ମୁରଲୀଙ୍କ ଆତ୍ମଜୀବନୀରେ ସଚିନ

ନୂଆଦିଲ୍ଲୀ : ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲୀଧରନଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ପ୍ରଯୋଜନାକାରୀ ସଂସ୍ଥା ଡିଏଆର‌ ମୋସନ୍ ଏହି ସୂଚନା ଦେଇଛି। ସଚିନ ଏଥିରେ ମୁରଲୀଙ୍କ ବିପକ୍ଷରେ ବ୍ୟାଟିଂ କରିବାର ଅଭିଜ୍ଞତାକୁ ବଖାଣିବେ। ଉଭୟ ସଚିନ ଏବଂ ମୁରଲୀଧରନ୍ ବିଶ୍ବ କ୍ରିକେଟ୍‌ର ଦୁଇ ମହାନ ତାରକା। ଉଭୟଙ୍କ ନାଁରେ ଏକାଧିକ ବିଶ୍ବ କୀର୍ତ୍ତିମାନ ରହିଛି। ସଚିନ ବିଶ୍ବର ଅଗ୍ରଣୀ ରନ୍ ସଂଗ୍ରହକାରୀ ହୋଇଥିଲା ବେଳେ ମୁରଲୀ ହେଉଛନ୍ତି ଅଗ୍ରଣୀ ୱିକେଟ୍ ଦଖଲକାରୀ। ଉଭୟ ଅତୀତରେ ପରସ୍ପରର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏହି ଚଳଚ୍ଚିତ୍ରରେ ମୁରଲୀଙ୍କ ପିଲାଦିନର ସଂଘର୍ଷ, ପରିବାର, ରାଜନୈତିକ ସଂପର୍କ, ବିବାଦ ଏବଂ ପ୍ରତିଦ୍ବନ୍ଦ୍ବୀଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିବ। ସଚିନଙ୍କ ଛଡ଼ା ଅର୍ଜୁନ ରଣତୁଙ୍ଗା, ଅରବିନ୍ଦ ଡି’ ସିଲଭା, ରୋଶନ ମହାନାମା, ହାସନ ତିଲକରତ୍ନେ, ସନଥ ଜୟସୁରିୟା, ଲସିଥ ମାଲିଙ୍ଗା, ରିକି ପଣ୍ଟିଂ, ଅମ୍ପାୟାର ଡାରେଲ ହେୟାର ମଧ୍ୟ ଏଥିରେ ଅତିଥି କାଳାକାର ଭାବେ ଦେଖାଯିବେ। ୧୯୯୫ରେ ମୁରଲୀଙ୍କୁ ନୋ’ ବଲ୍ ଡାକି ଅମ୍ପାୟାର ହେୟାର ବେଶ୍ ଚର୍ଚିତ ହୋଇଥିଲେ। ଏହି ବିବାଦ ନେଇ ବିଶ୍ବ କ୍ରିକେଟ୍ ଦୁଇଫାଳ ହେବା ଦ୍ବାର ଦେଶରେ ଥିଲା। ମୁରଲୀଙ୍କ ଭାରତୀୟ ପତ୍ନୀ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଅନେକ ରୋଚକ କଥା ଉପରୁ ପରଦା ଉଠାଇବେ।

ସମ୍ବନ୍ଧିତ ଖବର