ଲାହୋର: ପାକିସ୍ତାନର କିଂବଦନ୍ତି ଦ୍ରୁତ ବୋଲର ୱାସିମ ଆକ୍ରମ ନିଜ ପସନ୍ଦର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଞ୍ଚମ ସ୍ଥାନରେ ରଖିଛନ୍ତି। ପ୍ରଥମ ଚାରି ସ୍ଥାନରେ ସେ ୱେଷ୍ଟଇଣ୍ଡିଜର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ, ନ୍ୟୁଜିଲାଣ୍ଡର ମାର୍ଟିନ କ୍ରୋ, ୱେଷ୍ଟଇଣ୍ଡିଜ୍ର ଅନ୍ୟତମ ମହାନ କ୍ରିକେଟର ବ୍ରାଏନ ଲାରା ଏବଂ ନିଜ ଦେଶର ଇଞ୍ଜମାମ-ଉଲ୍-ହକଙ୍କୁ ରଖିଛନ୍ତି। ସଚିନଙ୍କୁ ଉପରେ ନ ରଖିବାର କାରଣ ମଧ୍ୟ ଆକ୍ରମ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ମୁଁ କିମ୍ବା ମୋ ସାଥୀ ବୋଲର ୱାକର ୟୁନିସ୍ ଦୀର୍ଘ ୧୦ ବର୍ଷ ପାଇଁ ଓ ନିଜ ଶ୍ରେଷ୍ଠ ସମୟରେ ସଚିନଙ୍କୁ ବୋଲିଂ କରିପାରିନଥିଲୁ।
ସଚିନ ୧୯୮୯ରେ ୧୬ ବର୍ଷ ବୟସରେ ପାକିସ୍ତାନ ଆସିଥିଲେ। ଏହା ପରେ ୧୯୯୯ରେ ଆମ ତାଙ୍କୁ ଟେଷ୍ଟ୍ କ୍ରିକେଟ୍ରେ ବୋଲିଂ କରିବାର ସୁଯୋଗ ପାଇଥିଲୁ। ଦିନିକିଆ କ୍ରିକେଟ୍ରେ ସଚିନଙ୍କୁ ମୁଁ ସାରଜାରେ ବୋଲିଂ କରିଥିଲି। ହେଲେ ଟେଷ୍ଟ୍ କ୍ରିକେଟ୍ କଥା ଭିନ୍ନ। ନିଃସନ୍ଦେହରେ ସେ ଜଣେ ଚମତ୍କାର ଖେଳାଳି। ହେଲେ ମୋ ଶ୍ରେଷ୍ଠ ସମୟରେ ତାଙ୍କୁ ବୋଲିଂ କରି ନଥିବାରୁ ସଚିନଙ୍କୁ ଆକଳନ କରିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର। ରିଚାର୍ଡସଙ୍କୁ ପ୍ରଥମ ସ୍ଥାନରେ ରଖିବାର କାରଣ ବର୍ଣ୍ଣନା କରି ଆକ୍ରମ କହିଛନ୍ତି ଯେ ଅତୁଳନୀୟ ବୈଷୟିକ କୌଶଳ, ବଳିଷ୍ଠ ବ୍ୟକ୍ତିତ୍ବ ଓ ଖେଳ ଉପରେ ପ୍ରଭାବ ପାଇଁ ରିଚାର୍ଡସ ମୋ ପ୍ରଥମ ପସନ୍ଦର ବ୍ୟାଟ୍ସମ୍ୟାନ୍। ଅଶି ଦଶକ ମଧ୍ୟଭାଗରୁ ନବେ ଦଶକ ଏବଂ ୨,୦୦୦ ମସିହା ପରେ ମୁଁ ଅନେକ ମହାନ ଖେଳାଳିଙ୍କ ବିପକ୍ଷରେ ଖେଳିଛି। ହେଲେ ରିଚାଡର୍ସଙ୍କ ସ୍ତର ସେ ସମସ୍ତଙ୍କଠାରୁ ଉଚ୍ଚ। ପାଲଟା ସୁଇଂକୁ ଖେଳିବାକୁ ସମଗ୍ର ବିଶ୍ବର ବ୍ୟାଟ୍ସମ୍ୟାନ୍ ଅସମର୍ଥ ହେଉଥିଲା ବେଳେ ଆକ୍ରମ ଓ ୟୁନିସଙ୍କୁ ମାର୍ଟିନ କ୍ରୋ’ ବହୁ ଭଲ ଭାବରେ ଖେଳୁଥିଲେ। ସେଥିପାଇଁ କ୍ରୋ’ଙ୍କୁ ସେ ଦ୍ବିତୀୟ ସ୍ଥାନରେ ରଖିଥିବା ଆକ୍ରମ ମତ ଦେଇଛନ୍ତି। ଲାରାଙ୍କୁ ବୋଲିଂ କରିବା ଅତ୍ୟନ୍ତ କଷ୍ଟକର। ସେ କେବେ ବି ଗୋଟିଏ ସ୍ଥାନରେ ସ୍ଥିର ରହୁ ନଥିଲେ, ତାଙ୍କ ବ୍ୟାଟ୍ ବିଭିନ୍ନ ଦିଗରୁ ଆସୁଥିଲା। ସେଥିପାଇଁ ଲାରାଙ୍କୁ ଆକ୍ରମ ତୃତୀୟ ସ୍ଥାନ ଦେଇଛନ୍ତି। ଉଭୟ ଇଞ୍ଜମାମ ଓ ସଚିନଙ୍କୁ ଅଧିକ ବୋଲିଂ କରିନଥିଲେ ମଧ୍ୟ ଇଞ୍ଜିଙ୍କୁ ଚତୁର୍ଥ ଓ ସଚିନଙ୍କୁ ପଞ୍ଚମରେ ରଖିବି ବୋଲି ଆକ୍ରମ କହିଛନ୍ତି।