ମୁମ୍ବାଇ: କରୋନାର ମୁକାବିଲା ପାଇଁ ସରକାରଙ୍କ କରୋନା ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତାର ରାଶି ମିଳୁଥିବା ବେଳେ ଖେଳାଳିମାନଙ୍କ ମଧ୍ୟରୁ ସର୍ବୋଚ୍ଚ ରାଶି ପ୍ରଦାନ କରିଛନ୍ତି କ୍ରିକେଟ୍ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲ୍କର। ସେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଓ କେନ୍ଦ୍ର ସରକାର ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ପୂର୍ବରୁ କ୍ରିକେଟ୍ ତାରକା ଇରଫାନ୍ ଏବଂ ୟୁସୁଫ୍ ପଠାନ୍ ଦୁଇ ଭାଇ କରୋନା ମୁକାବିଲା ପାଇଁ ବରୋଦା ପୁଲିସ୍ ଷ୍ଟେସନ୍ ଓ ସ୍ବାସ୍ଥ୍ୟ ବିଭାଗକୁ ୪୦୦ ଫେସ୍ ମାସ୍କ(ମୁଖ ପରଦା) ଦାନ କରି ସାରିଛନ୍ତି। ସେହିପରି ପୁଣେର ଏକ ସ୍ବେଚ୍ଛାସେବୀ ସଂଗଠନ ଜରିଆରେ କ୍ରିକେଟ୍ର ତାରକା ମହେନ୍ଦ୍ର ସିଂହ ଧୋନୀ ସରକାରଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବାକୁ ଘୋଷଣା କରିଥିବା ସୂଚନା ରହିଛି। ଏମାନଙ୍କ ବ୍ୟତୀତ ଅନ୍ୟ ଖେଳାଳି ବଜରଙ୍ଗ ପୁନିଆ ଓ ହିମା ଦାସ କରୋନା ମୁକାବିଲା ପାଇଁ ନିଜ ଦରମା ଦାନ କରିବାକୁ ଘୋଷଣା କରିଛନ୍ତି।
ଆପଣମାନଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, କରୋନା ଭାଇରସ୍ ହେତୁ ଏବେ ସୁଦ୍ଧା ଦେଶରେ ୧୭ ଜଣଙ୍କ ଜୀବନ ଯାଇ ସାରିଲାଣି। ପୂରା ବିଶ୍ବରେ ଏହି ମହାମାରୀ ଭାଇରସ୍ ପ୍ରାୟ ୨୫ ହଜାର ଲୋକଙ୍କ ଜୀବନ ନେଇ ସାରିଲାଣି। ଏହି ଭାଇରସ୍ ବିଶେଷ କରି ବୟସ୍କ ଲୋକଙ୍କୁ ଶୀଘ୍ର ସଂକ୍ରମିତ ହେଉଛି ବୋଲି ଗବେଷକମାନେ ଜଣାଇଛନ୍ତି।