ମୁମ୍ବାଇ: ବିଶ୍ବ କ୍ରିକେଟର୍‌ ଅନ୍ୟତମ ମହାନ ବ୍ୟାଟ୍‌ସମ୍ୟାନ୍‌ ବ୍ରାଏନ୍ ଲାରାଙ୍କୁ ଶନିବାରଠାରୁ ୫୧ ପୂର୍ଣ୍ଣ ହୋଇ ୫୨ ଚାଲିଛି। ଏହି ଅବସରରେ ଲାରାଙ୍କୁ ଆଇସିସି ଶୁଭକାମନା ଜଣାଇବା ସହିତ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍‌ ୪୦୦*କୁ ବି ପୁଣି ମନେ ପକାଇଦେଇଛି। ଯେଉଁ ବିଶ୍ବ କୀର୍ତ୍ତିମାନ ଏବେ ବି ଅତୁଟ ରହିଛି। ୧୬ ବର୍ଷ ତଳେ ଆଣ୍ଟିଗା ଷ୍ଟାଡିୟମ୍‌ରେ ଲାରା ଏହି ପାଳି ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏହି ପାଳି ଅବସରରେ ଲାରା ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟସମ୍ୟାନ୍‌ ମାଥ୍ୟୁ ହେଡେନଙ୍କ ୩୮୦ ରନ୍ (ବନାମ ଜିମ୍ବାୱେ, ୨୦୦୩) କୀର୍ତ୍ତିମାନକୁ ଭାଙ୍ଗିଥିଲେ। ପୂର୍ବରୁ ଲାରାଙ୍କ ୩୭୫ ରନ୍‌ କୀର୍ତ୍ତିମାନକୁ ହେଡେନ୍ ଭାଙ୍ଗିଥିବାରୁ ସେ ଏହାର ମଧୁର ପ୍ରତିଶୋଧ ମଧ୍ୟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ଲାରାଙ୍କ ୫୦୧* ରନ୍‌ ଏବେ ବି ଶୀର୍ଷରେ ରହିଛି। ଯାହାକି ସେ ୧୯୯୪ରେ ଏଜବାଷ୍ଟନ୍‌ଠାରେ ଡରହାମ୍ ବିପକ୍ଷରେ ୱାରୱିକ୍‌ସାୟାର୍ ପାଇଁ ହାସଲ କରିଥିଲେ। ଟେଷ୍ଟ୍‌ ମ୍ୟାଚ୍‌ରେ ଗୋଟିଏ ଓଭରରେ ସର୍ବାଧିକ ୨୮ ରନ୍ ସଂଗ୍ରହ କରିବାର କୀର୍ତ୍ତିମାନ ମଧ୍ୟ ଲାରା (ବନାମ ରବିନ୍ ପିଟରସନ୍‌, ଦକ୍ଷିଣ ଆଫ୍ରିକା, ୨୦୦୩)ଙ୍କ ନାମରେ ରହିଛି। ୱେଷ୍ଟଇଣ୍ଡିଜ୍ ପାଇଁ ୧୩୧ ଟେଷ୍ଟରୁ ୧୧,୯୫୩ ରନ୍ ଏବଂ ୨୯୯ ଦିନିକିଆରୁ ୧୦,୪୦୫ ରନ୍ ସଂଗ୍ରହ କରିଥିଲେ ଏହି ମହାନ ଖେଳାଳି।

Advertisment

ବ୍ୟାଟିଂ କିଂବଦନ୍ତି ବ୍ରାଏନ୍ ଲାରାଙ୍କ ୫୧ତମ ଜନ୍ମଦିନରେ ବିଶ୍ବବ୍ୟାପୀ କ୍ରୀଡ଼ାବିତ୍‌ଙ୍କ ଶୁଭକାମନାର ସୁଅ ଛୁଟିଥିବା ବେଳେ ଭାରତୀୟ କ୍ରିକେଟର୍‌ମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ଏହାର ନେତୃତ୍ବ ନେଇଛନ୍ତି ତାଙ୍କ ସମସାମୟିକ ମହାନ ବ୍ୟାଟିଂ ତାରକା ସଚିନ ତେନ୍ଦୁଲକର। ସଚିନଙ୍କ ସହିତ ଶିଖର ଧାୱନ, ହରଭଜନ ସିଂହ ମଧ୍ୟ ଲାରାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ସଚିନ ଲେଖିଥିଲେ, 'ବହୁତ ବହୁତ ବଧାଇ ମୋ ମହାନ ତ‌ୌରିଅନ୍ ବଂଧୁ, ନିକଟରେ ଦେଖା ହୋଇଥିବାରୁ ଖୁସି, ପୁଣି ଶୀଘ୍ର ଦେଖା ହେଉ'। ଧାୱନ ତାଙ୍କ ବାର୍ତାରେ ଲେଖିଛନ୍ତି, 'ଅଭିନନ୍ଦନ ତ୍ରିନିଦାଦ ଓ ଟବାଗୋ ଯୁବରାଜ'। ଭଜି କିନ୍ତୁ ଲାରାଙ୍କୁ କିଂବଦନ୍ତି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ। ସବୁଠୁ ପ୍ରଭାବୀ, ଷ୍ଟାଇଲିସ୍‌ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ତାଙ୍କ ସମୟରେ ଖେଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମଧ୍ୟ ଭଜି କହିଥିଲେ।