ପାଳି ଆରମ୍ଭ କରିବାକୁ ଦଳୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ସଚିନ

ମୁମ୍ବାଇ: ଖେଳ ଜୀବନର ଆଦ୍ୟ ପର୍ବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଢେର କିଛି ସମୟ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ୧୯୮୯ରୁ ୧୯୯୪ ମସିହା ମାର୍ଚ ମାସ ପର୍ଯ୍ୟନ୍ତ ପାଖାପାଖି ୫ ବର୍ଷ ସଚିନ ମଧ୍ୟକ୍ରମରେ ଖେଳିଥିଲେ। ପାଳି ଆରମ୍ଭ କରିବାର ଇଚ୍ଛା ଓ ଦକ୍ଷତା ଥାଇ ମଧ୍ୟ ସେ ଏଥିରୁ ବଞ୍ଚିତ ହେଉଥିଲେ। ଶେଷରେ ୧୯୯୪ ମସିହା ମାର୍ଚ ୨୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଦିନିକିଆ ମୁକାବିଲାରେ ଦଳୀୟ ଅଧିକାରୀଙ୍କୁ ‌ନେହୁରା ହୋଇ ପାଳି ଆରମ୍ଭ କରିବାର ପ୍ରତୀକ୍ଷିତ ସୁଯୋଗ ପାଇଥିଲେ ସଚିନ। ସେହିଠାରୁ ହିଁ ତାଙ୍କ ଖେଳ ଜୀବନ ନୂଆ ମୋଡ଼ ନେଇଥିଲା।

ଦିନିକିଆ କ୍ରିକେଟ୍‌ରେ ‌କୀର୍ତ୍ତିମାନର ପହାଡ଼ ସୃଷ୍ଟି କରି ସଚିନ ସର୍ବାଧିକ ୪୯ ଶତକ ହାସଲ କରିଥିଲେ। ସାମାଜିକ ଗଣମାଧ୍ୟମ ଲିଙ୍କେଡିନରେ ଏକ ଭିଡିଓ ପ୍ରକାଶ କରି ଭାରତୀୟ କ୍ରିକେଟ୍‌ର ଏହି କିମ୍ବଦନ୍ତୀ ପୁରୁଷ ସେହି ପୁରୁଣା ଦିନକୁ ମନେ ପକାଇଛନ୍ତି। ତା’ ସହ ବିଫଳତାକୁ ଭୟ ନକରି ନିଜ ପସନ୍ଦର କାର୍ଯ୍ୟ କରିବାକୁ କେବେ ବି ପଛଘୁଞ୍ଚା ନଦେବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ସଚିନ କହିଛନ୍ତି, ୧୯୯୪ରେ ମୁଁ ଯେତେବେଳେ ଭାରତ ପାଇଁ ପାଳି ଆରମ୍ଭ କଲି, ସେତେବେଳେ ସବୁ ଦଳ ୱିକେଟ୍ ବଞ୍ଚାଇବା ଉପରେ ଗୁରୁତ୍ବ ଦେଉଥିଲେ। ମୁଁ କିଛି ଭିନ୍ନ କରିବାକୁ ଚେଷ୍ଟା କରି ସଫଳ ହେଲି। ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରିପାରିବି ବୋଲି ମନରେ ସାହସ ଥିଲା। ହେଲେ ମଧ୍ୟକ୍ରମରୁ ଯାଇ ଶୀର୍ଷକ୍ରମରେ ଖେଳିବା ଲାଗି ମୋତେ ଅଧିନାୟକ ଓ ପ୍ରଶିକ୍ଷକଙ୍କୁ କାକୁତି ମିନତି କରିବାକୁ ପଡ଼ିଥିଲା। ବିଫଳ ହେଲେ ମୁଁ ଏମିତି ଦାବି ଆଉ କରିବିନି ବୋଲି ମଧ୍ୟ ପ୍ରତିଶ୍ରୁତି ଦେବାକୁ ହୋଇଥିଲା। ପାଳି ଆରମ୍ଭ କରିବାର ପ୍ରଥମ ମ୍ୟାଚ୍‌ରେ ହିଁ ମୁଁ ୪୯ ବଲ୍‌ରୁ ୮୨ ରନ୍ କରିଥିଲି। ଏଣୁ ପୁଣି ଥରେ ମୋତେ ସେହି ଅନୁରୋଧ କରିବାକୁ ପଡ଼ି ନଥିଲା। ଦଳର ମୋ ଉପରେ ଭରସା ଆସି ଯାଇଥିଲା। ସୂଚନାଯୋଗ୍ୟ ଯେ ସଚିନ ସେହି ୧୯୯୪ରେ ହିଁ ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋଠାରେ ନିଜ ପ୍ରଥମ ଦିନିକିଆ ଶତକ ଅର୍ଜନ କରିଥିଲେ। ତା’ ପରଠୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ନିଜ ପ୍ରଥମ ୫ ପାଳିରେ ସେ ଯଥାକ୍ରମେ ୮୨, ୬୩, ୪୦, ୬୩ ଓ ୭୩ ରନ୍ କରିଥିଲେ। ସଚିନ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ୪୬୩ ଦିନିକିଆ ଖେଳି ସର୍ବାଧିକ ୧୮୪୨୬ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର