ମସ୍ତିଷ୍କର ବିକାଶ ପାଇଁ ସଚେତନତାର ବାର୍ତ୍ତା ଦେଲେ ସଚିନ୍

କାଠମାଣ୍ଡୁ: ଭାରତର ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ‘ବ୍ୟାଟ୍ ଫର୍ ବ୍ରେନ୍ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମରେ ମସ୍ତିଷ୍କର ବିକାଶ ପାଇଁ ସଚେତନତା ଆବଶ୍ୟକ ବୋଲି ବାର୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ନେପାଳର କାଠମାଣ୍ଡୁଠାରେ ୟୁନିସେଫ୍ ପକ୍ଷରୁ ଆୟୋଜିତ ହୋଇଥିଲା। ୩ ଦିନିଆ କାର୍ଯ୍ୟକ୍ରମରେ ସଚିନ୍ ନେପାଳର ମହିଳା କ୍ରିକେଟ୍ ମ୍ୟାଚ୍‌ରେ ଯୋଗଦେଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏହାପରେ ସେ ପ୍ରସିଦ୍ଧ ପଶୁପତି ମନ୍ଦିର ବୁଲିଥିଲେ ଓ ଶେଷରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଅସୁସ୍ଥତା ସତ୍ତ୍ବେ ତାଙ୍କ ସହ ସାକ୍ଷାତ କରିଥିବାରୁ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସଚିନ୍‌ ଧନ୍ୟବାଦ ଜଣାଇଥିଲେ। ଏପରିକି ତାଙ୍କ ଦ୍ରୁତ ଆରୋଗ୍ୟ କାମନା ମଧ୍ୟ ସଚିନ୍ କରିଥିଲେ। ନେପାଳରେ ପାଇଥିବା ଆତିଥ୍ୟକୁ ସଚିନ୍‌ ପ୍ରଶଂସା କରିଥିଲେ। ପରେ ସଚିନ ନିଜ ଟ୍ବିଟର୍ ପୃଷ୍ଠାରେ ନେପାଳ ୟୁନିସେଫକୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ସଚିନ ୨୦୧୩ ନଭେମ୍ବରରୁ ୟୁନିସେଫ୍‌ର ଦୂତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ କ୍ରୀଡ଼ା ମାଧ୍ୟମରେ କିପରି ନାରୀ ସଶକ୍ତୀକରଣ ହୋଇପାରିବ ସେ ପ୍ରତି ଦୃଷ୍ଟି ଦେଉଛନ୍ତି।

ସମ୍ବନ୍ଧିତ ଖବର