ଦିନିକିଆ ନିୟମ ବଦଳାଇବାକୁ ସଚିନଙ୍କ ଆହ୍ବାନ

ମୁମ୍ବାଇ : ବ୍ୟାଟର୍‌ଙ୍କୁ ସୁହାଉଥିବା ସାଂପ୍ରତିକ ଦିନିକିଆ କ୍ରିକେଟ୍‌ ନିୟମକୁ ବଦଳାଇବା ଲାଗି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ ଆହ୍ବାନ କରିଛନ୍ତି। ବିଶେଷ କରି ୫୦ ଓଭରିଆ କ୍ରିକେଟ୍‌ରେ ଉଭୟ ପଟରୁ ଦୁଇଟି ନୂଆ ବଲ୍ ବ୍ୟବହାର, କ୍ଷେତ୍ରରକ୍ଷଣ ଅଙ୍କୁଶ ଏବଂ ପ୍ରତ୍ୟେକ ପାଳି ତିନିଟି ପାୱାର ପ୍ଲେରେ ବିଭକ୍ତ ହେବାକୁ ସଚିନ ପସନ୍ଦ କରି ନାହାନ୍ତି। ପ୍ରଚଳିତ ନିୟମ ଅନୁସାରେ ୧ରୁ ୧୦ ଓଭରର ପ୍ରଥମ ପାୱାର ପ୍ଲେରେ ମାତ୍ର ଦୁଇ ଜଣ କ୍ଷେତ୍ରରକ୍ଷଣଙ୍କୁ ୩୦ ଗଜ ବାହା‌ରେ ରଖିବାର ଅନୁମତି ଅଛି। ପରବର୍ତୀ ୩୦ ଓଭର ଯଥା ୧୧ରୁ ୪୦ ଓଭର ପର୍ଯ୍ୟନ୍ତ ୪ ଜଣ କ୍ଷେତ୍ରରକ୍ଷକ ୩୦ ଗଜ ବାହାରେ ରହିପାରିବେ। ଶେଷ ୧୦ ଓଭରରେ ୩୦ ଗଜ ବାହାରେ ୫ ଜଣ କ୍ଷେତ୍ରରକ୍ଷଣ ରଖିହେବ। ଏହାକୁ ସ୍ପିନର ହରଭଜନ ସିଂହ ଓ ସଚିନ ଦୃଢ଼ ବିରୋଧ କରିଛନ୍ତି। ସଚିନ ଓ ତାଙ୍କ ପୁରୁଣା ସାଥୀ ସୌରଭ ଗାଙ୍ଗୁଲିଙ୍କ ଯୋଡ଼ି ଦିନିକିଆରେ ସର୍ବାଧିକ ଭାଗୀଦରି ରନ୍ କରିବା ନେଇ ଆଇସିସି ସୋମବାର କରିଥିବା ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହରଭଜନ ଉପରୋକ୍ତ ନିୟମକୁ ସମାଲୋଚନା କରିଥିଲେ। ‘‘ପୂର୍ବରୁ ୨୬୦/୨୭୦ ରନ୍‌କୁ ପିଛା କରିବା ଆହ୍ବାନପୂର୍ଣ୍ଣ ହେଉଥିଲା ବେଳେ ଏବେ ୩୨୦/୩୦ ରନ୍ ବି ଅଣ୍ଟୁନି। ଆଇସିସି ବଲ୍ ଓ ବ୍ୟାଟ୍‌ର ସନ୍ତୁଳନ ରକ୍ଷା କରିବା ଉଚିତ।’’ ବୋଲି ଭଜି କହିଥିଲେ। ଏହି ପରିପ୍ରେକ୍ଷୀରେ ଭଜିଙ୍କ ସହିତ ସଚିନ ପୂରା ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ ତୁମ ସହ ମୁଁ ପୂରା ଏକମତ ଭଜି। ମୁଁ ମଧ୍ୟ ଭାବୁଛି ଯେ ନିୟମ ଓ ପିଚ୍, ଉଭୟକୁ ନେଇ ଥିବା ନିୟମର ପୁନର୍ବିଚାର ହେବା ଦରକାର। ଦୁଇଟି ନୂଆ ବଲ୍‌ର ବ୍ୟବହାର ଏକ ବିପର୍ଯ୍ୟୟଠାରୁ କୌଣସି ଗୁଣରେ କମ୍ ନୁହେଁ। ସେଥିପାଇଁ ବଲ୍ ପୁରୁଣା ହେଉନି ଏବଂ ଶେଷ ଓଭର ଗୁଡ଼ିକର ପ୍ରମୁଖ ଅସ୍ତ୍ର ଥିବା ପାଲଟା ସୁଇଂ ଆଉ ଆଗଭଳି ଦେଖିବାକୁ ମିଳୁନି।

ସମ୍ବନ୍ଧିତ ଖବର