ସଚିନ-ମ୍ୟାକଗ୍ରା ଓ ସଚିନ-ଅଖତର ଲ‌େଢ଼ଇର ଭିନ୍ନତା ବଖାଣିଲେ ହଗ୍‌

ନୂଆଦିଲ୍ଲୀ: ପେସାଦାର କ୍ରୀଡ଼ାରେ ପ୍ରତ୍ୟେକ କ୍ରୀଡ଼ାବିତ୍‌ ଶ୍ରେଷ୍ଠ ପ୍ରତିପକ୍ଷଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହାଁନ୍ତି। କାରଣ ଏହାଦ୍ବାରା ସେମାନେ ପରସ୍ପରର ସୂକ୍ଷ୍ମତାକୁ ପରୀକ୍ଷା କରିପାରିଥାନ୍ତି। ତେଣୁ ଯେତେବେଳେ ବିଶ୍ବର ଦୁଇ ଶ୍ରେଷ୍ଠ ଯୋଦ୍ଧା ପରସ୍ପର ସହ ଲଢ଼େଇ କରନ୍ତି, ସେତେବେଳେ ଏହା ଆକର୍ଷଣୀୟ ହୋଇଥାଏ। ଏହିପରି ଭାବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯେତେବେଳେ ‌ଗ୍ଲେନ୍‌ ମ୍ୟାକଗ୍ରା କିମ୍ବା ସୋଏବ ଅଖତରଙ୍କ ସମ୍ମୁଖରେ କ୍ରିଜ୍‌ରେ ଉପସ୍ଥିତ ଥାନ୍ତି, ଦର୍ଶକମାନେ ସେତେବେଳେ ନିଜସ୍ଥାନରୁ ଉଠି ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଥାନ୍ତି। ତେଣୁ ଉଭୟ ‌ଯୁଦ୍ଧ ନିଜ ନିଜ ଭିତରେ ସ୍ବତନ୍ତ୍ର ଓ ଭିନ୍ନ ସ୍ତରର। ଏଗୁଡ଼ିକୁ ଦେଖିଲେ ମଧ୍ୟ ବହୁତ ରୋମାଞ୍ଚ ମିଳିଥାଏ। ପୂର୍ବତନ ଅଷ୍ଟ୍ରେଲିୟ ବୋଲର ବ୍ରାଡ ହଗ୍‌ ଏହି ଦୁଇ ଲ‌େଢଇ କିପରି ଭାବେ ପରସ୍ପରଠୁ ଭିନ୍ନ ତାହା ବିଷୟରେ ବର୍ଣ୍ଣନା କରିଛନ୍ତି।

ଟ୍ବିଟରରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହଗ୍‌ କହିଛନ୍ତି ଯେ ସଚିନ ବନାମ ମ୍ୟାକଗ୍ରା ଲଢେଇ ହେଉଛି ଧୈର୍ଯ୍ୟର ଏକ ଯୁଦ୍ଧ, ଯାହାକୁ ମ୍ୟାକ୍‌ଗ୍ରା ସବୁବେଳେ ଜିତିବାକୁ ଚାହିଁଥାନ୍ତି। କିନ୍ତୁ ସଚିନ ବନାମ ଅଖତର ଲଢ଼େଇ ଏକ ଅନିୟମିତ ଖେଳ। କାରଣ ଅଖତର ତାଙ୍କ ବେଗରେ ସଚିନ୍‌ଙ୍କୁ ଆଉଟ କରିବାକୁ ପ୍ରୟାସ କରିଥାନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ୍‌ ହୋଇଥିବାରୁ ପ୍ରତିଦ୍ବନ୍ଦ୍ବିତାକୁ ଏହା ଅଧିକ ମସଲା ଯୋଗାଇଥାଏ। ସଚିନଙ୍କ ବିଷୟରେ ଅଖତର ଅଧିକାଂଶ ସମୟରେ ଆଲୋଚନା କରିଥାନ୍ତି। ନିକଟ ଅତୀତରେ ରୋହିତଙ୍କ ଖେଳିବା ଶୈଳୀ ସହ ସଚିନଙ୍କ ତୁଳନା ମଧ୍ୟ କରିଥିଲେ। ଯେତେବେଳେ ରୋହିତ ତାଙ୍କ ଲୟରେ ଥାନ୍ତି, ସେତେବେଳେ ବଲ୍‌ ଭଲ କି ଖରାପ ତାହା ସେ ଚିନ୍ତା କରିନଥାନ୍ତି। କାରଣ ତାଙ୍କ ‌ପାଖରେ ଖେଳିବା ପାଇଁ ପର୍ଯ୍ୟାପ୍ତ ସମୟ ରହିଥାଏ। ତେଣୁ ତାଙ୍କୁ ସଟ୍‌‌ ଖେଳିବା ବହୁତ ସହଜ ହୋଇଯାଏ ବୋଲି ସୋଏବ ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ରେ କହିଥିଲେ। ସେ ମିଚେଲ୍‌ ଷ୍ଟାର୍କଙ୍କୁ ପ୍ରହାର କରିବା ପରେ କମିନ୍ସଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେ ଯେଉଁଭଳି ଭାବେ କଟ୍‌ ସଟ୍‌ ଖେଳୁଛନ୍ତି, ତାହା ତେନ୍ଦୁଲକରଙ୍କ ଛକା ମାରିବା ଶୈଳୀକୁ ମନେ ପକାଇଦେଉଥିବା ଅଖତର କହିଥିଲେ।

ସମ୍ବନ୍ଧିତ ଖବର