ସଚିନ ଦେଇଥିବା ବିଭିନ୍ନ ପରାମର୍ଶ: ଦିନିକିଆରେ ୪ ପାଳି କରିବାକୁ ସଚିନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପୂର୍ବତନ ସାଥୀ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ପଦ ଗ୍ରହଣ କରିବା ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବେଶ୍ ଉଲ୍ଲସିତ ଅଛନ୍ତି। କ୍ରିକେଟ୍‌କୁ ଅଧିକ ରୋଚକ ଏବଂ ରୋମାଞ୍ଚଭରା କରିବାକୁ ସେ ଗାଙ୍ଗୁଲିଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଉଦ୍ଭାବନ ହିଁ ଆଗକୁ ବଢ଼ିବାର ଏକମାତ୍ର ଉପାୟ ବୋଲି ମତ ଦେଇ ସଚିନ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ ପ୍ରଥମ ପଦକ୍ଷେପ ଭାବେ ଆମକୁ ଦିନିକିଆ ମ୍ୟାଚକୁ ୨୫ ଓଭରର ଚାରି ଭାଗରେ ବିଭକ୍ତ କରିବାକୁ ହେବ। ପ୍ରତ୍ୟେକ ଦଳ ୨୫ ଓଭର ଖେଳି ସାରିବା ପରେ ୧୫ ମିନିଟ୍‌ର ବିଶ୍ରାମ ସମୟ ପାଇବେ। ଏହା ହେଲେ ପ୍ରତିଦ୍ବନ୍ଦ୍ବିତାର ସ୍ତର ବଢ଼ିବା ସହ ଟସ୍‌ର ଗୁରୁତ୍ବ ଯଥେଷ୍ଟ କମିଯିବ। ଏହି ନୀତିରେ ଉଭୟ ଦଳ ଅଦଳ ବଦଳ କରି ୨୫ ଓଭର ଲେଖାଏଁ ଖେଳିବେ। ଏହା କଲେ କାକରର ପ୍ରଭାବ ମଧ୍ୟ କମିଯିବ ବୋଲି ସଚିନ ହୃଦୟଙ୍ଗମ କରିଛନ୍ତି। ସଚିନ ମଧ୍ୟ ପାୱାର ପ୍ଳେ ନିୟମରେ ପରିବର୍ତନ ଆଣିବାକୁ ଆହ୍ବାନ କରିଛନ୍ତି। ଏହା ଦ୍ବାରା ପ୍ରସାରଣକାରୀ ସଂସ୍ଥା ମଧ୍ୟ ଖୁସି ହେବେ ବୋଲି ସେ ଦାବି କରିଛନ୍ତି। ଏସବୁ ସହ ଘରୋଇ କ୍ରିକେଟରେ ଢାଞ୍ଚାଗତ ସଂସ୍କାର ଆଣିବାକୁ ସେ ଗାଙ୍ଗୁଲିଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର