ଲୌରିଅସ୍ ପୁରସ୍କାର ଦୌଡ଼ରେ ସଚିନ

ଲଣ୍ଡନ: ‘୨୦୦୦ରୁ ୨୦୨୦’, ଦୁଇ ଦଶନ୍ଧିର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ବାଛିବା ଲାଗି ସମ୍ମାନଜନକ ଲୌରିଅସ୍ କ୍ରୀଡ଼ା ପୁରସ୍କାର ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ନିଆରା ପୁରସ୍କାରର ସମ୍ଭାବ୍ୟ ୨୦ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସ୍ଥାନ ପାଇଛନ୍ତି। ସଚିନ ୨୦୧୧ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇ ଏହାକୁ ତୋଳି ଧରିବାର ମୁହୂର୍ତକୁ ଲୌରିଅସ୍ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବର ଅନ୍ୟତମ ‌ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ଭାବେ ବିଚାରକୁ ନେଇଛି। ଘରୋଇ ସହର ମୁମ୍ବାଇରେ ସଚିନ ୧୨୫ କୋଟି ଭାରତୀୟଙ୍କ ପକ୍ଷରୁ ବିଶ୍ବକପ୍‌କୁ ଉଠାଇଲା ବେଳେ ଖୁସିରେ କାନ୍ଦି ପକାଇଥିଲେ। ଏହି ଆବେଗଭରା ମୁହୂର୍ତକୁ ଲୌରିଅସ୍ ବିଶ୍ବର ଶ୍ରେଷ୍ଠ ୨୦ କ୍ରୀଡ଼ା ମୁହୂର୍ତ ଭାବେ ବାଛିବା ଭାରତୀୟ କ୍ରିକେଟ୍ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଲୌରିଅସ୍ ପୁରସ୍କାର ଚୟନ ସମିତିରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ ଏହାର ଏକ ଚମତ୍କାର କଥା ବର୍ଣ୍ଣନା କରିଛନ୍ତି। ଲୌରିଅସ୍ ବିଶ୍ବ କ୍ରୀଡ଼ା ସମ୍ମାନର ୨୦ ବର୍ଷ ପୂର୍ତ୍ତି ଅବସରରେ ଫେବ୍ରୁଆରି ୧୭ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦ ଜଣିଆ ସମ୍ଭାବ୍ୟ ତାଲିକାକୁ ୧୦ ଓ ପରେ ୫କୁ କମାଇ ଦିଆଯିବ। ଏହାପରେ ବିଜେତା ବଛାଯିବ। ଏଥିଲାଗି ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ଭୋଟ ଦେଇହେବ।

ସମ୍ବନ୍ଧିତ ଖବର