ମୁମ୍ବାଇ: କିଂବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ଆଇପିଏଲ୍‌ରେ ପ୍ରଥମ ୱିକେଟ୍‌ ପାଇଛନ୍ତି। ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବଦ ବିପକ୍ଷ ମ୍ୟାଚ୍‌ରେ ସେ ଶୃଙ୍ଖଳିତ ବୋଲିଂ କରିବା ସହିତ ଶେଷ ଓଭରରେ ମାତ୍ର ୪ ରନ୍‌ ବ୍ୟୟ କରି ଦଳକୁ ଜିତାଇଥିଲେ। ଶେଷ ଓଭରର ପଞ୍ଚମ ବଲ୍‌ରେ ଭୁବନେଶ୍ବର କୁମାରଙ୍କୁ ସେ ଆଉଟ୍‌ କରି ପ୍ରଥମ ଆଇପିଏଲ୍‌ ସଫଳତା ପାଇଥିଲେ। ଏହି ସଫଳତା ପରେ ଡ୍ରେସିଂ ରୁମ୍‌ରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ତେବେ ବାପା ସଚିନ୍‌ଙ୍କ ପ୍ରଶଂସା ସବୁଠୁ ଚର୍ଚ୍ଚିତ ଥିଲା। ପ୍ରଥମେ ପ୍ରଶିକ୍ଷକ ମାର୍କ ବାଉଚର ଅର୍ଜୁନଙ୍କୁ ପ୍ରଶଂସା କରି କହିଥିଲେ ଯେ ନୂଆ ବଲ୍‌ ପାଇଲେ କିଛି ଅଲଗା କରିବା ପାଇଁ ପରାମର୍ଶ ଦିଆଯାଇଥିଲା ବେଳେ ଅର୍ଜୁନ ତାହା କରିପାରିଥିଲେ। ଶେ‌ଷ ଓଭରରେ ଚାପ ଥିଲେ ବି ତାହାକୁ ସଠିକ୍‌ ଭାବେ ‌ଅର୍ଜୁନ ମୁକାବିଲା କରିଥିଲେ। ପରେ ସଚିନ୍‌ ମୁମ୍ବାଇ ଇଣ୍ଡିଆନ୍ସର ଏକ ବ୍ୟାଜ୍‌ ଅର୍ଜୁନ୍‌ଙ୍କ ଛାତିରେ ପିନ୍ଧାଇଥିଲା ବେଳେ ‘ଶେଷରେ ଜଣେ ତେନ୍ଦୁଲକରଙ୍କୁ ଆଇପିଏଲ୍‌ ୱିକେଟ୍‌ ମିଳିଲା’ ବୋଲି କହିଥିଲେ।