ସେହି ବର୍ଷ ଆଜିର ଦିନ : ସାରଜାରେ ସଚିନଙ୍କ ‘ମରୁ ଝଡ଼’

ହିରୋ କପ୍ ସେମିଫାଇନାଲ୍ ବୋଲିଂକୁ ମନେ ପକାଇଲେ ସଚିନ

ମୁମ୍ବାଇ : ୧୯୯୮‌ ମସିହାରେ ସାରଜାଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦ୍ବାରା ଖେଳାଯାଇଥିବା ବିସ୍ଫୋରକ ପାଳିକୁ ଏବେ ବି ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ପାଳି ଭାବେ ବିବେଚନା କରାଯାଉଛି। ଏହିବର୍ଷ ଏପ୍ରିଲ ୨୨ ତାରିଖରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ ସଚିନ ୧୩୧ ବଲ୍‌ରୁ ୧୪୩ ରନ୍‌ ସଂଗ୍ରହ କରିଥିଲେ। ସେନ୍ ୱର୍ନ, ଡାମିଏନ୍‌ ଫ୍ଲେମିଂ ଓ ମାଇକେଲ କାସ୍‌ପ୍ରୋୱିଜ୍‌ଙ୍କ ଭଳି ବୋଲରଙ୍କୁ ସଚିନ ପ୍ରହାର କରି ମରୁଭୂମିରେ ଝଡ଼ କରାଇଦେଇଥିଲେ। ଯଦିଓ ଏହି ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା। ତଥାପି ସଚିନଙ୍କ ଉକ୍ତ ବିଧ୍ବସଂକାରୀ ପାଳି ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ସ୍ମୃତି ହୋଇରହିବ।

ସେଦିନ ଷ୍ଟାଡିୟମ୍ ଦେଇ ଗତି କରିଥିବା ବାଲୁକା ଝଡ଼ ସଚିନଙ୍କ ବ୍ୟାଟିଂ ଆଗରେ ତୁଚ୍ଛ ପଡ଼ିଥିଲା। ବାଲୁକା ଝଡ଼ ଯୋଗୁଁ ଭାରତ ସମ୍ମୁଖରେ ୪୬ ଓଭରରେ ୨୭୭ ରନ୍‌ର ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ହାସଲ କରିବା ସହଜ ମନେହେଉଥିଲା। ଦଳ ୨୩୭ ରନ୍‌ ସଂଗ୍ରହ କରିଥିଲା ବେଳେ ରନ୍ ରେଟ୍ ହାରରେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା। ସଚିନ ତାଙ୍କ ପାଳିରେ ୯ ଚୌକା ଓ ୪ ଛକା ମାରିଥିଲେ। ସଚିନଙ୍କୁ ଆଉଟ କରିବା ପାଇଁ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱର୍ନ ବିଭିନ୍ନ କୌଶଳ ପ୍ରୟୋଗ କରିଥିଲେ ବି ବିଫଳ ହୋଇଥିଲେ। ସଚିନଙ୍କ ଏହି ଚମତ୍କାର ପାଳି ସତ୍ତ୍ବେ ଭାରତ ଧାର୍ଯ୍ୟ ଓଭର ସୁଦ୍ଧା ୫ ୱିକେଟ ବିନିମୟରେ ୨୫୦ ରନ୍‌ ସଂଗ୍ରହ କରିପାରିଥିଲା। ‌ପରାଜିତ ଦଳରେ ଥିଲେ ମଧ୍ୟ ସଚିନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ୨୪ ବର୍ଷୀୟ ସଚିନ ସେତେବେଳେ ଏଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ ଯେ ତାଙ୍କ ମାଡ଼କୁ ମନେ ପକାଇ ୱର୍ନ ରାତି ସାରା ଶୋଇ ପାରିନଥିଲେ।

ହିରୋ କପ୍ ସେମିଫାଇନାଲ୍ ବୋଲିଂକୁ ମନେ ପକାଇଲେ ସଚିନ
ଦୁବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦ ବର୍ଷ ବୟସରେ ହାସଲ କରିଥିବା ସଫଳତାକୁ ସମ୍ମାନ ଜଣାଇ ଆଇସିସି ଏକ ଅଭୁଲା ଫଟୋ ପ୍ରକାଶ କରିଥିଲା। ତା’ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସଚିନ ୧୯୯୩ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ହାଇଭୋଲଟେଜ୍ ଓ ତୀବ୍ର ସଂଘର୍ଷପୂର୍ଣ୍ଣ ହିରୋ କପ୍ ସେମିଫାଇନାଲର ଶେଷ ଓଭରକୁ ମନେ ପକାଇଥିଲେ। ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି କର ବା ମର ମୁକାବିଲାରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରୁ ୬ ରନ୍‌ର ଦରକାର ଥିଲା। ସଚିନଙ୍କ ସେହି ଓଭରର ପ୍ରଥମ ବଲ୍‌ରୁ ୪୮ ରନ୍‌ରେ ଅପରାଜିତ ଥିବା ଅଲରାଉଣ୍ଡର କ୍ରେଗ୍ ମ୍ୟାକମିଲନ୍ ୧ ରନ୍ ନେଇ ନନଷ୍ଟ୍ରାଇକର ପଟକୁ ଚାଲି ଯାଇଥିଲେ। ମ୍ୟାକମିଲନ୍‌ ଦୁଇ ରନ୍ ନେବା ପାଇଁ ଚେଷ୍ଟା କରୁଥିଲା ବେଳେ ଫନି ଡି’ଭିଲିୟର୍ସ ରନ୍ଆଉଟ୍ ହୋଇ ଯାଇଥିଲେ। ପରବର୍ତୀ ୫ ବଲ୍‌ରୁ ଦକ୍ଷିଣ ଆଫ୍ରିକାକୁ ୫ ରନ୍‌ର ଆବଶ୍ୟକତା ଥିଲା। ଷ୍ଟ୍ରାଇକର ପଟେ ଥିବା ଆଲାନ ଡୋନାଲ୍ଡଙ୍କୁ ସଚିନ ତିନିଟି ଡଟ୍ ବଲ୍ ପକାଇଥିଲେ। ପଞ୍ଚମ ବଲ୍‌ରେ ଡୋନାଲ୍ଡ ସିଙ୍ଗଲ୍ ରନ୍ ନେଇ ମ୍ୟାକମିଲାନ୍‌ଙ୍କୁ ଷ୍ଟ୍ରା‌ଇକ୍ ଦେଇଥିଲେ। ଶେଷ ବଲ୍‌ରୁ ବିଜୟ ପାଇଁ ୪ ରନ୍‌ର ଦରକାର ଥିଲା ବେଳେ ମ୍ୟାକମିଲନ୍‌ ମାତ୍ର ୧ ରନ୍ ନେଇ ପାରିଥିଲେ। ଭାରତ ୩ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା। ସେହି ମ୍ୟାଚ୍‌କୁ ମନେ ପକାଇ ୪୬ ବର୍ଷୀୟ ସଚିନ କହିଛନ୍ତି ଯେ ମୋ ଉପରେ ବହୁତ ଚାପ ଥିଲା। ତଥାପି ଦକ୍ଷିଣ ଆଫ୍ରିକାକୁ ହରାଇ ଦେବାର ଖୁସୀକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ସଚିନ ଏକମାତ୍ର ବ୍ୟାଟର୍‌ ଭାବେ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲା ବେଳେ ଟେଷ୍ଟ୍‌ରେ ୪୬ ଓ ଦିନିକିଆରେ ୧୫୪ ୱିକେଟ୍ ନେଇଛନ୍ତି।

ସମ୍ବନ୍ଧିତ ଖବର