ନୂଆଦିଲ୍ଲୀ: ମାରାତ୍ମକ ବ୍ୟାଧି କର୍କଟ ସହ ଲଢ଼େଇ କରି ଜିତିବା ପରେ ଆନ୍ତର୍ଜାତିକ କ୍ରିକେଟକୁ ଫେରିବା ପାଇଁ ସଚିନ୍ ତେନ୍ଦୁଲକର ହିଁ ମୋତେ ସହାୟତା କରିଥିଲେ। ତାଙ୍କ ପ୍ରେରଣା ମିଳିନଥିଲେ ମୋର ପ୍ରତ୍ୟାବର୍ତନ ହୁଏତ ସମ୍ଭବ ହୋଇପାରିନଥା'ନ୍ତା ବୋଲି ସ୍ମୃତିଚାରଣ କରିଛନ୍ତି ଯୁବରାଜ ସିଂହ। ଭାରତର ଏହି ପୂର୍ବତନ ବାମହାତୀ ଅଲ୍ରାଉଣ୍ଡର ୨୦୧୧ ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ହେଲେ ସେହି ବିଶ୍ବକପ୍ ପରେ ପରେ ତାଙ୍କ ଶରୀରରେ କର୍କଟ ରୋଗର ଲକ୍ଷଣ ଦେଖାଦେଇଥିଲା। କିନ୍ତୁ କର୍କଟ ଭଳି ଅସାଧ୍ୟ ରୋଗ ବିପକ୍ଷରେ ଦୃଢ଼ ମନୋବଳ ସହ ଲଢ଼େଇ କରି ସଫଳତା ପାଇଥିଲେ ଯୁବରାଜ। ଆଉ ୨୦୧୨ ସେପ୍ଟେମ୍ବରରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ। ଏହାପରେ ସେ ମଧ୍ୟ ଆହୁରି ୫ ବର୍ଷରୁ ଅଧିକ ଖେଳିଥିଲେ। ହେଲେ କର୍କଟରେ ପୀଡ଼ିତ ହେବା ଏବଂ ଆନ୍ତର୍ଜାତିକ କ୍ରିକେଟକୁ ଫେରିବା ମଧ୍ୟରେ ତାଙ୍କୁ କିଛିଟା ଘାତ ପ୍ରତିଘାତ ସହିବାକୁ ପଡ଼ିଥଲା। ମୁଁ ଏନେଇ ସଚିନ୍ଙ୍କୁ କହିଥିଲି। ସେ ପଚାରିଥିଲେ, ''ଆମେ କାହିଁକି କ୍ରିକେଟ୍ ଖେଳୁ? ହଁ, ଆମେ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ଚାହୁଁ। ହେଲେ କ୍ରିକେଟ୍କୁ ଭଲ ପାଉଥିବା ଯୋଗୁଁ ଖେଳୁ। ତେଣୁ ଯଦି ତୁମେ କ୍ରିକେଟ୍କୁ ଭଲପାଅ, ତାହାଲେ ତୁମେ ଖେଳିପାର'' ବୋଲି ସ୍ପୋର୍ଟସ୍କ୍ରୀଡ଼ାକୁ ନିଜର ଅତୀତକୁ ମନେ ପକାଇ କହିଛନ୍ତି ଯୁବରାଜ। ଆହୁରି ପୁଣି ସଚିନ୍ ମଧ୍ୟ କହିଥିଲେ, ''ଯଦି ମୁଁ ଏପରି ସ୍ଥିତିରେ ଥାଆନ୍ତି, ତାହାଲେ କ'ଣ କରିବା କଥା ଜାଣିପାରିନଥା'ନ୍ତି। କିନ୍ତୁ ତୁମେ ଯଦି କ୍ରିକେଟ୍କୁ ଭଲପାଅ, ତାହାଲେ ଖେଳ ଏବଂ କେବେ ଅବସର ନେବ ତାହା ତୁମେ ସ୍ଥିର କର। ଲୋକମାନେ କିନ୍ତୁ ତୁମ ପାଇଁ ଅବସର କଥା ସ୍ଥିର କରିବା ଉଚିତ ନୁହେଁ'' ବୋଲି ସଚିନ୍ କହିଥିବା କଥା ଯୁବରାଜ କହିଛନ୍ତି।
ସଚିନ୍ଙ୍କ ସେହି ପ୍ରେରଣାଦାୟୀ ପରାମର୍ଶ ଯୁବରାଜଙ୍କୁ ଆନ୍ତର୍ଜାତିକ କ୍ରିକେଟ୍କୁ ପ୍ରତ୍ୟାବର୍ତନ କରିବା ପାଇଁ ଶକ୍ତି ଯୋଗାଇ ଦେଇଥିଲା। ଯାହାଫଳରେ ସେହି ଯୁବରାଜ ୨୦୧୪ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ସଦସ୍ୟ ହୋଇପାରିଥିଲେ। ଉଭୟ ପ୍ରତିଯୋଗିତାରେ ଅବଶ୍ୟ ଭାରତ ଫାଇନାଲ୍ ପହଞ୍ଚିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ତେଣୁ ସଚିନ୍ଙ୍କ ସହ ମୁଁ ଆଲୋଚନା କରିଥିଲି ଏବଂ ୩-୪ ବର୍ଷ ଘରୋଇ କ୍ରିକେଟ୍ ଖେଳିଥିଲି। ଭାରତୀୟ ଦଳରେ ମୁଁ ସ୍ଥିର ହୋଇ ରହିପାରୁନଥିଲି। ଅଧିକାଂଶ ସମୟ ଭିତର ବାହାର ହେଉଥିଲି। ଏହାସତ୍ତ୍ବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିଲି। କିଛିଟା ପ୍ରତ୍ୟାବର୍ତନ କରିଥିଲି। ହେଲେ କର୍କଟ ପରର ଶରୀର ମୋର ପୂର୍ବପରି ନଥିଲା ଯାହାକି ଆଉ ଆଗକୁ ବଢ଼ିବାକୁ ବିଶେଷ ଅନୁମତି ଦେଉନଥିଲା। ''ତା'ସତ୍ତ୍ବେ ପ୍ରତ୍ୟାବର୍ତନ କରିପାରିଲି ଏବଂ ମୋର ସର୍ ବୋଚ୍ଚ ଦିନିକିଆ ସ୍କୋର୍ କରିଥିଲି। ସେଥିପାଇଁ ଜୀବନରେ ସବୁବେଳେ ଖୁସୀରେ ରହିବାକୁ ମୁଁ ଚାହୁଁଥିଲି। ଶାନ୍ତିରେ ରହିବାକୁ ଚାହୁଁଥିଲା ବେଳେ ମନରେ କୌଣସି ଅବସାଦ ରଖିନଥିଲି। ତେଣୁ ଆଗଜୁ ବଢ଼ିନପାରିବା କଷ୍ଟ ଦେଇନଥିଲା'' ବୋଲି ଭାରତ ପାଇଁ ୩୦୪ ଦିନିକିଆ ଏବଂ ୫୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ସମେତ ୪୦ ଟେଷ୍ଟ୍ ଖେଳିଥିବା ଯୁବରାଜ କହିଛନ୍ତି। ଏହି ମହାନ୍ ଅଲ୍ରାଉଣ୍ଡର ଭାରତୀୟ କ୍ରିକେଟ୍ ଇତିହାସରେ ଅନ୍ୟତମ ସଫଳତମ ଧଳାବଲ୍ ଖେଳାଳି ବିବେଚିତ ହୋଇଥିଲେ।