୍ରିକେଟ୍ରେ କିଭଳି ଭାବନା ଆସିଥିବ ତାହା ମୋ ମନକୁ ଆନ୍ଦୋଳିତ କରିଥିଲା ବୋଲି କହିଛନ୍ତି ଟଫେଲ। ତେଣୁ ମୁଁ କ୍ରିକ୍ଇନ୍ଫୋକୁ ଖୋଲିନଥିଲି। ଏପରିକି କୌଣସି ଖବରକାଗଜ ମଧ୍ୟପଢ଼ିବାକୁ ସାହସ କରିନଥିଲି। ଗଣମାଧ୍ୟମରେ ମୋ ବିପକ୍ଷରେ ଚର୍ଚ୍ଚା ହେଉଥିବା ଭାବି ଖବରକାଗଜ ପଢ଼ିବାରୁ ଦୁରେଇ ରହିଥିଲି। ତଥାପି ପରଦିନ ସକାଳେ ସବୁଦିନ ଭଳି ପ୍ରାତଃ ଭ୍ରମଣରେ ବାହାରି ଥିଲି ଏବଂ ସଚିନ୍ଙ୍କ ପାଖ ଦେଇ ଯାଇଥିଲି। ସଚିନ୍ଙ୍କ ପାଖକୁ ଯାଇ ପୂର୍ବଦିନ କରିଥିବା ଭୁଲ୍ ନିଷ୍ପତ୍ତି ସଂପର୍କରେ କହିଥିଲି। ମୁଁ ବାସ୍ତବରେ ଭୁଲ୍ କରିଥିଲି, ଯାହାକୁ ଅନୁଭବ କରିସାରିଛି। ହେଲେ ସଚିନ୍ ସଙ୍ଗେସଙ୍ଗେ ମୋତେ କହିଲେ, ‘ଦେଖ ସାଇମନ୍, ମୁଁ ତାହା ଜାଣିଛି’। ହେଲେ ତୁମେ ଜଣେ ଭଲ ଅମ୍ପାୟାର। ତୁମେ କଦାପି ଏକାଧିକ ଭୁଲ୍ କରିପାରନି। ଏହା ଠିକ ଅଛି, ସେନେଇ ଅନୁତାପ କରନି ବୋଲି ସଚିନ୍ ମୋତେ କହିଥିବା କଥା ମନେ ପକାଇଛନ୍ତି ଟଫେଲ। ମୋର ଭୁଲ୍ ନିଷ୍ପତ୍ତି ପାଇଁ ତାଙ୍କ ନିକଟରେ କ୍ଷମା ମାଗିନଥିଲେ ମଧ୍ୟ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯେଉଁ ଭାବ ବିନିମୟ ହେଲା ତାହାପରଠୁ ଉଭୟେ ଉଭୟଙ୍କୁ ଭଲ ଭାବେ ଚିହ୍ନିପାରିଲୁ ଏବଂ ଦୁହିଁଙ୍କ ସଂପର୍କ ସେବେଠାରୁ ଦୃଢ଼ ହେବାରେ ଲାଗିଲା ବୋଲି କହିଛନ୍ତି ଟଫେଲ। ଉଭୟେ ନିଜ ନିଜର ଶ୍ରେଷ୍ଠ ଦିଗରେ ଅଗ୍ରସର ହୋଇଥିଲୁ। ଏହା ହିଁ କ୍ରୀଡ଼ା। ସେଥିରେ କିଛିଟା ଭୁଲ୍ ନିଷ୍ପତ୍ତି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଥାଏ। ଏନେଇ ମୋର ମଧ୍ୟ ପୂରା ବିଶ୍ବାସ ରହିଥାଏ। ଆଉ ଖାସ୍ ସେହି ଦୃଷ୍ଟିରୁ ଏପରିକି ଶତକ ଦ୍ବାରଦେଶରେ ଥାଇ ଭୁଲ୍ ନିଷ୍ପତ୍ତିର ଶିକାର ହେବାରେ ସଚିନ୍ ଆଦୌ ସୁଖୀ ନଥିଲେ। କିନ୍ତୁ ଦ୍ବିତୀୟବାର ଆଉ ଏଭଳି ଭୁଲ୍ ନିଷ୍ପତ୍ତି ଦୋହରାଇବି ନାହିଁ ବୋଲି ନିଜକୁ ନିଜେ ଭାବିନେଇଥିଲି। ବିଶ୍ବ କ୍ରିକେଟ୍ରେ ଭୁଲ୍ ନିଷ୍ପତ୍ତିରେ ଶ୍ରେଷ୍ଠତ୍ବ ହାସଲ ନକରିବା ପାଇଁ ଚିନ୍ତା କରିଥିଲି। ସବୁଠୁ ବଡ଼ କଥା ହେଲା ସେହି କେତୋଟି ଭୁଲ୍ ସତ୍ତ୍ବେ ସଚିନ୍ ମୋତେ ଖୁବ୍ ସମ୍ମାନ କରିଥା'ନ୍ତି ଏବଂ ଆମ ପରସ୍ପର ସଂପର୍କ ମଧ୍ୟ ଦୃଢ଼ ହୋଇଥିଲା ବୋଲି କହିଛନ୍ତି ଟଫେଲ।
ଅନ୍ୟପକ୍ଷରେ ତାଙ୍କର ଏକ ଭୁଲ୍ ନିଷ୍ପତ୍ତି ସଚିନ୍ଙ୍କୁ କିପରି ଶତକ ପୂରଣ କରିବାରେ ସହାୟକ ହୋଇଥିଲା ତାହା ମଧ୍ୟ ଟଫେଲ ସଚିନ୍ ପ୍ରଶଂସକଙ୍କୁ ମନେ ପକାଇ ଦେଇଛନ୍ତି। ୨୦୦୫ରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ମ୍ୟାଚ୍ରେ ସଚିନ୍ ଆଉଟ୍ ଥିଲେ ମଧ୍ୟ ମୁଁ ଦେଇନଥିଲି। ପାଳିର ଆରମ୍ଭରୁ ତାଙ୍କ ପ୍ୟାଡ୍ରେ ବଲ୍ ବାଜିଥିଲା। ହେଲେ ଭୁଲ୍ ବଶତଃ ମୁଁ ତାଙ୍କୁ ଏଲ୍ବିଡବ୍ଲୁ ଆଉଟ୍ ଦେଇନଥିଲି। ଏହାପରେ ସଚିନ୍ ସେହି ପାଳିରେ ଶତକ ଜମାଇଥିଲେ ବୋଲି ସ୍ମୃତିଚାରଣ କରିଛନ୍ତି ଟଫେଲ। ସେହି ସମୟରେ ତାହା ମଧ୍ୟ ସଚିନ୍ଙ୍କର କୀର୍ତ୍ତିମାନ ଭଙ୍ଗକାରୀ ଶତକ ଥିଲା। କେହି ସେସଂପର୍କରେ କିଛି ବି କହିନଥିଲେ। ତେଣୁ ସଚିନ୍ କେବଳ ୯୧ରେ ହେଉ ବା ଶତକ ପୂର୍ବରୁ ଆଉଟ୍ ହୋଇଗଲେ ତାଙ୍କ ପ୍ରଶଂସକ କ୍ଷୁବ୍ଧ ହୁଅନ୍ତି; ମାତ୍ର ଶତକ ପୂରଣ କଲେ କେହି ଦୁର୍ବଳ ଦିଗ ପ୍ରତି ଅଙ୍ଗୁଳି ଉଠାନ୍ତିନି ବୋଲି ଟଫେଲ କହିଛନ୍ତି। କିନ୍ତୁ ସଚିନ୍ଙ୍କ ସପକ୍ଷରେ ଦେଇଥିବା ୨୦୦୫ର ସେହି ନିଷ୍ପତ୍ତିକୁ ନେଇ ସେତେବେଳର ଶ୍ରୀଲଙ୍କା ପ୍ରଶିକ୍ଷକ ଟମ୍ ମୁଡି ବିଶେଷକରି ମୋ ଉପରେ ଖୁସୀ ନଥିଲେ ବୋଲି ଟଫେଲ ମନେ ପକାଇଛନ୍ତି।