ଗୋଟିଏ ପରାଜୟ ପାଇଁ ଦଳର ଦକ୍ଷତା ଉପରେ ସଂଦେହ  କରିବା ଠିକ ନୁହେଁ : ସଚିନ

ମୁମ୍ବାଇ : ଟି-୨୦ ବିଶ୍ବକପରେ ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ ପରେ ମତ ରଖିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ କହିଛନ୍ତି ଯେ ଗୋଟିଏ ମ୍ୟାଚକୁ ଦେଖି ଦଳର ଦକ୍ଷତା ଉପରେ ସଂଦେହ କରିବା ଠିକ ନୁହେଁ । କାରଣ ଭାରତୀୟ ଦଳ ଏବେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ ଓ ଏହି ସ୍ଥିତିରେ ପହଞ୍ଚିବାକୁ ହେଲେ ନିୟମିତ ଭାବେ ଭଲ ଖେଳିବାକୁ ପଡ଼ିବ । ଭାରତୀୟ କ୍ରିକେଟ ଦଳ ପୂର୍ବରୁ ଭଲ ଖେଳି ଆସିଥିବାରୁ ଏହି ସ୍ଥିତିରେ ପହଞ୍ଚିଛି ।

କିନ୍ତୁ ସଚ୍ଚିନ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଆଡିଲେଡ ପରି ଏକ ଛୋଟ ବାଉଣ୍ଡରି ପାଇଁ ୧୬୯ ଲକ୍ଷ୍ୟ ଏକ ବଡ଼ ଲକ୍ଷ୍ୟ ନୁହେଁ । ଏଣୁ ପରାଜୟ ପାଇଁ ଭାରତୀୟ ବ୍ୟାଟିଂକୁ ସେ ଦାୟୀ କରିଛନ୍ତି । ଏହି ପଡ଼ିଆ ପାଇଁ ୧୯୦ ଏକ ଭଲ ଲକ୍ଷ୍ୟ । ଭାରତୀୟ ବୋଲିଂ ବିଭାଗ ବି ସଂପୂର୍ଣ୍ଣ ବିଫଳ ହୋଇଥିଲା ବୋଲି ସେ କହିଛନ୍ତି ।

ଗତ ଗୁରୁବାରଦିନ ଭାରତ ହାରିବା ପରେ ବି ଏକ ଟୁଇଟ କରି ମତ ରଖିଥିଲେ ସଚ୍ଚିନ । ସେ ଲେଖିଥିଲେ, “ ଗୋଟିଏ ମୁଦ୍ରାର ଯେପରି ଦୁଇଟି ପାର୍ଶ୍ବ ଥାଏ, ଜୀବନର ସେପରି ଦୁଇଟି ପାର୍ଶ୍ବ ଥାଏ । ଆମେ ଯଦି ଟିମର ବିଜୟକୁ ଆମ ବିଜୟ ଭାବି ସେଲିବ୍ରେଟ କରୁ, ତେବେ ଟିମର ପରାଜୟକୁ ବି ଆମକୁ ଗ୍ରହଣ କରିବାକୁ ହେବ । ଜୀବନରେ ହାରଜିତ ଲାଗି ରହିଥାଏ ।“

 

ସମ୍ବନ୍ଧିତ ଖବର