ଜନ୍ମଦିନ ସ୍ୱତନ୍ତ୍ର: ସଂସ୍କାରୀ ସଚ୍ଚିନ୍‌

ଫେସ୍‌ବୁକ୍‌, ଟ୍ବିଟର; ସବୁ ସାମାଜିକ ଗଣମାଧ୍ୟମରେ ଏବେ ଏଇ ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା। ଆଖିକୁ ସାଧାରଣ ଦେଖାଯାଉଥିବା ଫଟୋଟି ଅନେକ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟକୁ ଛୁଇଁଯାଇଛି। କ୍ୟାମେରା ଲେନ୍‌ସରେ ବନ୍ଧା ପଡ଼ିଥିବା ଏ ଚିତ୍ର ସମ୍ମାନ, ସଂସ୍କାର, ନମ୍ରତା ଓ ଆନୁଗତ୍ୟର କଥା କହୁଛି। ନିଜର ସଂମ୍ଭ୍ରାନ୍ତ ପ୍ରଦର୍ଶନ ପାଇଁ କ୍ରିକେଟ୍‌ର ଭଗବାନ ବୋଲି ବିବେଚିତ ହେଉଥିବା ସଚ୍ଚିନ ତେନ୍ଦୁଲକର ଅବୋଧ ଶିଶୁଟି ପରି ଅଉଜଣେ ମହାନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଧ୍ୟାନ ଦେଇ ଶୁଶୁଛନ୍ତି।
ଶୁକ୍ରବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିଲା। ଏହି ଅବସରରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ସଚ୍ଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ଏକାଠି ଦେଖାଯାଇଥିଲେ। ସେମାନେ ପରସ୍ପର ବେଶ୍‌ କିଛି ସମୟ କଥା ହୋଇଥିଲେ। ସଚ୍ଚିନ ଅତି ନମ୍ରତା ଓ ଉତ୍ସୁକତାର ସହ ଗାଭାସ୍କରଙ୍କୁ ଶୁଣୁଥିବା ଦେଖିବା ପାଇଁ ମିଳିଥିଲା। ଯେଉଁ ସମୟର ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହ କ୍ରିକେଟ୍‌ ଜଗତର ବିରଳ ଫଟୋ ତାଲିକାରେ ଯୋଡ଼ି ହୋଇଯାଇଛି। କାରଣ ସେହି ଫଟୋଟିରୁ ଜଣେ ମହାନ ଖେଳାଳିଙ୍କ ପ୍ରତି ଆଉଜଣେ ମହାନ ଖେଳାଳିଙ୍କ ପ୍ରଦର୍ଶିତ ସମ୍ମାନ, ନମ୍ରତା ଓ ଆନୁଗତ୍ୟ ନିଗିଡ଼ି ପଡ଼ୁଛି।

ସଚ୍ଚିନ ଓ ଗାଭାସ୍କରଙ୍କ ଏ ଫଟୋଟି ଚର୍ଚ୍ଚାକୁ ଆସିବା ପରେ ସଚ୍ଚିନଙ୍କୁ କ୍ରିକେଟ୍‌ର ଭଗବାନ ବୋଲି କାହିଁକି କୁହାଯାଏ, ସେନେଇ ଅନେକ କ୍ରିକେଟ୍‌ ପ୍ରେମୀ ସାମାଜିକ ଗଣମାଧ୍ୟମରେ ଆବେଗପୂର୍ଣ୍ଣ ଯୁକ୍ତି ବାଢ଼ିଛନ୍ତି। କେହି କେହି ଲେଖିଛନ୍ତି; କେବଳ ପଡ଼ିଆ ଭିତ‌ରର ରେକର୍ଡ ନୁହେଁ, ସଚ୍ଚିନଙ୍କ ନମ୍ରତା ତାଙ୍କୁ ଆଜି ବିଶ୍ବବିଜୟୀ କରିଛି। ଏହି ଗୁଣ ପାଇଁ ସେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ହୃଦୟ ଜିଣିପାରିଛନ୍ତି। ସେହିପରି କେବଳ କ୍ରୀଡ଼ା ଦକ୍ଷତା ନୁହେଁ, ବୟସ ନିର୍ବି‌େଶଷରେ ସଚ୍ଚିନଙ୍କ ଆନୁଗତ୍ୟ ତାଙ୍କୁ କ୍ରିକେଟ୍‌ର ଭଗବାନ ବନାଇ ଦେଇଛି। ଆଉ କେହି କେହି ଲେଖିଛନ୍ତି; ସଚ୍ଚିନଙ୍କ ଭିତରେ ତାଙ୍କ ଭାରତୀୟ ବାପାମାଆ ଓ ଗୁରୁଙ୍କ ସଂସ୍କାର ପ୍ରତିଫଳିତ ହେଉଛି।

ସଚ୍ଚିନ ତେନ୍ଦୁଲକରଙ୍କ ବ୍ୟାଟିଂ ହିରୋ ହେଉଛନ୍ତି ସୁନିଲ ଗାଭାସ୍କର। ସଚ୍ଚିନ ଗାଭାସ୍କରଙ୍କ ସହ ଖେଳିବାକୁ ଇଚ୍ଛା ‌ରଖିଥିଲେ। ହେଲେ ତାଙ୍କ ଇଚ୍ଛା ପୂରଣ ହୋଇ ପାରି ନଥିଲା। କାରଣ ୧୯୮୯ ମସିହାରେ ସଚ୍ଚିନ ଯେତେବେଳେ ଭାରତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପାଇଲେ, ତା’ର ୨ ବର୍ଷ ପୂର୍ବରୁ ଗାଭାସ୍କର କ୍ରିକେଟ୍‌କୁ ଅଲବିଦା କହିସାରିଥିଲେ।
ସୁନୀଲ ଗାଭାସ୍କର ୧୨୫ଟି ଟେଷ୍ଟ ଏବଂ ୧୦୮ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୧୦,୧୨୨ ରନ୍‌ କରିଥିବା ବେଳେ ଦିନିକିଆରେ ୩,୦୨୯ ରନ୍‌ କରିଛନ୍ତି। ସେହିପରି ତାଙ୍କ ନାମରେ ୩୪ଟି ଟେଷ୍ଟ ଶତକ ରହିଛି। ଅନ୍ୟପଟେ ସଚ୍ଚିନ ତେନ୍ଦୁଳକର ୨୦୦ଟି ଟେଷ୍ଟ ମ୍ୟାଚ୍‌ ଏବଂ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟରେ ୧୫,୯୨୧ ରନ୍‌ କରିଥିବା ବେଳେ ଦିନିକିଆରେ ୧୮, ୪୨୬ ରନ୍‌ କରିଛନ୍ତି। ତାଙ୍କ ନାମରେ ରହିଛି ୫୧ଟି ଟେଷ୍ଟ ଏବଂ ୪୯ଟି ଦିନିକିଆ ଶତକ। ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍‌ ଓ ଶତକ ରେକର୍ଡ ସଚ୍ଚିନଙ୍କ ନାମରେ ଅଛି। ଏହାକୁ ଛାଡ଼ି ଆହୁରି ଅନେକ ରେକର୍ଡର ସେ ଅଧିକାରୀ ହୋଇଛନ୍ତି। ଗାଭାସ୍କର ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାର ପାଇଥିବା ବେଳେ ସଚ୍ଚିନ ଅର୍ଜୁନ, ଖେଲରତ୍ନ, ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ପୁରସ୍କାର ପାଇଛନ୍ତି। ଏହା ସହିତ ୨୦୧୨ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ।

ଅନେକ ରେକର୍ଡ, ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇ ମଧ୍ୟ ସଚ୍ଚିନ ନିଜକୁ ବଦଳିବା ପା‌ଇଁ ଦେଇ ନାହାନ୍ତି। ସେ ସଫଳତା ପାଇବା ପୂର୍ବରୁ ଯେପରି ସଂସ୍କାରୀ ଓ ନମ୍ର ଥିଲେ, ଏବେ ବି ସେମିତି ଅଛନ୍ତି। ଯାହା ପାଇଁ ‌ତାଙ୍କୁ କ୍ରିକେଟ୍‌ ଜଗତ ଭଗବାନ କହୁଛି ଏବଂ ସେ ସାମାଜିକ ଜୀବନରେ ଅନେକଙ୍କ ପାଇଁ ଉଦାହରଣ ଓ ପ୍ରେରଣା ହୋଇଯାଇଛନ୍ତି।

-ରୁଦ୍ରରଞ୍ଜନ ଶେଜପଡ଼ା

ସମ୍ବନ୍ଧିତ ଖବର