ଟେଷ୍ଟ୍‌ ମ୍ୟାଚ୍‌ ବଞ୍ଚାଇବାର କଳା ମୋ ପାଇଁ ନୂଆ ଅଭିଜ୍ଞତା ଥିଲା: ସଚିନ

ମୁମ୍ବାଇ : ଆଜକୁ ଠିକ୍‌ ୩୦ ବର୍ଷ ତଳେ (୧୪ ଅଗଷ୍ଟ ୧୯୯୦) ସଚିନ ତେନ୍ଦୁଲକର ତାଙ୍କ ଖେଳ ଜୀବନର ଶତକୀୟ ଶତକ ମଧ୍ୟରୁ ପ୍ରଥମଟି ମାରିଥିଲେ। ବିପଜ୍ଜନକ ପଞ୍ଚମ ଦିନ ପିଚ୍‌ରେ ୧୧୯ ରନ୍‌ର ଅପରାଜିତ ପାଳି ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ। ମାଞ୍ଚେଷ୍ଟରର୍ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଏହା ପରେ ଆଉ ୫୦ ଟେଷ୍ଟ ଶତକ ଅର୍ଜନ କରିଥିବା ସଚିନ ୧୦୦ ଅନ୍ତର୍ଜାତୀୟ ଶତକର ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ ରଖିଛନ୍ତି। ଏହି ସ୍ବତନ୍ତ୍ର ମୁହୂର୍ତ କଥା ମନେ ପକାଇବା ବେଳେ ସଚିନ ବି ଭାବବିହ୍ବଳ ହୋଇପଡ଼ିଥିଲେ। ‘ଅଗଷ୍ଟ ୧୪ ତାରିଖରେ ମୁଁ ଶତକ ହାସଲ କରିଥିଲି, ପରବର୍ତୀ ଦିନ ଆମର ସ୍ବାଧୀନତା ଦିବସ ଥାଏ। ଏହା ଦଳକୁ ବଞ୍ଚାଇଥିଲା ଏବଂ ଶୃଙ୍ଖଳାକୁ ବି ପରବର୍ତୀ ଓଭାଲ୍ ଟେଷ୍ଟ୍ ପର୍ଯ୍ୟନ୍ତ ଜୀବିତ ରଖିଥିଲା’ ବୋଲି ଏହାର ୩୦ ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶ କରିଥିଲେ ସଚିନ। ଏହି କୃତିତ୍ବର କ’ଣ ଅସଲ ଆନନ୍ଦ ଥିଲା ବୋଲି ପ୍ରଶ୍ନ ହେବାରୁ ସଚିନ କହିଥିଲେ ‘ଟେଷ୍ଟ୍ ମ୍ୟାଚ୍‌ ବଞ୍ଚାଇବାର କଳା ମୋ ପାଇଁ ସେତେବେଳେ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଥିଲା। ଏହାର ୮ ମାସ ପୂର୍ବରୁ ସିଆଲକୋଟରେ ମଧ୍ୟ ମୁଁ କ୍ଷତାକ୍ତ ନାକ ଓ ରକ୍ତାକ୍ତ ଜର୍ସିରେ ଖେଳି ମ୍ୟାଚ୍‌ ବଞ୍ଚାଇଥିଲି। ୱାକର୍‌ ୟୁନିସଙ୍କ ବାଉଁସର୍‌ ମୋ ନାକରେ ବାଜିଥିଲା, ନାକ ଓ ପୋଷାକ ରକ୍ତରେ ଭିଜିଯାଇଥିଲା। ଭାରତକୁ ୩୮/୪ ସ୍କୋର୍‌ରୁ ବିପଦମୁକ୍ତ କରିଥିଲି। ୫୭ ରନ୍‌ର ପାଳି ଖେଳିଥିଲି। ଯନ୍ତ୍ରଣା ମଧ୍ୟରେ ଖେଳିଥିବା ସେହି ପାଳି ମୋ ପାଇଁ ନିର୍ଣ୍ଣାୟକ ଥିଲା। ସେଭଳି ବାଉଁସର ଆକ୍ରମଣ ପରେ ତୁମକୁ ଦୃଢ଼ ହେବାର ଥିଲା, ନହେଲେ କେଉଁଠି ବି ନଥାନ୍ତି’ ବୋଲି ସଚିନ ପ୍ରକାଶ କରିଥିଲେ। ମାଞ୍ଚେଷ୍ଟର ମ୍ୟାଚ୍‌ରେ ମଧ୍ୟ ସେ ସମୟରେ ଘଣ୍ଟାପ୍ରତି ୯୦ ମାଇଲ୍‌ ବେଗରେ ବୋଲିଂ କରୁଥିବା ଡେଭନ୍ ମାଲକମଙ୍କ ଏକ ବଲ୍‌ ତାଙ୍କ ମୁଣ୍ଡ ପଛପଟେ ବାଜିଥିଲା। ‘ମୁଁ ସେଥର ଯନ୍ତ୍ରଣା ପାଇଥିଲେ ମଧ୍ୟ ଫିଜିଓଙ୍କୁ ଡାକିନଥିଲି। ସେମାନଙ୍କୁ ଦେଖାଇଦେବାକୁ ଚାହୁଁଥିଲି ଯେ ମୁଁ ଡରିନାହିଁ। ଯନ୍ତ୍ରଣା ବଢ଼ିଥିଲେ ମଧ୍ୟ ମୁଁ ହାରିନଥିଲି। ପିଲାଟି ଦିନରୁ ‌ଆମକୁ ମୁମ୍ବାଇର ଶିବାଜୀ ପାର୍କ ଜିମ୍‌ଖାନା ପିଚ୍‌ରେ ପ୍ରଶିକ୍ଷକ ରମାକାନ୍ତ ଆଚରେକର ସାର୍ ମଧ୍ୟ ଏଭଳି ଖେଳିବାକୁ ଅଭ୍ୟସ୍ତ କରାଉଥିଲେ। ସମାନ ପିଚ୍‌ରେ ୨୫ ଦିନ ଯାଏଁ ବି ଆମେ ଖେଳୁଥିଲୁ’ ବୋଲି ସଚିନ କହିଥିଲେ।

ମାଞ୍ଚେଷ୍ଟର ମ୍ୟାଚ୍‌ କଥାକୁ ଫେରି ସଚିନ କହିଥିଲେ ‘କ୍ରିସ୍‌ ଲୁଇସଙ୍କୁ ଖେଳିଥିବା ବ୍ୟାକ୍‌ଫୁଟ୍‌ କଭର୍ ଡ୍ରାଇଭ୍ ମନେ ଅଛି। ଲୁଇସ୍‌ ଏକ ଶାଣିତ ଇନ୍‌ସୁଇଙ୍ଗ୍ ପକାଇଥିଲେ, କିନ୍ତୁ ଖେଳ ଜୀବନସାରା ବ୍ୟାକ୍‌ଫୁଟ୍ କଭର୍ ଡ୍ରାଇଭ୍ ମୋର ସବୁଠୁ ପସନ୍ଦର ସଟ୍‌ ଥିଲା। ସେହି ଶୃଙ୍ଖଳାରେ କିନ୍ତୁ ଅଙ୍ଗୁସ୍ ଫ୍ରେଜର୍ ସବୁଠୁ ସଫଳ ବୋଲର ଥିଲେ। ସେ ସୁନ୍ଦର ଭାବେ ଆଉଟ୍‌ ସୁଇଙ୍ଗ ପକାନ୍ତି, ହାଇ ଆର୍ମ ଆକ୍ସନ ଥିବାରୁ ବଲ୍‌ ବାଉଁସ କରୁଥିଲା ଏବଂ ବିଳମ୍ବରେ ଗତି କରୁଥିବାରୁ ଖେଳିବାକୁ ପଡୁଥିଲା। ମନୋଜ ପ୍ରଭାକରଙ୍କ ସହ ହୋଇଥିବା ୧୬୦ ରନ୍‌ ଭାଗୀଦାରି (ଅତୁଟ ସପ୍ତମ ୱିକେଟ୍‌)ରେ ଆମକୁ ଅସୀମ ଧୈର୍ଯ୍ୟ ଦେଖାଇବାକୁ ପଡ଼ିଥିଲା। ମନୋଜଙ୍କୁ ଶ୍ରେୟ ଯିବ। ୧୮୩ ରନ୍‌ରେ ୬ ୱିକେଟ୍ ହରାଇବା ପରେ ପରସ୍ପର ସହ ଗୋଟିଏ କଥା ହୋଇଥିଲୁ ‘ହଁ ଆମେ କରିପାରିବା, ମ୍ୟାଚ୍‌ ବଞ୍ଚାଇନେବା, ତାହା ହିଁ କରିଥିଲୁ’ ବୋଲି ସଚିନ ପ୍ରକାଶ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସାମ୍ପେନ୍‌ ପୁରସ୍କାର ପାଇବା ବେଳେ ସାଥୀ ଖେଳାଳିମାନେ ହସିଥିଲେ ‘ତୁମର ଏହା କ’ଣ ହେବ? ବୋଲି ମଜା ବି କରିଥିଲେ। ଏମିତି ବି ମୁଁ ଏହ‌ାକୁ ପିଇନଥିଲି, କି ପିଇବା ଲାଗି ‌ମୋର ବୈଧ ବୟସ ହୋଇନଥିଲା। ଶତକ ହାସଲ ପାଇଁ କିନ୍ତୁ ସଞ୍ଜୟ ମଞ୍ଜରେକର ମୋତେ ଏକ ଧଳା ସାର୍ଟ ‌ଉପହାର ଦେଇଥିଲେ ବୋଲି ସଚିନ ନିଜର ପ୍ରଥମ ଶତକୀୟ ଦିବସକୁ ମନେ ପକାଇ କହିଥିଲେ।

ସମ୍ବନ୍ଧିତ ଖବର