ଇର୍ଫାନ୍‌ଙ୍କୁ ପିଞ୍ଚ୍‌ ହିଟର୍‌ ପଠାଇବା ଯୋଜନା ସଚିନ କରିଥିଲେ

ନୂଆଦିଲ୍ଲୀ: ଭାରତୀୟ ଦଳ ପାଇଁ କିଛି ମ୍ୟାଚ୍‌ରେ ପିଞ୍ଚ୍‌ ହିଟର୍‌ ଭାବେ ଖେଳିବା ଏପରିକି ପାଳି ଆରମ୍ଭ କରିବାର ଅସଲ କାହାଣୀ ଉପରୁ ପରଦା ହଟାଇଛନ୍ତି ପୂର୍ବତନ ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ୍‌। ଅନେକଙ୍କ ଧାରଣା ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କ ପ୍ରସ୍ତାବ କାରଣରୁ ଏଭଳି ହୋଇଥିଲା। କିନ୍ତୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ଚିନ୍ତାଧାରା ତଥା ଯୋଜନା କାରଣରୁ ହିଁ ଇର୍ଫାନ୍ ପିଞ୍ଚ୍‌ ହିଟର ଭାବେ ଖେଳି ସଫଳ‌ ହୋଇଥିଲେ। ଭାରତୀୟ ଦଳ ପାଇଁ ଇର୍ଫାନ୍‌ ଅନେକ ଥର ଶୀର୍ଷକ୍ରମରେ ଖେଳିଛନ୍ତି, ଏପରିକି କେତେଥର ପାଳି ଆରମ୍ଭ ମଧ୍ୟ କରିଛନ୍ତି। ୨୦୦୫ ମସିହାରେ ପ୍ରଥମେ ପଠାନ୍‌ଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଦେଖିବାକୁ ମିଳିଥିଲା, ସେ ନିରାଶ ବି କରିନଥିଲେ। ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ଏହି ଦିନିକିଆ ମ୍ୟାଚ୍‌ରେ ସେ ୭୦ ବଲ୍‌ରୁ ୮୩ ରନ୍ କରିଥିଲେ। ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଭାରତୀୟ ଦଳ ପ୍ରଶିକ୍ଷକ ଥିବା ଚାପେଲଙ୍କ ବିବାଦୀୟ କାର୍ଯ୍ୟକାଳକୁ କିନ୍ତୁ ଇର୍ଫାନ୍ ସମାଲୋଚନା କରିନଥିଲେ। ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଥିଲା ଯେ ‘ଚାପେଲ ମୋତେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ପଦୋନ୍ନତି କରାଇବା ଆଦି କାରଣରୁ ମୋ ଖେଳ ଜୀବନ ଶେଷ ହୋଇଗଲା। ବାସ୍ତବରେ ଏହା ସଚିନ ପାଜୀଙ୍କ ଚିନ୍ତାଧାରା ଥିଲା, ସେ ହିଁ ରାହୁଲ ଦ୍ରାବିଡ଼ଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ସଚିନ କହିଥିଲେ ସେ (ଇର୍ଫାନ୍‌) ଛକା ମାରିବା କ୍ଷମତା ରଖିଛି ଏବଂ ଦ୍ରୁତ ବୋଲରଙ୍କୁ ବି ଭଲ ଖେଳିପାରେ। ମୁରଲୀଧରନ ତାଙ୍କ‌‌ ଖେଳ ଜୀବନର ଶିଖରରେ ଥିବାବେଳେ ମୁଁ ଏହ‌ି ପ୍ରୟାସ କରିଥିଲି, ଦିଲହରା ଫର୍ନାଣ୍ଡୋ ମଧ୍ୟ ନୂଆ ଧରଣର ସ୍ପ୍ଲିଟ୍‌ ଫିଙ୍ଗର୍ ସ୍ଲୋୟର୍ ବଲ୍‌ ପକାଇଥିଲେ। ଅଧିକାଂଶ ବ୍ୟାଟସମ୍ୟାନ୍‌ ଏହାକୁ ବୁଝି ପାରୁନଥିଲେ। ବାସ୍ତବରେ ଯେଉଁମାନେ ମୋ‌ର କ୍ଷତି କରିଛନ୍ତି ସେମାନେ ମୋତେ ସମର୍ଥନ ଆବଶ୍ୟକ ବେଳେ କରିନଥିଲେ ବୋଲି ପଠାନ୍ ଅଭିଯୋଗ କରିଥିଲେ। ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୨୮ରନ୍‌ରୁ ପାଖାପାଖି ୬୦ ରନ୍ ଆବଶ୍ୟକ ଥିବାବେ‌ଳେ ମୁଁ ଦଳକୁ ବିଜୟୀ କରାଇଥିଲି। ସେହି ଶୃଙ୍ଖଳାରେ ବି ସନଥ ଜୟସୁରିଆଙ୍କୁ ୩ ଥର ଆଉଟ୍ କରିଥିଲି। ଏହ‌ା ପରେ ମୋତେ ନ୍ୟୁଜିଲାଣ୍ଡ୍ ନିଆଯାଇଥିଲେ ମଧ୍ୟ ମ୍ୟାଚ୍‌ ଖେଳିବା ସୁଯୋଗ ମିଳିନଥିଲା ଏବଂ ଏହା ଜାରି ରହିଥିଲା। ମୁଁ ଇତି ମଧ୍ୟରେ ଆହତ ହୋଇଥିଲି ସତ କିନ୍ତୁ ପ୍ରତ୍ୟାବର୍ତନ ପାଇଁ କିଛି ଖସଡ଼ା ପ୍ରସ୍ତୁତ ନ ଥିଲା। ମୋତେ ଆଉ ସୁଯୋଗ ମିଳିନଥିଲା’ ବୋଲି ଅବସୋସର ସହ କହିଥିଲେ ଇର୍ଫାନ୍।

ସମ୍ବନ୍ଧିତ ଖବର